ବିଭ୍ରାନ୍ତିକର ବିଜ୍ଞାପନ: ୫ ଲକ୍ଷ ଜରିମାନା ଗଣିବ ଖାନ୍ ଷ୍ଟଡି ଗ୍ରୁପ୍

ନୂଆଦିଲ୍ଲୀ: ବିଭ୍ରାନ୍ତିକର ବିଜ୍ଞାପନ ଅଭିଯୋଗରେ ଖାନ୍‌ ଷ୍ଟଡି ଗ୍ରୁପ୍ ଉପରେ କେନ୍ଦ୍ରୀୟ ଉପ‌ଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ୫ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି। ଗ୍ରାହକମାନଙ୍କ ସ୍ବାର୍ଥର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଜରିମାନା ଲଗାଯାଇଛି। ପ୍ରତିବର୍ଷ ପ୍ରଶାସନିକ ସେବା ଅଧିକାରୀ ଫଳ ପ୍ରକାଶ ପାଇବା ପରେ ଆଇଏଏସ୍ କୋଚିଂ ପ୍ରତିଷ୍ଠାନଗୁଡ଼ିକ ନିଜ ଛାତ୍ରଛାତ୍ରୀମାନେ ପାଇଥିବା ସଫଳତାକୁ ପ୍ରଚାର କରିବା ଲାଗି ଆକର୍ଷଣୀୟ ବିଜ୍ଞାପନ ଦେଉଛନ୍ତି। ଆଶାୟୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ଲାଗି ସେମାନେ ଟପର ଛାତ୍ରଛାତ୍ରୀଙ୍କ ନାମ ଓ ଛବିକୁ ବିଜ୍ଞାପନ ଜରିଆରେ ପ୍ରକାଶ କରୁଛନ୍ତି।

ସଫଳ ହୋଇଥିବା ଛାତ୍ରଛାତ୍ରୀ କେଉଁ ବିଷୟ ଚୟନ କରିଥିଲେ, କେତେ ଫି’ ଦେଇଥିଲେ ଏବଂ କେତେ ସମୟ ପଢ଼ିଥିଲେ, ସେ ବିଷୟରେ କିଛି ସୂଚନା ଦେଇ ନଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସିସିପିଏ ପକ୍ଷରୁ ଖାନ୍‌ ଷ୍ଟଡି ଗ୍ରୁପ୍ ସମେତ ବିଭିନ୍ନ ଆଇଏଏସ୍ କୋଚିଂ ସେଣ୍ଟରକୁ ନୋଟିସ୍ ଜାରି କରାଯାଇଥିଲା। ଗ୍ରୁପ୍‌ର ବିଜ୍ଞାପନରେ ଯେଉଁ ୬୮୨ ଜଣ ଛାତ୍ରଛାତ୍ରୀଙ୍କ ବିଷୟରେ ଉଲ୍ଲେଖ ଥିଲା ସେଥିରୁ ୭୬୪ ଜଣ ମକ୍ ସାକ୍ଷାତକାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, ଯାହା ସମ୍ପୂର୍ଣ୍ଣ ମାଗଣା ଥିଲା। ଛାତ୍ରଛାତ୍ରୀମାନେ ପରିଶ୍ରମ କରି ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ବେଳେ ତାଙ୍କ ସଫଳତା ବାହାନାରେ କୋଚିଂ ସେଣ୍ଟରଗୁଡ଼ିକ ଲୋଭନୀୟ ବିଜ୍ଞାପନ ଜରିଆରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରୁଥିବା ତଦନ୍ତରୁ ଜଣାପଡ଼ିଥିଲା।

Spread the love