ମୋଦୀ ସରକାରଙ୍କ ୧୦୦ ଦିନ: ରାଜଧାନୀରେ ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ୧୦୦ ଦିନ ପୁରିଛି । ସରକାରଙ୍କ ଶହେ ଦିନର ସଫଳତାକୁ ବଖାଣିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ମନସୁଖ୍ ମାଣ୍ଡଭିୟେ ଭୁବନେଶ୍ବରରେ କେନ୍ଦ୍ର ସରକାରଙ୍କ ଶହେ ଦିନ ସଫଳତା ବଖାଣିବା ସହିତ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇଛନ୍ତି। ସେପଟେ କଂଗ୍ରେସ ମୋଦୀ ସରକାରଙ୍କୁ ସମାଲୋଚନା କରିଥିବାବେଳେ ବିଜେଡି ମାପିଚୁପି ମନ୍ତବ୍ୟ ରଖିଛି । ମୋଦୀ ୨.୦ର ଶହେ ଦିନ ସଫଳତା । କେନ୍ଦ୍ର ସରକାରଙ୍କ ଦ୍ବିତୀୟ ପାଳିର ଶହେ ଦିନର ସଫଳତା ହିସାବ । ଭୁବନେଶ୍ବରରେ ସରକାରଙ୍କ ସଫଳତା ବଖାଣିଛନ୍ତି  କେନ୍ଦ୍ର ଜାହଜ ଚଳାଚଳ,  ସାର ଓ ରସାୟନ ମନ୍ତ୍ରୀ ମନସୁଖ ମଣ୍ଡଭିୟେ ।କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଦେଶର ବିକାଶ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର। କେନ୍ଦ୍ରର ବିକାଶ ଏଜେଣ୍ଡାରେ ଫୋକସରେ ଓଡ଼ିଶା ଅଛି ବୋଲି ବଖାଣିଛନ୍ତି।

ଏହି ଶହେ ଦିନ ଭିତରେ ଓଡ଼ିଶାକୁ ୧୬ ହଜାର ୬୦୫ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି ବୋଲି କହିଛନ୍ତି। ଓଡିଶାକୁ କାମ୍ପା ସହାୟତା ବାବଦରେ ୫ ହଜାର ୯୩୩.୯୮ କୋଟି , ରେଳବାଇରେ ୫ ହଜାର ୯୯୩ କୋଟି, ବାତ୍ୟା ଫନି ସହାୟତା ବାବଦକୁ ୪ ହଜାର ୬୭୮.୨୨ କୋଟି ସହାୟତା ଦିଆଯାଇଥିବା କହିଛନ୍ତି ମଣ୍ଡଭିୟେ। ଏଥିସହିତ ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଅପିଲ କରିଛନ୍ତି। ବିଜେପି ସରକାରର ଶହେ ଦିନର ସଫଳତା ବଖାଣିଛି ।ଏପଟେ କେନ୍ଦ୍ରମନ୍ତ୍ରୀଙ୍କ ଏହି ସବୁକୁ ସମାଲୋଚନା କରି କଂଗ୍ରେସ କହିଛି ସଫଳତା କାହାଣୀ କହିବାକୁ ବିଜେପିର ନୈତିକ ଅଧିକାର ନାହିଁ । ସରକାର ଆସିବା ପରେ ଦେଶର ଅର୍ଥନୀତି ତଳକୁ ଖସିଛି । ଜିଡିପି ୫ ପ୍ରତିଶତରେ ପହଞ୍ଚିଛି । ସେପଟେ ବିଜେଡି ମାପିଚୁପି ମତ ରଖିଛି । ଶହେ ଦିନର ସଫଳତା ନେଇଲୋକଙ୍କ ପାଖରେ ପହଞ୍ଚିବାକୁ ଚାହୁଁଛି ବିଜେପି। ଧାରା ୩୭୦ ଠାରୁ ଆରମ୍ଭ କରି ଆୟକର ଆଦାୟ ବଢ଼ିବା, ଟ୍ରିପିଲ ତଲାକ ନିରୋଧୀ ଆଇନ ଆଣିବା ଭଳି ପ୍ରସଙ୍ଗ ଲୋକଙ୍କ ନିକଟରେ ରଖୁଛି। ଯାହାକୁ କାଉଣ୍ଟର କରୁଛନ୍ତି ବିରୋଧୀ। ତେଣୁ ଲୋକେ ହିଁ ବିଚାର କରିବେ।

Spread the love