RBI ଡେପୁଟୀ ଗଭର୍ଣ୍ଣର ପଦରେ ନିଯୁକ୍ତ ହେଲେ ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ର

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଲେ ମାଇକେଲ ଦେବବ୍ରତ ପାତ୍ର । ଏ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପତ୍ର ପ୍ରକାଶ ପାଇଛି ।ଏହା ପୂର୍ବରୁ ଶ୍ରୀ ପାତ୍ର ମନିଟାରୀ ପଲିସି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ପାଦନା କରୁଥିଲେ । ଶ୍ରୀ ପାତ୍ର ଜଣେ ଏମପିସି ଭାବେ ପରିଚିତ । ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ସୁଧହାର କମାଇବା ପାଇଁ ନିଆ ଯାଉଥିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଶ୍ରୀ ପାତ୍ର ।ଶ୍ରୀ ପାତ୍ର ଆଇଆଇଟି ମୁମ୍ବାଇରେ ଅର୍ଥନୀତିରେ ପିଏଚ୍‌ଡି ହାସଲ କରିଛନ୍ତି । ଅକ୍ଟୋବର ୨୦୦୫ରେ ସେ ମନିଟାରୀ ପଲିସି ବିଭାଗକୁ ଯିବା ପୂର୍ବରୁ ଅର୍ଥନୀତି ବିଶ୍ଲେଷଣ ବିଭାଗ ଓ ଅନ୍ତର୍ଜାତୀୟ ଫାଇନାନ୍ସ ପଲିସି ଇନଚାର୍ଜ ଭାବେ ବିଭିନ୍ନ ବିଭାଗରେ ନିଜ ଦାୟିତ୍ୱକୁ ଅତ୍ୟନ୍ତ ଦକ୍ଷତାର ସହ ସମ୍ପାଦନା କରିଛନ୍ତି । ଶ୍ରୀ ପାତ୍ର ଆରବିଆଇରେ ୧୯୮୫ ମସିହାରୁ କାର୍ଯ୍ୟ କରିବା ଆରମ୍ଭ କରିବା ସହ, ଫାଇନାନ୍ସିଆଲ ଷ୍ଟାବିଲିଟି ରିସର୍ଚ୍ଚ ଉପରେ ସେ ହାର୍ବଡ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟୋରାଲ ରିସର୍ଚ୍ଚ ହାସଲ କରିଛନ୍ତି । ଗତବର୍ଷ ଜୁଲାଇ ୨୩ରେ ଡେପୁଟି ଗଭର୍ଣ୍ଣର ପଦରୁ ବିରଳ ଆଚର୍ଯ୍ୟଙ୍କ ଇସ୍ତଫା ପରେ ସେବେଠାରୁ ଏହି ପଦ ଖାଲି ପଡ଼ିଥିଲା । ଏବେ ଶ୍ରୀ ପାତ୍ର ଏହି ପଦରେ ୩ ବର୍ଷ ପାଇଁ କାର୍ଯ୍ୟ କରିବେ ବୋଲି ଜଣା ପଡିଛି । ସେ ଆରବିଆଇର ୪ର୍ଥ ଗଭର୍ଣ୍ଣର ଭାବେ ଦାଯିତ୍ୱ ତୁଲାଇବେ ବୋଲି ଜଣାଯାଇଛି । ତାଙ୍କ ପାଖରେ ମନିଟାରୀ ପଲିସି ବିଭାଗ ରହିବ।

Spread the love