ମିହିର ଦାସଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୧/୦୧: ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ୬୫ ବର୍ଷ ବୟସରେ ପରୋଲୋକ ଘଟିଛି । ଏ ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି । ‘ବର୍ଷୀୟାନ୍‌ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଓଡ଼ିଆ କଳା ଜଗତରେ ସେ ଛାଡ଼ି ଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରି ରଖିବ । ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୁରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି’ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି ।

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ମିହିର ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ‘ଓଡ଼ିଆ ସିନେଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକଟ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଜଣାଇଛନ୍ତି। ସ୍ବର୍ଗତ ଦାସ ଜଣେ ଶୀର୍ଷ ସ୍ତରର କଳାକାର ଭାବେ ନିଜର ଅନନ୍ୟ ଅଭିନୟ କଳା ପାଇଁ ସବୁରି ହୃଦୟରେ ରହିବେ ବୋଲି ମାନ୍ୟବର ରାଜ୍ୟପାଳ ପ୍ରକାଶ କରିଛନ୍ତି l

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିହିରଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି । ‘ଓଡ଼ିଶା ସିନେ ଜଗତର ସୁନାମଧନ୍ୟ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ଜଣେ କଳାକାର ଭାବରେ ନୁହେଁ ବରଂ ତାଙ୍କ ସହ ମୋର ସମ୍ପର୍କ ବଡ଼ ଭାଇ ଭଳି ଥିଲା । ସେ ଆମ ଗହଣରେ ଆଜି ନାହାନ୍ତି, ଏ ଖବରକୁ ମୁଁ ବିଶ୍ୱାସ କରିପାରୁନାହିଁ ବୋଲି ସେ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି ।

Spread the love