ମୋ ସରକାର ପ୍ରଭାବ: ଗୋଟିଏ ଫୋନରେ ଗଲା ଜିଆରଏସଙ୍କ ଚାକିରି

ବଦଳିଛି ପଞ୍ଚମ ପାଳିର ନବୀନ ସରକାରଙ୍କ ଶାସନ ବ୍ୟବସ୍ଥା। ଦୋଷ କଲେ ତୁରନ୍ତ ନେଉଛନ୍ତି କାର୍ଯ୍ୟାନୁଷ୍ଠାନ। କାହାରିକୁ କ୍ଷମା ନାହିଁ। ମୋ ସରକାର’ ଅଭିଯାନ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲେରାନ୍ସ ନୀତିର ପୁଣି ଏକ ଉଦାହରଣ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ,  ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପଶ୍ଚିମବାଡ୍ ପଂଚାୟତର ଜଣେ ହିତାଧିକାରୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଗୁରୁବାର ଦିନ ଫୋନ୍ କରାଯାଇଥିଲା । ଗ୍ରାମୀଣ ଗୃହ ନିର୍ମାଣରେ ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି କି? ଏହି ପ୍ରଶ୍ନ ଶୁଣିଲା ପରେ ହିତାଧିକାରୀଜଣଙ୍କ ତାଙ୍କ ପ୍ରତି ଅବିଚାର ହୋଇଥିବା କହିଥିଲେ। ସେ କହିଥିଲେ ତାଙ୍କର ଫଟୋ ଅପଲୋଡ୍ କରିବାକୁ ଅଧିକାରୀ ଟଙ୍କା ନେଇଛନ୍ତି । ଘର କାମ ବିଲ୍ ପେମେଣ୍ଟ ପାଇଁ ମଧ୍ୟ ଟଙ୍କା ନେଇଛନ୍ତି । ହିତାଧିକାରୀଙ୍କଠାରୁ ଏହି ଉତ୍ତର ପାଇଲା କ୍ଷଣି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଆରମ୍ଭ ହେଲା ତନାଘନା । ଜିଲ୍ଲାପାଳ ନିଜେ ୧୦/୧୫ ଜଣ ହିତାଧିକାରୀଙ୍କୁ ଭେଟି ଏହାର ସତ୍ୟାସତ୍ୟ ଜାଣିବାକୁ ନିର୍ଦ୍ଦେଶ ଦିଆଗଲା । ସଂପୃକ୍ତ ହିତାଧିକାରୀଙ୍କ କଥା ସତ ବୋଲି ଜିଲ୍ଲାପାଳ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ପଶ୍ଚିମବାଡ୍ ଗ୍ରାମପଞ୍ଚାୟତର ଟଙ୍କା ନେଇଥିବା ଜିଆରଏସ ସବିତା ପୃଷ୍ଟିଙ୍କୁ ଚାକିରିରୁ ବିଦା କରାଯାଇଛି। ପିଇଓ ସୁଶାନ୍ତ କୁମାର ଜେନାଙ୍କୁ ମଧ୍ୟ ସେଠାରୁ ହଟା ଯାଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଜେଇ ଦୀନେଶ କୁମାର ଅଢ଼ାଙ୍କୁ ମଧ୍ୟ ଗ୍ରାମପଞ୍ଚାୟତରୁ ଅନ୍ତର କରାଯାଇଛି । ଖାଲି ସେତିକି ନୁହେଁ, ଗ୍ରାମପଞ୍ଚାୟତର ସବୁ ହିତାଧିକାରୀଙ୍କ ସମସ୍ତ କିସ୍ତି ଟଙ୍କା ପ୍ରଦାନ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।

Spread the love