ବିଜେଡି ନେତ୍ରୀ ମିନାକ୍ଷୀଙ୍କୁ ନ୍ୟାୟ ନଦେଇ ମୃତ୍ୟୁ ମୁହଁକୁ ଠେଲି ଦେଲା ବିଜେଡି ସରକାର – ବିଜେପି

ପୁଲିସ ଠାରୁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ କରିଥିବା ବ୍ରହ୍ମପୁର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଯଦି ସରକାର ଓ ପ୍ରଶାସନ ସଂବେଦନଶୀଳ ହୋଇ ସଂପୃକ୍ତ ମହିଳାଙ୍କ ଅଭିଯୋଗ ଶୁଣି ଥାନ୍ତେ ତେବେ ଆଜି ମିନାକ୍ଷାଙ୍କ ମୃତ୍ୟୁ ହୋଇନଥାନ୍ତା । ଏଭଳି ଅଭାବନୀୟ ଘଟଣା ପାଇଁ ରାଜ୍ୟସରକାର, ଗୃହ ବିଭଗ ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ଅଭିଯୋଗ କରିଛନ୍ତି । ବିଜେଡି ନେତ୍ରୀ ପ୍ରଶାସନ ପାଖରୁ ନ୍ୟାୟ ନପାଇ ଆତ୍ମହତ୍ୟା କରି ଜୀବନ ହାରିବା ଘଟଣା ସମଗ୍ର ନାରୀ ଜାତିକୁ ଅପମାନିତ କରିଛି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଏହି ଘଟଣା ଶୁଣିବା ପରେ ମର୍ମାହତ ହୋଇଛି । ରାଜ୍ୟସରକାର ନାରୀମାନଙ୍କୁ ସୁରକ୍ଷା
ଦେବାରେ ଫେଲ୍ ମାରିଛନ୍ତି । ପୀଡିତାଙ୍କ ସମସ୍ୟା ଶୁଣିବା ପାଇଁ ପୋଲିସ ପ୍ରଶାସନ ପାଖରେ ସମୟ ନାହିଁ । ବିଜେଡି ନେତ୍ରୀଙ୍କ କଥା ଯଦି ପ୍ରଶାସନ ଶୁଣୁ ନାହାଁନ୍ତି ତେବେ ୫-ଟି, ମୋ ସରକାରରେ ସାଧାରଣ ଲୋକ କିପରି ନ୍ୟାୟ ପାଉଥିବେ ତାହା ଏହି ଘଟଣାରୁ ସ୍ପଷ୍ଟ
ଜଣାପଡୁଛି । ରାଜ୍ୟରେ କୌଣସି ଘଟଣା ଘଟିଲା ପରେ ପୋଲିସ ଉଦାସୀନ ମନୋଭାବ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।

ଥାନାକୁ ଗୋଟେ ନିରୀହ ଲୋକ ଗଲେ ପୋଲିସ ତାଙ୍କ ସହ ଦୁର୍ବ୍ୟବହାର କରୁଛି । କାହା ପାଇଁ ମୋ ସରକାର କାର୍ଯ୍ୟ କରୁଛି ? ବିଜେଡି ଦଳର ନେତ୍ରୀଙ୍କ ମୃତ୍ୟୁ ପରେ ବି ପୂରା ବିଜେଡି ଦଳ ଆଜି ଚୁପ୍ ରହିଛି । ଏଭଳି ଘଟଣାରୁ ଜଣାପଡୁଛି କି, ବିଜେଡି କିପରି ନାରୀ ମାନଙ୍କୁ ସମ୍ମାନ ଦେଉଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇ ଅପରାଧୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମତୀ ପରିଡା ଦାବୀ କରିଛନ୍ତି ।

Spread the love