ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ଭୁବନେଶ୍ବର: ଲକ୍ଷ ଲକ୍ଷ ଚିଟଫଣ୍ଡ ଜମାକାରୀ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ମିଳିତ ମଞ୍ଚ। ମଞ୍ଚର କର୍ମକର୍ତ୍ତାମାନେ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆର୍ଥିକ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି, ଓଡ଼ିଶାରେ ଶତାଧିକ କମ୍ପାନି ସରକାରଙ୍କ ପ୍ରୋତ୍ସାହନରେ ୬୦ ଲକ୍ଷରୁ ଅଧିକ ଲୋକଙ୍କ ଠାରୁ ସଞ୍ଚିତ ଅର୍ଥ ନେଇ ଫେରସ୍ତ ନ କରି ଫେରାର ହୋଇ ଯାଇଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଟଙ୍କା ଫେରସ୍ତ ପାଇଁ ଆଇନ ରହିଥିଲେ ମଧ୍ୟ ସେଥିରେ ଖିଲାପ କରିଛନ୍ତି। ୨୦୨୩ ମାର୍ଚ୍ଚ ୨୯ରେ ସାହାରା ସଂସ୍ଥାର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସେବି ନିକଟରେ ଥିବା ୨୪ ହଜାର କୋଟିରୁ ୫ ହଜାର କୋଟି ଫେରସ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ କେନ୍ଦ୍ରୀୟ ସମବାୟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସିଆରସି-ସାହାରା ରିଫଣ୍ଡ୍ ଵେବପୋର୍ଟାଲ ଉନ୍ମୋଚନ କରି କ୍ଷତିଗ୍ରସ୍ତ ଜମାକାରୀଙ୍କ କ୍ଲେମ ଆବେଦନ ଆହ୍ବାନ କଲେ। କିନ୍ତୁ ଏହି ୱେବ୍‌ ପୋର୍ଟାଲ ଜରିଆରେ ଅଜ୍ଞ ଓ ଗରିବ ଜମାକାରୀ ଏହାର ସୁଯୋଗ ନେଇ ପାରୁ ନାହାନ୍ତି। ପୁଣି ୱେବ୍‌ ପୋର୍ଟାଲ ଉନ୍ମୋଚନ ବେଳେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଅଧିକାଂଶ ଜମାକାରୀଙ୍କୁ ନିରାଶ କରିଛି। ଏହା ବଡସ୍(ନିଷିଦ୍ଧ ଓ ବେଆଇନ ଜମା ଯୋଜନା) ଆଇନ୍-୨୦୧୯ ଓ ଓପିଆଇଡି(ଜମାକାରୀ ସ୍ବାର୍ଥ ସୁରକ୍ଷା) ଆଇନ-୨୦୧୧ର ପରିପନ୍ଥୀ ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଏଥିରେ ସଂଶୋଧନ କରାଯାଇ ଜିଲ୍ଲାସ୍ତରୀୟ ପ୍ରାଧୀକୃତ ଅଧିକାରୀଙ୍କ ଦ୍ବାରା ଜମାକାରୀଙ୍କୁ ଅଫଲାଇନରେ ଚିହ୍ନଟ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ସାହାରା ବ୍ୟତୀତ ଅନ୍ୟ ୫ ଶହରୁ ଅଧିକ ସଂସ୍ଥାର ସମ୍ପତ୍ତି ଜବତ, ଖୋଲା ବଜାରରେ ନିଲାମ କରି ଏହି ଅର୍ଥ ସୁଧ ସହ ଫେରସ୍ତ କରିବାକୁ ମଧ୍ୟ ଦାବି କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ, ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ବାଳ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ସାହାର ଜମାକାରୀ ମଞ୍ଚର ସଭାପତି ବିଜୟ କୁମାର ପାଢ଼ୀ, ସମ୍ପାଦକ ସଞ୍ଜୀବ କୁମାର ପଣ୍ଡା ପ୍ରମୁଖ ସାମିଲ ଥିଲେ।

Spread the love