ତାଲିମ ଏକ ଉତ୍କୃଷ୍ଟ ଶିକ୍ଷା ମାଧ୍ୟମ ଯାହା ବ୍ୟକ୍ତିକୁ ଜୀବନତମାମ ଆବଶ୍ୟକ ପଡ଼ିଥାଏ : ମନ୍ତ୍ରୀ ଡ ଅରୁଣ ସାହୁ

ଭୁବନେଶ୍ୱର : ୨୦୨୧ କର୍ତ୍ତବ୍ୟ ପ୍ରତି କ୍ଷୁଧା ଜାଗ୍ରତ ହେଲେ ଜଣେ କର୍ମଚାରୀ ତା’ର ପେଶାରେ ସଫଳ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି । ସଂପ୍ରତି ଇମେଜ୍‌ସ୍ଥିତ ଅଫିସର ହଷ୍ଟେଲ୍‌ର ସମ୍ମିଳନୀ କକ୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ କୃଷି ବିଭାଗ ଗ୍ରୁପ୍‌-ଏ ଓ ଗ୍ରୁପ୍‌-ବି ଅଫିସର ମାନଙ୍କର ଦିବସବ୍ୟାପୀ ତାଲିମ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଏହା କହିଛନ୍ତି । ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଡ. ସାହୁ କହିଥିଲେ ଯେ ତାଲିମ ଏକ ଉତ୍କୃଷ୍ଟ ଶିକ୍ଷା ମାଧ୍ୟମ ଯାହା ବ୍ୟକ୍ତିକୁ ଜୀବନତମାମ ଆବଶ୍ୟକ ପଡ଼ିଥାଏ । ଏଥି ନିମନ୍ତେ ଯୋଗାଯୋଗ ନିତାନ୍ତ ଆବଶ୍ୟକ ।

କୃଷି ସଂପ୍ରସାରଣରେ ଯୋଗାଯୋଗର ପ୍ରାଧାନ୍ୟ ଖୁବ୍‌ ବେଶୀ ଉପଲବ୍ଧ ହେବା ଦରକାର । ତାଲିମ ଏକ ନିରବଚ୍ଛିନ୍ନ ଧାରା । ଯେଉଁମାନେ ଏବେ ତାଲିମପ୍ରାପ୍ତ ହୋଇଛନ୍ତି ସେମାନେ ଆସନ୍ତା ଦିନରେ ନୂଆପିଢ଼ିର ଅଧିକାରୀ, କୃଷି ଉଦ୍ୟୋଗୀ ତଥା କୃଷକମାନଙ୍କୁ ତାଲିମ ପ୍ରଦାନ କରି ଆଗକୁ ବଢ଼ାଇବେ ବୋଲି ମନ୍ତ୍ରୀ ଡ. ସାହୁ ଉଲ୍ଲେଖ କରିଥିଲେ । ଚିରାଚରିତ ଢଙ୍ଗରେ କାର୍ଯ୍ୟ କରିବା ଅପେକ୍ଷା ପେଶାଦାର ମନୋଭାବ ନେଇ କାର୍ଯ୍ୟ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ସମ୍ଭବ ହେବ ବୋଲି ଡ. ସାହୁ କହିଥିଲେ ।

ଆନୁଷଙ୍ଗିକ କୃଷି ବିଭାଗ ଯଥା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶରେ ମଧ୍ୟ ଅନୁରୂପ ତାଲିମ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ପ୍ରସ୍ତାବ ରଖିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଏହି ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଉଲ୍ଲେଖ କରି କହିଥିଲେ ଯେ ନିଜ କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଆମକୁ ଅନ୍ତର୍ମୁଖୀ ହେବାକୁ ପଡ଼ିବ । ନିଜେ ଏଥି ପାଇଁ ସଫଳତାର ମାନକ ନିଶ୍ଚିତ କରିବାକୁ ହେବ । ନିଜ ସହ ନିଜେ ପ୍ରତିଯୋଗିତା କରିବାକୁ ହେବ । ତେବେ ଯାଇ ଆମେ କାର୍ଯ୍ୟକ୍ଷେତ୍ରରେ ବେଶୀ ପେଶାଦାର ହୋଇପାରିବା। ଉଦ୍‌ଘାଟନୀ ସଭା ପରେ ଦିନବ୍ୟାପୀ ତାଲିମ ଶିବିରରେ ୫୦ ଜଣ ଗ୍ରୁପ୍‌-ଏ ଓ ଗ୍ରୁପ୍‌-ବି ଅଧିକାରୀ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ୧୫ଟି ଏଭଳି ତାଲିମ କାର୍ଯ୍ୟକ୍ରମ କରାଯାଇ ୭୫୦ ଜଣ ଅଧିକାରୀଙ୍କୁ ତାଲିମ ଦିଆଯିବାକୁ ସ୍ଥିରୀକୃତ ହୋଇଛି । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ସ୍ୱାଗତ ଭାଷଣ ସହ ତାଲିମ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋକପାତ କରିଥିବାବେଳେ ଇମେଜ୍‌ର ନିର୍ଦ୍ଦେଶକ ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love