ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମନ୍ତ୍ରୀ ପ୍ରତାପ ଜେନା

ରାଜ୍ୟରୁ ପୁଷ୍ଟିହୀନତା ଦୂର ପାଇଁ ଆରମ୍ଭ ହୋଇଛି ‘ମୋ ଉପକାରୀ ବଗିଚା’ । ରାଜ୍ୟ ଜୀବିକା ମିଶନ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଲୋକେ ଆବଶ୍ୟକ କରୁଥିବା ପନିପରିବା ଗୁଡିକୁ ନିଜ ନିଜ ବାଡି ବଗିଚାରେ ଫଳାଇବେ । ଏହା ଦ୍ୱାରା ଲୋକେ ସତେଜ ଓ ଜୈବିକ ପନିପରିବା ପାଇପାରିବେ ଏବଂ ରାଜ୍ୟରୁ ପୁଷ୍ଟିହୀନତା ଦୂରରେ ଯୋଜନା ସହାୟକ ହେକ୍ତ ବୋଲି ଆଶା ପ୍ରକାଶ କରିଛନ୍ତି ରାଜ୍ୟ ପଞ୍ଚାୟତି ରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ।

ଆୟୋଜିତ ଆଜ୍‍ମୀ ପ୍ରେମଜୀ ଫିଲାନ୍‍ଥ୍ରୋପି ସଂସ୍ଥା ସହଯୋଗରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ରାଜ୍ୟ ଜୀବିକା ମିଶନ ଦ୍ୱାରା ଆୟୋଜିତ ପୁଷ୍ଟିସାର ପ୍ରୋତ୍ସାହନ ଆର୍ନ୍ତଜାତୀୟ କର୍ମଶାଳାକୁ ମନ୍ତ୍ରୀ ଶ୍ରୀ ଜେନା ଉଦ୍‍ଘାଟନ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୨୦୦୫-୦୬ ବେଳକୁ ରାଜ୍ୟରେ ଶିଶୁ ମୃତ୍ୟୁହାର ୬୫ ପ୍ରତିଶତ ଥିବାବେଳେ ୨୦୧୫-୧୬ ବେଳକୁ ଏହା ହ୍ରାସପାଇ ୪୦ ପ୍ରତିଶତରେ ପହଞ୍ଚିଛି । ଶିଶୁ ମୃତ୍ୟୁର ପ୍ରମୁଖ କାରଣ ପୁଷ୍ଟିହୀନତା ହୋଇଥିବାବେଳେ ରାଜ୍ୟକୁ କିଭଳି ପୁଷ୍ଟିହୀନ ମୁକ୍ତ କରାଯିବ ସରକାର ସେ ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କର୍ମଶାଳାରେ ଯୋଗଦେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେବା ସହିତ ପୁଷ୍ଟିହୀନ ମୁକ୍ତ ପଞ୍ଚାୟତ ଗୁଡିକୁ ରାଜ୍ୟ ସରକାର ଆଗାମୀ ଦିନରେ ପୁରସ୍କୃତ କରିବେ ବୋଲି ସୂଚନା ଦେଇଥିଲେ । ସେ କହିଥିଲେ ଯେ ପୁଷ୍ଟି ସୁରକ୍ଷା ନିମନ୍ତେ ଚାଷବାସ ଓ ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ଓ ଏଥିସହିତ ମହିଳା ସଶକ୍ତୀକରଣ ଦ୍ୱାରା ବି ପୁଷ୍ଟି ସୁରକ୍ଷା କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥାଏ । ଓଡ଼ିଶା ସରକାରଙ୍କ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ‘ଓଡ଼ିଶା ଜୀବିକା ମିଶନ’, ଏ.ପି.ପି.ଆଇ., ସାଧନ ଏନ.ଜି.ଓ. ଲିଭିଙ୍ଗ୍ ଫାର୍ମସ, ହର୍ଷ ଟ୍ରଷ୍ଟ ଓ ପ୍ରଦାନର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚାଷବାସ, ଜଙ୍ଗଲ ଓ ଛେଳି ଓ କୁକୁଡ଼ା ପାଳନ ଦ୍ୱାରା ପରିବାର ସ୍ତରରେ ଖାଦ୍ୟ ବିବିଧତା ବୃଦ୍ଧି କରି ସ୍ୱାସ୍ଥ୍ୟ ଓ ପୁଷ୍ଟିରେ ଉନ୍ନତି ଅଣାଯାଇପାରିବ ବୋଲି ଶ୍ରୀ ସିଂହ କହିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ମୋ ଉପକାରୀ ବଗିଚା ଆରମ୍ଭ କରାଯିବା ନେଇ ଖୁସି ବ୍ୟକ୍ତ କରିବା ସହିତ ପୁଷ୍ଟିହୀନତା ଦୂର ଲାଗି ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ । ଇତି ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ପୁଷ୍ଟିହୀନତା ଦୂରରେ ତାହା ବେଶ୍‍ ସହାୟକ ହୋଇଛି ।

ଏହି କର୍ମଶଳାରେ ଅଜିମ୍‍ ପ୍ରେମ୍‍ଜୀ ଫିଲାନ୍‍ଥ୍ରୋପିକ ସିଇଓ ଆନନ୍ଦ ସ୍ୱାମୀନାଥନଙ୍କ ସମେତ ବାଂଲାଦେଶ ଓ ଫିଲିପାଇନ୍ସ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ‘ସୌହାର୍ଦ୍ଦୋ’ କାର୍ଯ୍ୟକ୍ରମ ମାଧ୍ୟମରେ ବାଂଲାଦେଶ ସରକାର କିପରି ଲିଙ୍ଗଗତ ନିର୍ବିଶେଷରେ ଖାଦ୍ୟ ଓ ପୁଷ୍ଟିର ସୁରକ୍ଷା ହାସଲ କରିପାରିଛନ୍ତି, ସେ ବିଷୟରେ ବାଂଲାଦେଶ ସରକାରଙ୍କ ପ୍ରତିନିଧି ପ୍ରକାଶ କରିଥିଲେ । ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମରେ ମହିଳା ମାନେ ଚାଷବାସର ନିଷ୍ପତି ନେବାରେ ଅଂଶଗ୍ରହଣ କରିବେ ଓ ଏହାର ଅଧିକ ଦୀର୍ଘସ୍ଥାୟୀ ହେବ ବୋଲି କୃଷି ବିଭାଗର ପ୍ରମୂଖ ସଚିବ ଡ. ସୌରଭ ଗର୍ଗ ମତ ପ୍ରକାଶ କରିଥିଲେ । ରାଜ୍ୟ ଜୀବିକା ମିଶନର ନିର୍ଦ୍ଦେଶକ ସ୍ମୃତି ରଂଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love