ଜରୁରୀକାଳୀନ ପରିସ୍ଥିତିକୁ ପୂରିଲା ୪୫ ବର୍ଷ, କଂଗ୍ରେସ ଉପରେ ବର୍ଷିଲା ବିଜେପି

ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ୪୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ କେନ୍ଦ୍ରର ଶାସକ ଦଳ ବିଜେପି କଂଗ୍ରେସ ବିରୋଧରେ ବର୍ଷିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ନେତା ଟୁଇଟ୍ କରି ସେଦିନର କଥାକୁ ମନେ ପକାଇ ଦେଇଛନ୍ତି। ସେହି ସମୟରେ ଯେଉଁମାନେ ଜେଲ୍ ଯାଇଥିଲେ, ଲାଠି ମାଡ଼ର ଶିକାର ହୋଇଥିଲେ ସେମାନଙ୍କ ଅବଦାନକୁ ଭୁଲିହେବନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି, “ଆଜିକୁ ୪୫ ବର୍ଷ ପୂର୍ବେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହି ସମୟରେ ଦେଶର ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଯେଉଁମାନେ ସଂଘର୍ଷ କରିଛନ୍ତି, ଅନେକ ସମସ୍ୟାର ଶିକାର ହୋଇଛନ୍ତି ସେମାନଙ୍କୁ ମୁଁ ପ୍ରଣାମ କରୁଛି! ସେମାନଙ୍କର ତ୍ୟାଗ ଏବଂ ବଳିଦାନ ଦେଶ କେବେ ଭୁଲିବ ନାହିଁ”। ମୋଦି ଟୁଇଟ୍ କରିବା ସହିତ ମନ୍ କୀ ବାତର ଏକ ଅଡିଓ ମଧ୍ୟ ଜାରି କରିଛନ୍ତି। ଯେଉଁଥିରେ ଜରୁରୀକାଳୀନ ପରିସ୍ଥିତି ବେଳେ କିଭଳି ଲୋକମାନେ ଆକ୍ରୋଶର ଶିକାର ହୋଇଥିଲେ ସେ ବାବଦରେ କହିଛନ୍ତି।ସେହିପରି ଅମିତ ଶାହ ମଧ୍ୟ ଟୁଇଟ୍ କରିଛନ୍ତି। ୪୫ ବର୍ଷ ପୂର୍ବେ କ୍ଷମତା ଲୋଭ ପାଇଁ ଗୋଟିଏ ପରିବାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା। କଂଗ୍ରେସ ନେତା ଏବେ ହତାଶ ହୋଇ ପଡ଼ିଲେଣି। ଦେଶରେ ଗଣତନ୍ତ୍ର ରହିଛି। ହେଲେ ଦଳରେ ନାହିଁ। ସେହିପରି ଦଳର ଜଣେ ମୁଖପାତ୍ର କିଛି ମତ ରଖିବାରୁ କିଛି ନବୁଝି ସୁଝି ତାଙ୍କୁ ଦଳର ମୁଖପାତ୍ର ପଦବୀରୁ ହଟାଇ ଦିଆଯାଇଛି।

Spread the love