ପ୍ୟାରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଫ୍ରାନ୍ସର ଜାତୀୟ ଦିବସରେ ହେବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଫ୍ରାନ୍ସ ଆରମ୍ଭ ହୋଇଛି । ଗୁରୁବାର ଅପରାହ୍ଣ ୪ଟାରେ (ଭାରତୀୟ ସମୟ)ରେ ସେ ପ୍ୟାରିସର ଓ୍ବର୍ଲି ବିମାନବନ୍ଦରରେ ଓହ୍ଲାଇଥିଲେ । ବିମାନବନ୍ଦରରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବୋର୍ନ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ। ଫ୍ରାନ୍ସର ଜାତୀୟ ଦିବସ ଅର୍ଥାତ୍ ବାଷ୍ଟିଲ ଦିବସରେ ତାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।

ଫ୍ରାନ୍ସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାରିସର ଲା ସିଏନ୍ ମ୍ୟୁଜିକାଲେଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ। ଭାରତୀୟ ଦୂତାବାସ ଓ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଲା ସିଏନ୍ ମ୍ୟୁଜିକାଲେ ଏବେ ‘ନମସ୍ତେ ଫ୍ରାନ୍ସ’ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ ର ଆୟୋଜନ କରୁଛି। ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ପରେ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସରକାରୀ ବାସଭବନ ଏଲସି ପ୍ୟାଲେସ ଯିବେ । ଯେଉଁଠାରେ ମାକ୍ରୋନ୍ ସେମାନଙ୍କ ପାଇଁ ଏକ ବ୍ୟକ୍ତିଗତ ରାତ୍ରୀ ଭୋଜନ ରଖିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହେବ । ଭାରତ ନିଜର ନୌସେନା ପାଇଁ ୨୬ଟି ରାଫେଲ-ଏମ ବିମାନ କିଣିବା ବିଷୟରେ ବି ଏହି ଅବସରରେ ଘୋଷଣା କରାଯାଇପାରେ ।

ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ୨୫ ବର୍ଷ ପୂରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ହେଉଛି । ୨୦୦୯ମସିହାରେ ମନମୋହନ ସିଂହ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ବାଷ୍ଟିଲ ଦିବସରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ ପାଇଥିଲେ।

Spread the love