ଭୁବନେଶ୍ୱରରେ ଆଉ ୫୦ ମିନି ପାର୍କ

ଭୁବନେଶ୍ୱର :  ସ୍ମାର୍ଟ ସିଟି ଭୁବନେଶ୍ୱରକୁ ସବୁଜସୁନ୍ଦର କରିବା ସହ ଲୋକଙ୍କ ଆମୋଦପ୍ରମୋଦ ଓ ସୁସ୍ଥ ଜୀବନଯାପନ ପାଇଁ ବିଏମ୍‌ସି ପକ୍ଷରୁ ଆଉ ୫୦ଟି ମିନି ପାର୍କ ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅନ୍ତର୍ଗତ ଏହି ପାର୍କଗୁଡିକୁ ଲୋକଙ୍କ ପାଇଁ ଉତ୍ସର୍ଗ କରାଯିବ। ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ। ଗୋଷ୍ଠୀଗୁଡିକର ସଦସ୍ୟାମାନେ ଯୋଜନା ଓ କାର୍ଯ୍ୟାନ୍ବୟନ କାର୍ଯ୍ୟରେ ସାମିଲ ହେବେ। ବ୍ୟବସ୍ଥା ଅନୁଯାୟୀ ସ୍ଥାନୀୟ ଇଞ୍ଜିନିୟରଙ୍କ ନାମରେ କାର୍ଯ୍ୟାଦେଶ ହୋଇଛି। ସମ୍ପୃକ୍ତ ଅଞ୍ଚଳର ମିଶନ ଶକ୍ତି ଗୋଷ୍ଠୀ ଏହାର ତଦାରଖ କରିବେ। ଏଥିପାଇଁ ସେମାନଙ୍କୁ ବଜେଟ୍‌ ମୂଲ୍ୟର ୭.୫ ପ୍ରତିଶତ ପ୍ରଦାନ କରାଯିବ। ପାର୍କଗୁଡିକର ପରିସୀମା ଅଧା ଏକର କିମ୍ବା ଏହାଠାରୁ କମ୍‌ ରହିବ। ପ୍ରତ୍ୟେକ ପାର୍କ ପାଇଁ ୩୫ ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପାର୍କର ଆକାର ଅନୁଯାୟୀ ବଜେଟ ଓ ସୁବିଧା ଭିନ୍ନ ଭିନ୍ନ ରହିଛି। ପାର୍କରେ ସୀମା ପ୍ରାଚୀର, ଗାର୍ଡ ରୁମ, ଯୋଗ ପିଣ୍ଡି, ଆଇରନ ଗେଟ, ଜଗିଂ ଟ୍ରାକ (ମୁରୁମ ଟ୍ରାକ ୧୦୦ ମିଟର), ପାଭର୍‌ ବ୍ଲକ (୨୦୦ ମିଟର) ଆଦି ରହିବ। ଏଥିସହ ପରିସ୍ରାଗାର (ପୁରୁଷ ଓ ମହିଳା), ଆଲୋକୀକରଣ, ସିମେଣ୍ଟ ଏବଂ ଏଫ୍‌ଆର୍‌ପି ବେଞ୍ଚ, ଜଳସେଚନ ବ୍ୟବସ୍ଥା ଆଦି ସୁବିଧା ରହିବ। ଏହା ବ୍ୟତୀତ ପିଲାଙ୍କ ପାଇଁ ବିଭିନ୍ନ ଖେଳ ଉପକରଣ ରହିବ ବୋଲି ସୂଚନା ଦିଆଯାଇଛି।

Spread the love