ମନ୍ତ୍ରୀ ନାଁ ଚୟନ କଲେ , ଆଉ ସେହି ଦିନ ପିଏମ ମଞ୍ଜୁରୀ ଦେଇ ଦେଲେ, ଏତେ ତରବରିଆ କାହିଁକି ?

ନୂଆଦିଲ୍ଲୀ: ସ୍ଵେଚ୍ଛାକୃତ ଭାବେ ଅବସର ନେବାର ମାତ୍ର ତିନି ଦିନ ପରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିସନ ଭାବେ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଅଦାଲତ କହିଛନ୍ତି, ଗୋଏଲଙ୍କୁ ଏତେ ତରବରିଆ ଭାବେ କାହିଁକି ନିଯୁକ୍ତି ଦିଆଗଲା। ନିର୍ବାଚନ ଆୟୋଗ ପରି ବଡ ପଦରେ ନିଯୁକ୍ତି ନେଇ ପୂର୍ବରୁ ସରକାରଙ୍କ ଆପତ୍ତି ରହି ଆସିଛି। ଗୁରୁବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି। ପୀଠ ପ୍ରଶ୍ନ କରିଛନ୍ତି ଯେ, ବିଜୁଳି ବେଗରେ ନିର୍ବାଚନ କମିସନଙ୍କ ନିଯୁକ୍ତି କଣ ପାଇଁ ଦିଆଗଲା ? ୨୪ ଘଣ୍ଟା ଭିତରେ ନିଯୁକ୍ତିର ସମସ୍ତ ପ୍ରକ୍ରିୟା କିପରି ପୂରା କରି ଦିଆଗଲା ? କେଉଁ ଆଧାରରେ ଆଇନ ମନ୍ତ୍ରୀ ନାମର ସର୍ଟଲିଷ୍ଟ କରି ଦେଲେ। ପୀଠ କହିଛନ୍ତି, ଆଇନ ମନ୍ତ୍ରୀ ସର୍ଟଲିଷ୍ଟ କରିଥିବା ଚାରୋଟି ନାମ ମଧ୍ୟରୁ ଜଣଙ୍କୁ ଚୟନ କରାଗଲା। ଉକ୍ତ ବ୍ୟକ୍ତିଙ୍କ ଫାଇଲ୍‌ ନଭେମ୍ବର ୧୮ରେ ଉପସ୍ଥାପନ କରାଗଲା, ଆଉ ସେହି ଦିନ ହିଁ ପ୍ରଧାନମନ୍ତ୍ରୀ ନାମର ସୁପାରିସ କରି ଦେଲେ। ଆମେ କେନ୍ଦ୍ର ସରକାରଙ୍କ ସହ କୌଣସି ପ୍ରକାରର ମୁହାଁମୁହିଁ ସ୍ଥିତିରେ ରହିବାକୁ ଚାହୁଁନୁ। ମାତ୍ର ମାତ୍ର କଣ ଏମିତି ଆବଶ୍ୟକତା ପଡିଲା ଯେ, ଏତେ ତରବରିଆ ଭାବେ ନିଷ୍ପତ୍ତି ନିଆଗଲା ?

ସୁପ୍ରିମକୋର୍ଟ କହିଛନ୍ତି, ମେ ୧୫ରେ ନିର୍ବାଚନ କମିସନ ପଦ ଖାଲି ପଡିଥିଲା। ଏତେ ଦିନ ଧରି କିଛି କରାଗଲା ନାହିଁ। ମାତ୍ର ଗୋଟିଏ ଦିନରେ ପ୍ରକ୍ରିୟା ଆରମ୍ଭ ହେଲା ଏବଂ ସେହି ଦିନ ହିଁ ପୂରା ହୋଇଗଲା। ଏଥିରେ କେଉଁ ପ୍ରକାରର ମୂଲ୍ୟାଙ୍କନ କରାଗଲା ? ଆମେ ଅରୁଣ ଗୋଏଲଙ୍କ ଯୋଗ୍ୟତା ଉପରେ ନୁହେଁ ବରଂ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଛୁ ବୋଲି କେଏମ ଯୋଶେଫଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ପୀଠ ପ୍ରଶ୍ନ କରିଛନ୍ତି।  ସୂଚନାଯୋଗ୍ୟ, ଗତକାଲି ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏ ସଂପର୍କରେ ସମସ୍ତ ତଥ୍ୟ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Spread the love