ମୁଖ୍ୟମନ୍ତ୍ରୀଙ୍କୁ ଆହୁରି ଜନପ୍ରିୟ କରାଇଛି ‘ମୋ ସରକାର’ ଓ 5T

ଭୁବନେଶ୍ୱର: ରାଜ୍ୟ ଶାସନ ବ୍ୟବସ୍ଥାକୁ ଗତିଶୀଳ କରାଇବା ଏବଂ ଲୋକଙ୍କ ନିକଟକୁ ସରକାରୀ ସହାୟତାର ସୁଫଳ ପହଞ୍ଚାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ମୋ ସରକାର’ ଏବଂ 5T ଲାଗୁ କରିଥିଲେ। ଏବେ ଏହା ରାଜ୍ୟ ସରକାରଙ୍କ ଲୋକ ପ୍ରିୟତା  ବୃଦ୍ଧି କରିବାରେ ମୋ ସରକାର ଏବଂ 5T ବେଶ୍ ସହାୟକ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୧୭ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଖାସ୍ତ କିମ୍ବା ଦଣ୍ଡିତ କରିଛନ୍ତି ।   ଅବସର ନେଇଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀ ମଧ୍ୟ ଏଥିରୁ ବାଦ୍‌ ପଡି ନାହାନ୍ତି।

ବିଜୁ ଜନତା ଦଳ(ବିଜେଡି) ୨୦୧୯ ନିର୍ବାଚନରେ ୧୪୭ ଆସନରୁ ୧୧୨ଟିରେ ବିଜୟୀ ହୋଇ କ୍ରମାଗତ ପଞ୍ଚମ ଥର ସରକାର ଗଢିଛି।  ନବୀନ ପଟ୍ଟନାୟକ‌ ତାଙ୍କର ପଞ୍ଚମ ପାଳିରେ ଅନେକ ଜନ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ  କରିଛନ୍ତି । ଏଥି ମଧ୍ୟରୁ ମୋ ସରକାର’ ଏବଂ 5T ଅନ୍ୟତମ ।  ୨୦୧୯ ମସିହା ଗାନ୍ଧୀ ଜୟନ୍ତୀ ଅବସରରେ ମୋ ସରକାର ଯୋଜନା ଶୁଭାରମ୍ଭ ହୋଇଥିଲା।

୨୦୨୦ ଜୁଲାଇ ୮ ତାରିଖରେ ମୁଖ୍ୟମନ୍ତ୍ରୀ ଆଉ ଏକ ପଦକ୍ଷେପ ଗ୍ରହଣ କରିଥିଲେ। 3-T ରେ ଆହୁରି ଦୁଇଟି T ଯୋଡାଯାଇଥିଲା। ଏହା 5Tର ରୂପ ନେଇଥିଲା । ବିଭିନ୍ନ ସରକାରୀ ବିଭାଗ ଏହାର ଅଧୀନରେ ଆସିଥିଲେ। (teamwork, transparency, technology, time and transformation) ଏହି ୫ଟିକୁ ପାଥେୟ କରି ସରକାରୀ ବିଭାଗର କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିବା ସହ ସରକାରୀ ଯୋଜନାର ବ୍ୟାପକତାକୁ ଆହୁରି ବୃଦ୍ଧି କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ଲୋକଙ୍କ ପାଖରେ ଏହାର ସୁବିଧା ସୁଯୋଗ ପହଞ୍ଚିଛି କି ନାହିଁ ନିଜେ ତଦାରଖ କରିବା ସହ ହିତାଧିକାରୀମାନଙ୍କ ସହ ଫୋନ୍‌ରେ ସିଧାସଳଖ କଥାବାର୍ତ୍ତା କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ସଚିବ ଭିକେ  ପାଣ୍ଡିଆନ୍‌ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ରାଜ୍ୟର ଅଭ୍ୟନ୍ତରୀଣ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ପ୍ରତ୍ୟକ୍ଷ  ଭାବେ ତଦାରଖ କରୁଛନ୍ତି । ନବୀନଙ୍କ ଲକ୍ଷ୍ୟକୁ ପୂରଣ କରିବା ସହ ସାଧାରଣଲୋକଙ୍କୁ ସରକାରୀ ଯୋଜନାର ସମସ୍ତ ସୁବିଧା ପହଞ୍ଚାଇଦେବା ପାଇଁ ଏହା ବେଶ୍‌ ସଫଳ ଭାବେ କାର୍ଯ୍ୟ କରିଛି । ସରକାରଙ୍କ ପ୍ରତି ଲୋକଙ୍କ ବିଶ୍ୱାସ  ବୃଦ୍ଧି ପାଇଛି । ଏହା ନବୀନଙ୍କୁ ଲୋକଙ୍କର ଆହୁରି ନିକଟତର କରାଇଥିବା ବେଳେ, ଲୋକମାନେ ସରକାରଙ୍କର ନିକଟତର ହୋଇଛନ୍ତି ।

ଦୁର୍ନୀତି ବିକାଶର ମୁଖ୍ୟ ପ୍ରତିବନ୍ଧକ ହୋଇଥିବା ବେଳେ ମୋ ସରକାର ଏବଂ 5T ଦୁର୍ନୀତି ବିରୋଧରେ ଏକ ଅସ୍ତ୍ର ଭାବେ କାର୍ଯ୍ୟ କରୁଛି। ଏହା ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନିତ୍ୱ କରୁଛି।   ଦୁର୍ନୀତି ହ୍ରାସ ପାଇଥିବା  ବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଦଣ୍ଡିତ ହୋଇଛନ୍ତି ।  ଏଥିଯୋଗୁଁ  ସାଧାରଣ ଲୋେକ ଲାଭବାନ୍‌ ହେଉଛନ୍ତି ବୋଲି ଭୁବନେଶ୍ୱର ନାଗରିକ ମଞ୍ଚର ସଚିବ ଶୁଭ୍ରାଶୁଂ ରଥ ପ୍ରକାଶ କରିଛନ୍ତି ।

ସରକାରୀ କର୍ମଚାରୀ ଏବଂ ଅଧିକାରୀମାନେ ମୋ ସରକାର ଯୋଜନାରେ ବିଭିନ୍ନ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହୁଛନ୍ତି । ଅନେକ ଉଚ୍ଚପଦସ୍ଥ ଅଧିକାରୀକୁ ଏହି ଯୋଜନାରେ ଦୁର୍ନୀତି ଅଭିଯୋଗରେ  ବାଧ୍ୟତାମୂଳକ ଅବସର ଦିଆଯାଇଛି । କରୋନା କାଳରେ 5Tର ସୁଫଳ ସମସ୍ତେ ଅନୁଭବ କରିପାରିଛନ୍ତି । ଏହା କରୋନା ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥିବା ବେଳେ ସଂକ୍ରମିତଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସହାୟକ ହୋଇଛି ।

ଲୋକଙ୍କ ଜୀବନ ଜୀବିକାକୁ କରୋନା କବଳିତ ଏବଂ ପ୍ରଭାବିତ କରିଥିବା ବେଳେ 5T ଯୋଗୁଁ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାର ଲାଭ ମିଳି ପାରିଛି । ଅନେକ ଉଚ୍ଚପଦସ୍ଥ ଅଧିକାରୀ କରୋନା କାଳରେ ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ଏବଂ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଥିଲେ । ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ ବୁଲି ଦେଖିଥିଲେ । ରାଜ୍ୟ ସରକାରଙ୍କର ଏହି ପଦକ୍ଷେପକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି ।

Spread the love