‘ନିର୍ଜଳା ଏକାଦଶୀ ବ୍ରତ’; ଜାଣି ରଖନ୍ତୁ କେଉଁ ସବୁ ନିୟମ ମାନି ଚଳିବେ…

ଚଳିତ ବର୍ଷ ନିର୍ଜଳା ଏକାଦଶୀ ବ୍ରତ ଜୁନ୍‌ ୧୦ ଅର୍ଥାତ୍‌ ଆସନ୍ତାକାଲି ପାଳନ କରାଯିବ। ଏହି ବ୍ରତ କରିବା ଦ୍ୱାରା ବର୍ଷର ସମସ୍ତ ୨୪ ଏକାଦଶୀ ବ୍ରତ ବରାବର ଫଳ ମିଳିଥାଏ। ବାସ୍ତବରେ, ଏହା କରିବା ବହୁତ କଷ୍ଟସାଧ୍ୟ ହୋଇଥାଏ, ତଥାପି ଲୋକେ ନିର୍ଜଳା ଏକାଦଶୀ ବ୍ରତ ବହୁତ ଶ୍ରଦ୍ଧାର ସହିତ ରଖି ଥାଆନ୍ତି। ନିର୍ଜଳା ଏକାଦଶୀ ବ୍ରତରେ ବ୍ରତଧାରୀମାନଙ୍କୁ ପାଣି ସୁଦ୍ଧା ପିଇବାକୁ ବାରଣ କରାଯାଇଛି। ଏହି ବ୍ରତ କରିବା ଦ୍ୱାରା ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ବହୁତ ପୁଣ୍ୟ ମିଳିଥାଏ।

ଏହି ବ୍ରତ ଆର୍ଥିକ ଅନଟନ ଦୂର କରି ଜୀବନରେ ସୁଖ, ଶାନ୍ତି ପ୍ରଦାନ କରିଥାଏ। କିନ୍ତୁ ନିର୍ଜଳା ଏକାଦଶୀ ବ୍ରତଧାରୀମାନଙ୍କୁ କିଛି ବିଶେଷ ନିୟମ ପାଳନ କରିବାକୁ ପଡ଼ିଥାଏ। ଏହି ଦିନ କରାଯାଇଥିବା ସାମାନ୍ୟ ବି ଭୁଲ୍‌ ଆପଣଙ୍କ ଉପରେ ଭାରୀ ପଡ଼ିପାରେ। ଏପରି କି, ଯେଉଁମାନେ ବି ଏହି ଦିନ ବ୍ରତ ରଖୁ ନାହାନ୍ତି, ସେମାନେ ମଧ୍ୟ ନୀତି ନିୟମ ଭିତରେ ରହିବା ଉଚିତ। ନଚେତ୍‌ ଏହା ବହୁତ ବଡ଼ କ୍ଷତି କରିପାରେ। ତେବେ ଆସନ୍ତୁ ଜାଣିବା, ନିର୍ଜଳା ଏକାଦଶୀ ଦିନ ଆମକୁ କେଉଁ ସବୁ କାର୍ଯ୍ୟ କରିବା ଉଚିତ ନୁହେଁ।

-ଶାସ୍ତ୍ର ଅନୁସାରେ, ନିର୍ଜଳା ଏକାଦଶୀ ଉପବାସ କରିବା ପୂର୍ବରୁ ଏବଂ ପରେ ରାତିରେ ଭାତ ଖାଇବା ଉଚିତ୍ ନୁହେଁ। ଏକାଦଶୀ ବ୍ରତରେ ଭାତ ଖାଇବା ଏକ ବଡ଼ ପାପ ବୋଲି ବିବେଚନା କରାଯାଏ।

-ନିର୍ଜଳା ଏକାଦଶୀ ବ୍ରତରେ ବ୍ରତଧାରୀମାନଙ୍କୁ ଲୁଣ ସେବନ କରିବା ଉଚିତ୍ ନୁହେଁ। ଏମିତିରେ ଏହି ଉପବାସ ସମୟରେ ପାଣି ସୁଦ୍ଧା ପିଇବା ଉଚିତ୍ ନୁହେଁ। କିନ୍ତୁ ଯଦି ଏହା ସମ୍ଭବ ହେଉ ନାହିଁ ଅର୍ଥାତ୍‌ ଆପଣ ଏମିତି କରିପାରୁ ନାହାନ୍ତି, ତା’ ହେଲେ ଫଳ ସେବନ କରି ପାରିବେ। ହେଲେ ମନେ ରଖନ୍ତୁ, ଏହି ଦିନ କଦାପି ଲୁଣ ଖାଇବେ ନାହିଁ।

-ଏକାଦଶୀ ବ୍ରତ ରଖିଥିଲେ ଆଦୌ ମିଛ କହିବେ ନାହିଁ। ଏହା ବ୍ୟତୀତ କୌଣସି ବି ଅପଶବ୍ଦ ପାଟିରେ ଧରିବେ ନାହିଁ। ଏହି ଦିନ ବ୍ରହ୍ମଚାର୍ଯ୍ୟ ନିୟମ ପାଳନ କରନ୍ତୁ। ଏହାଦ୍ୱାରା ପୁଣ୍ୟ ପ୍ରାପ୍ତି ହେବ।

-ଯେଉଁମାନେ ନିର୍ଜଳା ଏକାଦଶୀରେ ଉପବାସ କରୁ ନାହାନ୍ତି ଅର୍ଥାତ୍‌ ବ୍ରତ ରଖୁ ନାହାନ୍ତି, ସେମାନେ ମଧ୍ୟ ଏହି ଦିନ ବିଶେଷ ନିୟମ ମାନି ଚଳିବା ଉଚିତ୍‌। ଏହି ଦିନ ଚାଉଳ, ମସୁର ଡାଲି, ମୂଳା, ବାଇଗଣ ଆଦି ଖାଇବା ଠୁ ଦୂରେଇ ରୁହନ୍ତୁ।

Spread the love