ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମ୍‌ ହସ୍ପିଟାଲର ଭୂମିକା ଗୁରୁତ୍ୱପୂର୍ଣ୍ଣ : ପ୍ରତାପ ଓ ପ୍ରଦୀପ କଲେ ପ୍ରଶଂସା, ସମ୍‌ ପ୍ରତିଷ୍ଠାତାଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର ୨୪।୦୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଏବଂ ଓଡ଼ିଶାର ଜନସାଧାରଣଙ୍କ ଶୁଭେଚ୍ଛାରୁ ୧୮ ଦିନ ପରେ କୋଭିଡ୍‌ରୁ ମୁକ୍ତ ହୋଇ ଘରକୁ ଫେରିଲି । ଏଥିପାଇଁ ନିର୍ବାଚନ ମଣ୍ଡଳୀ ମାହାଙ୍ଗାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛି । ଟ୍ୱିଟ୍‌ ଯୋଗେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ।
ଶ୍ରୀ ଜେନା, ସମ୍‌ ହସ୍ପିଟାଲ୍‌ର ପ୍ରତିଷ୍ଠାତା ମନୋଜ ନାୟକ, ଡା. ପ୍ରଦୀପ୍ତ ପାତ୍ର ଓ ହସ୍ପିଟାଲ୍‌ର ସମସ୍ତ କର୍ମକର୍ତ୍ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସମ୍‌ ହସ୍ପିଟାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ମୋର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ପ୍ରକଟ କରିଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଉଛି । ତା’ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ସ୍ୱାସ୍ଥ୍ୟ ବିଷୟରେ ବାରମ୍ବାର ଚିନ୍ତା ପ୍ରକଟ କରି ବୁଝିବା ସହ ଶୁଭେଚ୍ଛା ଜଣାଇଥିବାରୁ ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି । ଓଡ଼ିଶାର ଜନସାଧାରଣଙ୍କୁ କୋଭିଡ୍‌ ମହାମାରୀ ସମୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ । ଓଡ଼ିଶା, ଦେଶର ସବୁ ରାଜ୍ୟକୁ ଅମ୍ଳଜାନ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି ।
ସେହିଭଳି ଏସ୍‌ଆର୍‌ସି ତଥା ଉନ୍ନୟନ କମିଶନର ଆଇଏଏସ୍‌ ପ୍ରଦୀପ ଜେନା ମଧ୍ୟ ସମ୍‌ ହସ୍ପିଟାଲ୍‌ର ଡା. ପ୍ରଦୀପ ପାତ୍ର, ନର୍ସ ଓ ମେଡିକାଲ୍‌ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ଜେନା ଟ୍ୱିଟ୍‌ ଯୋଗେ ଉଲ୍ଲେଖ କରିଛନ୍ତି, ୧୦ଦିନ ହେବ ମା’ ଓ ପତ୍ନୀ କୋଭିଡ୍‌ରେ ଆକ୍ରାନ୍ତ ହୋଇ ସମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମେ’ ୧୭ ତାରିଖରେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସମ୍‌ ହସ୍ପିଟାଲ ଓ ଟିମ୍‌ର ଉତ୍ତମ ଚିକିତ୍ସା ପାଇଁ ମୁଁ ବାତ୍ୟା କାମରେ ୨୪ଘଣ୍ଟା ସମୟ ଦେଇପାରିଥିଲି । ଠିକ୍‌ ସମୟରେ ଚିକିତ୍ସା ଠାରୁ ଔଷଧ, ସୁଷମ ଖାଦ୍ୟ ଯୋଗୁ ବହୁତ ଶୀଘ୍ର ମୋ ମା’ ଏବଂ ପତ୍ନୀ ସୁସ୍ଥ ହୋଇପାରିଥିଲେ । ସମ୍‌ ହସ୍ପିଟାଲର ଡାକ୍ତର ଓ ନର୍ସିଂ ଟିମ୍‌ର ଅକ୍ଲାନ୍ତ ପରିଶ୍ରମ ଓ ସେବା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

Spread the love