୨ ମାସ ପରେ ମୁହଁ ଖୋଲିଲେ ସୌମ୍ୟରଂଜନ
କିଛିମାସ ପରେ ପୁଣି କ୍ୟାମେରା ସାମ୍ନାକୁ ଫେରିଲେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ବିଜେଡିରୁ ବହିଷ୍କୃତ ହେବା ପରେ ମିଡିଆରୁ ଦୂରେଇ ରହିବା ସହ ଗଣମାଧ୍ୟମ ସାମ୍ନାରେ କିଛି କହୁନଥିଲେ କି ପରାମର୍ଶ ବି ଦେଉନଥିଲ । ହେଲେ ହଠାତ୍ ଏବେ ପୁଣି ଥରେ ସୌମ୍ୟରଂଜନ ସାଧାରଣ ସଭାରେ ଯୋଗ ଦେଲେ, ଗଣମାଧ୍ୟମକୁ ପ୍ରତିକ୍ରିୟା ବି ଦେଲେ । ଯାହାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ବିଜେଡିର ପୂର୍ବତନ ଉପସଭାପତି ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା ସବୁବେଳେ ଲାଗିରୁହେ । କେତେବେଳେ ସରକାରଙ୍କୁ ସମାଲୋଚନା କରିବା ହେଉ କି ସରକାରଙ୍କ ଦୋଷଦୁର୍ବଳତାକୁ ବାହାରକୁ ଆଣିବା ହେଉ…ତାଙ୍କର ଗୋଟିଏ ମନ୍ତବ୍ୟ ରାଜନୀତିରେ ସୃଷ୍ଟି କରେ ଝଡ଼ । ହେଲେ ଦଳରୁ ବିଦା ହେବା ପରେ ଗୋଟିଏ ପ୍ରକାର ଅଦୃଶ୍ୟ ହୋଇଯାଇଥିଲେ ସୌମ୍ୟ । ଏମିତିକି ମିଡିଆ ସାମ୍ନାକୁ ବି ଆସୁନଥିଲେ । ହେଲେ ଛାତ୍ର ନିର୍ବାଚନକୁ ନେଇ ସେ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହାକୁ ନେଇ ବଢିଲାଣି ଚର୍ଚ୍ଚା ।
ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବୋଧହୁଏ ସିଏ ଗ୍ରହଣ କରିପାରିନାହାନ୍ତି । ସେଇଥିଲାଗି ତ ସୌମ୍ୟ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ ହେଉ । ନିର୍ବାଚନ ହେଲେ ଅନେକ ପ୍ରତିଭା ସାମ୍ନାକୁ ଆସିବେ । ତେବେ ସୌମ୍ୟଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ସୃଷ୍ଟି ହେଲାଣି ଚର୍ଚ୍ଚା । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଅନେକ ଦିନ ବ୍ୟବଧାନ ପରେ ମିଡିଆ ସାମ୍ନାକୁ ଆସିଲେ ସୌମ୍ୟ । ଖାଲି ଆସିଲେ ତାହା ନୁହେଁ ବରଂ ନିର୍ବାଚନକୁ ନେଇ ସେ ଯାହା କହିଲେ ତାହା ନିଶ୍ଚୟ ବିଚାର ଯୋଗ୍ୟ ।