ମହିଳାଙ୍କ ହାତରେ ତରଳ ବର୍ଜ୍ୟ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଲୋକସେବାଭବନରେ ଆୟୋଜିତ ସ୍ୱଚ୍ଛତା ଶକ୍ତି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ, ପାନୀୟଜଳ ଓ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ରାଜ୍ୟର ୪ଟି ସେପ୍ଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ରକ୍ଷଣାବେକ୍ଷଣର ଭାର ସଂପୃକ୍ତ ପୈାରସଂସ୍ଥା ଦ୍ୱାରା ଚାରୋଟି ସ୍ଥାନୀୟ ସ୍ୱଂୟସହାୟକ ଗୋଷ୍ଠୀ ହାତରେ ନ୍ୟସ୍ତ କରିବା ନିମନ୍ତେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ବ୍ରହ୍ମପୁର ମହାନଗର ନିଗମ, କଟକ ମହାନଗର ନିଗମ ତଥା ସମ୍ବଲପୁର ମହାନଗର ନିଗମ ସହିତ ବାରିପଦା ପୈାର ପାଳିକାରେ ଥିବା ପ୍ଲାଣ୍ଟ ଲାଗି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । “ଆଗରୁ ମହିଳା ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟାମାନେ ଜନ ଶୈାଚାଳୟ ତଥା ଗୋଷ୍ଠୀ ଶୈାଚାଳୟର ରକ୍ଷଣାବେକ୍ଷଣ କାର୍ଯ୍ୟକରି ଆସୁଛନ୍ତି, ତେବେ ପ୍ରଥମ କରି ବିଭାଗ ତରଫରୁ ଯଥେଷ୍ଟ ପ୍ରସ୍ତୁତି ସହ ସେମାନଙ୍କୁ ଏହି କାର୍ଯ୍ୟ ଲାଗି ତାଲିମ ଦିଆଯାଇଛି” ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ସ୍ୱଂୟସହାୟକ ଗୋଷ୍ଠୀମାନଙ୍କର ଚୟନ ପ୍ରକ୍ରିୟାରେ ସେମାନଙ୍କ ଔଦ୍ୟୋଗିକ ଦକ୍ଷତା, ଅର୍ଥ ଦେଣ ନେଣର ପୁର୍ବ ଅନୁଭବ ତଥା ପରିମଳ କ୍ଷେତ୍ରରେ କାର୍ଯ୍ୟକରିବାର ଇଚ୍ଛାଶକ୍ତିକୁ ମାନକ ଭାବରେ ନିଆଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ ଓଡିଶାରେ ଏବେ ୧୦ଟି ସେପ୍ଟେଜ୍‌ଟ୍ରିଟମେଣ୍ଟ ପ୍ଲାଣ୍ଟ ଅଦ୍ୟାବଧି କାର୍ଯ୍ୟରତ ଅଛି ।
ଭବିଷ୍ୟତରେ ଆଉ ୮୦ ବା ତଦୁର୍ଦ୍ଧ ପ୍ଲାଣ୍ଟ ସ୍ଥାପନ କରାଯାଇ ରାଜ୍ୟର ୧୧୪ ପୈାରସଂସ୍ଥାରେ ମଳ ପରିଚାଳନାକୁ ସୁଦୃଢ଼ କରାଯିବ । ତେବେ ସମସ୍ତ ପ୍ଲାଣ୍ଟରେ ସ୍ୱଂୟ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯିବାର ଯୋଜନା ରହିଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଗୋଷ୍ଠୀ କୈନ୍ଦ୍ରିକ ପରିମଳ ସେବା କେବଳ ଯେ ଗୋଷ୍ଠୀ ସହଭାଗୀତାକୁ ସୁନିଶ୍ଚିତ କରାଏ ତାହା ନୁହେଁ ବରଂ ପରିମଳ ବ୍ୟବସ୍ଥାକୁ ନିରନ୍ତର ଚଲାଇରଖିବା ମଧ୍ୟ ସମ୍ଭବ ହୋଇଥାଏ ବୋଲି କହିଛନ୍ତି ଗୃହ ନିର୍ମାଣ ତଥା ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି ମାଥି ଭାଥନନ୍ । ସ୍ୱଂୟସହାୟକଗୋଷ୍ଠୀ ସହ ଏକ ଚୁକ୍ତିନାମା ଦ୍ୱାରା ପ୍ଲାଣ୍ଟର ଦୈନନ୍ଦିନ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଗୋଷ୍ଠୀମାନଙ୍କ ହାତରେ ନ୍ୟସ୍ତ କରାଯାଇଥିବା ସେସୂଚନା ଦେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସହ ଜଡିତ ହୋଇ ପରିମଳ କାର୍ଯ୍ୟକୁ ଆଗକୁ ନେବାରେ ଆମ ସିଏଲଏଫ୍ ଭାଗିଦାର ହେବା ଆମର ସମସ୍ତ ସଦସ୍ୟଙ୍କ ପାଇଁ ଖୁସିର କଥା ।

ଏଠାରେ ସୂଚନା ଯୋଗ୍ୟ ଯେ, ସଂୟସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗାମୀ ଦିନରେ ପ୍ଲାଣ୍ଟର ପରିଚାଳନା ହେତୁ ଦୈନିକ ପ୍ଲାଣ୍ଟକୁ ଆସୁଥିବା ସେସ୍‌ପୁଲ ଗାଡିକୁ ନିରିକ୍ଷଣ କରିବା, ପ୍ଲାଣ୍ଟରେ ନିର୍ଗତ ମଇଳାର ନିୟମାନୁଯାୟୀ ଉପଚାର, ପ୍ଲାଣ୍ଟରେ ଥିବା ବୃକ୍ଷଲତା ତଥା ଲନ୍‌ରେ ଥିବା ଘାସର ତଥା ପ୍ଲାଣ୍ଟର ବିଭିନ୍ନ ଉପାଦାନର ଯତ୍ନ ନେବା ପରି କାର୍ଯ୍ୟ ପରିଚାଳନା କରିବେ । ସେମାନେ ପ୍ଲାଣ୍ଟ ପରିସରରେ ଶୁଷ୍କ ଅବଶେଷକୁ ନେଇ ମିଶ୍ରିତ ଖାଦ ପ୍ରସ୍ତୁତ ସହ ନର୍ସରୀ ସୃଷ୍ଟିକରିବାର କାର୍ଯ୍ୟ କରିବେ । ଏହି ଚୁକ୍ତ ସ୍ୱାକ୍ଷରିତ କାର୍ଯ୍ୟକ୍ରମର ପୌର ନିର୍ଦ୍ଦେଶକ ସଂଗ୍ରାମଜିତ୍‍ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସୁଡାର ଅତିରିକ୍ତ ନିର୍ଦ୍ଦେଶକ ସାରଦା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love