ନିଜ ଝିଅ ପାଇଁ ମୋବାଇଲ୍ କିଣିଲେ ଚା ବିକାଳି, ଡିଜେ ବଜାଇ ଘୋଡା ଗାଡିରେ ବସାଇ ଶୋଭା ଯାତ୍ରାରେ ଘରକୁ ଆଣିଲେ

ଶିବପୁରୀ ୨୨।୧୨: ବିବାହ ଶୋଭାଯାତ୍ରା ହେଉ କି ପ୍ରତୀମା ବିସର୍ଜନ ହେଉ ଏହି ସମୟରେ ଆପଣମାନେ ଡିଜେ, ଲାଇଟ୍ ସାଉଣ୍ଡ ସହ ନାଚ ଗୀତ ଦେଖିଥିବେ। କେବେ ଦେଖିଛନ୍ତି ଘରକୁ ନୂଆ ମୋବାଇଲ ଆସିଲେ ଠିକ୍ ଏହି ପରି ଡିଜେ ସାଉଣ୍ଡ ସହ ଶୋଭାଯାତ୍ରା ବାହାର କରାଯାଇ ଖୁସି ପାଳନ କରାଯିବ। ଏମିତି କିଛି ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶ ଶିବପୁରୀରେ। ଜଣେ ଚା ବିକାଳି ୫ ବର୍ଷ ଝିଅ ପାଇଁ ମୋବାଇଲ କିଣିବାରୁ ତାର ଧୂମଧାମ ସ୍ଵାଗତ କରିଛନ୍ତି। ଡିଜେ ମଗାଇ, ଆଲୋକମାଳାରେ ସୁସଜ୍ଜିତ ଘୋଡା ଗାଡିରେ ଝିଅକୁ ବସାଇ ଶୋଭାଯାତ୍ରା ବାହାର କରିଛନ୍ତି। ଏହି ସମୟରେ ଜବରଦସ୍ତ ନାଚ-ଗୀତ ମଧ୍ୟ ହୋଇଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ମଜାର କଥା ମୋବାଇଲର ଦାମ ୧୨,୫୦୦ ଟଙ୍କା। ସେ ପୁଣି ଫାଇନାନ୍ସରେ କିଣିଛନ୍ତି। ଆଉ ଘୋଡା ଗାଡି ଏବଂ ଡିଜେ ବାବଦରେ ଖର୍ଚ୍ଚ କରିଛନ୍ତି ୨୨ ହଜାର।

ସହରର ନୀଲଗର ଛକରେ ମୁରାରୀ କୁଶଓ୍ଵାହା ସାଇକେଲ୍‌ରେ ଚା ବିକ୍ରି କରନ୍ତି। ମୁରାରୀ କହିଛନ୍ତି, ଝିଅ ଦୁଇ ବର୍ଷରୁ ମୋବାଇଲ ଆଣିବାକୁ ଜିଦ୍ ଧରି ବସିଥିଲା। ମୁଁ ତାକୁ ପ୍ରତିଶ୍ରୁତି ଦେଇଥିଲି ଯେ, ତା ପାଇଁ ଯେବେ ମୋବାଇଲ କିଣିବି ତାର ସ୍ଵାଗତ ବରଯାତ୍ରୀଙ୍କ ପରି ଶୋଭାଯାତ୍ରା ଆୟୋଜନ କରିବି। ମୁଁ ଝିଅ ପାଇଁ ୧୨ ହଜାର ୫୦୦ ଟଙ୍କାର ମୋବାଇଲ ଫାଇନାନ୍ସରେ କିଣିଛି। ପ୍ରତିଶ୍ରୁତି ପୂରଣ କରିବାକୁ ମୁଁ ଢୋଲ-ବାଜା ଓ ଘୋଡା ଗାଡି ସହ ଶୋଭାଯାତ୍ରା ବାହାର କରିଛି। ଏହି ସମୟରେ ଆତସବାଜି ମଧ୍ୟ କରାଯାଇଛି। ଏହି ଶୋଭାଯାତ୍ରା ମୋବାଇଲ ଦୋକାନରୁ ଘର ପର୍ଯ୍ୟନ୍ତ ଆସିଥିଲା, ଯେମିତି କୌଣସି ବରଯାତ୍ରୀ ଆସିଥାଏ। ଏହା ପରେ ସେ ଘରେ ନିଜ ବନ୍ଧୁମାନଙ୍କୁ ପାର୍ଟି ଦେଇଛନ୍ତି।

Spread the love