ପୁରୀରେ ବଢିଲା କରୋନା ସଂକ୍ରମଣ, ହୋଟେଲ ସୋନା ଇଣ୍ଟରନ୍ୟାସନାଲ ଓ ଆଖପାଖ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା

ପୁରୀ ୪।୧: ପୁରୀକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ । ପୁରୀ ସମୁଦ୍ର କୂଳ ଅଞ୍ଚଳର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ହୋଟେଲ ସୋନା ଇଣ୍ଟରନ୍ୟାସନାଲ ଓ ଏହାର ଆଖପାଖ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ରବିବାର ଦିନ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଚିହ୍ନଟ ସଂକ୍ରମିତ ପୁରୀ ସହରର ଏବଂ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ବୋଲି ଜଣାପଡିଛି ।

ତେବେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଅଞ୍ଚଳରେ ବସବାସ କରୁଥିବା ଲୋକ ବାହାରକୁ ବାହାରିବେ ନାହିଁ କି ବାହାର ଲୋକ ଏହି ଅଞ୍ଚଳରୁ ପ୍ରବେଶ କରିପାରିବେନାହିଁ । ଏହି ଅଞ୍ଚଳରେ ଦୋକାନବଜାର ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତି ଆବଶ୍ୟକ ସାମଗ୍ରୀ ଲୋକଙ୍କ ନିକଟକୁ ପଠାଯିବ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ ।

ସେପଟେ ଭକ୍ତଙ୍କ ପାଇଁ ୩ଦିନ ଶ୍ରୀମନ୍ଦିର ବନ୍ଦ ରହିବା ପରେ ସୋମବାରଠାରୁ ପୁଣି ଖୋଲିଛି । ତେବେ ସୋମବାର ମଧ୍ୟ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ସହରାଞ୍ଚଳରେ ୭ଜଣ କୋଭିଡ୍ ପଜିଟିଭ ରହିଛନ୍ତି । ହୋଟେଲରେ ରହୁଥିବା ପର୍ଯ୍ୟଟକ ଓ ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖିଛି ପ୍ରଶାସନ ।

Spread the love