ବିବାହ ବିଚ୍ଛେଦ ପାଇଁ ଥିବା ବଡ଼ ନିୟମକୁ ଉଚ୍ଛେଦ କଲେ କୋର୍ଟ

ଥିରୁଅନନ୍ତପୁରମ: ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କ ବିବାହ ବିଚ୍ଛେଦକୁ ନେଇ ବଡ଼ ରାୟ ଦେଇଛନ୍ତି କେରଳ ହାଇକୋର୍ଟ। ବିବାହ ବିଚ୍ଛେଦ ଆଇନ ୧୮୬୯ରେ ଥିବା ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ଆଜି କୋର୍ଟ ଉଚ୍ଛେଦ କରି ଦେଇଛନ୍ତି। ସହମତି ଭିତ୍ତିରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିବା ପୂର୍ବରୁ ପ୍ରଥମେ ଦମ୍ପତିଙ୍କୁ ଗୋଟିଏ ବର୍ଷ ଅଲଗା ହୋଇ ରହିବାକୁ ପଡ଼ିବ ବୋଲି ନିୟମ ରହିଥିଲା। ହେଲେ ଏହାକୁ କୋର୍ଟ ଆଜି ଉଚ୍ଛେଦ କରି ଦେଇଛନ୍ତି। ଏହା ପୂର୍ବରୁ ଏହି ଆଇନରେ ବିଚ୍ଛେଦ ପାଇଁ ଅତିକମରେ ଦମ୍ପତିଙ୍କୁ ୨ ବର୍ଷ ଅଲଗା ରହିବାର ପ୍ରାବଧାନ ଥିଲା। ହେଲେ କେରଳ ହାଇକୋର୍ଟ ୨୦୧୦ରେ ଏହି ନିୟମରେ ପରିବର୍ତ୍ତନ କରିଥିଲେ। ୨ ବର୍ଷ ବଦଳରେ ଗୋଟିଏ ବର୍ଷର ବ୍ୟବସ୍ଥା କରିଥିଲେ। ହେଲେ ଆଜି ଏହି ଗୋଟିଏ ବର୍ଷ ନିୟମକୁ ମଧ୍ୟ ଉଚ୍ଛେଦ କରାଯାଇଛି।

ବିବାହ ବିଚ୍ଛେଦ ଆଇନ ୧୮୬୯ରେ ଥିବା ବ୍ୟବସ୍ଥା ସ୍ପେଶାଲ ମ୍ୟାରେଜ ଆକ୍ଟ ଓ ହିନ୍ଦୁ ମ୍ୟାରେଜ ଆକ୍ଟରେ ଥିବା ନିୟମକୁ ଉଲ୍ଲଙ୍ଘନ କରୁଛି। ଏହି ଆଇନ ଗୁଡ଼ିକରେ ବିବାହ ପରଠାରୁ ହିଁ ସହମତି ଭିତ୍ତିରେ ବିଚ୍ଛେଦ ପାଇଁ ଆବେଦନ କରିବାର ପ୍ରାବଧାନ ରହିଛି। ଏଥିସହ କୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ଅନୁମତି ଦେଉଛି। ତେଣୁ ବିଚ୍ଛେଦ ଆଇନ ୧୮୬୯ ଆଇନରେ ଗୋଟିଏ ବର୍ଷ ଅଲଗା ହୋଇ ରହିବାର ବ୍ୟବସ୍ଥା କରାଯାଇ ପାରିବ ନାହିଁ। ଏହାକୁ ଉଚ୍ଛେଦ କରିବା ଅତ୍ୟନ୍ତ ଜରୁରୀ ବୋଲି କୋର୍ଟ କହିଛନ୍ତି।

Spread the love