ବାରାଣାସୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ! ନୂଆ ଷ୍ଟାଡିୟମର ଶିଳାନ୍ୟାସ କଲେ ମୋଦୀ

ବାରାଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶରେ ୧୫୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ସେ ବାରଣାସୀରେ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି  । ଏହା ସହିତ ୧୬ଟି ଅଟଳ ଆବାସିକ ବିଦ୍ୟାଳୟର ଉଦଘାଟନ କରିଛନ୍ତି । ସୂଚନା ଅନୁସାରେ ବାରଣାସୀର ଗଞ୍ଜାରୀ ରଜତାଲାବଠାରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମକୁ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ୩୦ ଏକରରୁ ଅଧିକ ଅଞ୍ଚଳରେ ନିର୍ମାଣ କରାଯିବ। ତେବେ ଏହି ଷ୍ଟାଡିୟମର ବିଶେଷତା ହେଲା ଏହାର ଡିଜାଇନ । ବାରାଣାସୀ ଭଗବାନ ଶିବଙ୍କ ନଗରୀ ହୋଇଥିବାରୁ ଷ୍ଟାଡିୟମର ଡିଜାଇନରେ ଶିବଙ୍କ ଛାପ ଦେଖିବାକୁ ମିଳିବ । ଷ୍ଟାଡିୟମର ଛାତ ଶିବଙ୍କ ମୁଣ୍ଡରେ ଥିବା ଅର୍ଦ୍ଧଚନ୍ଦ୍ର ଆକୃତିର ରହିଛି । ଫ୍ଲଡ୍ ଲାଇଟର ଆକୃତି ତ୍ରିଶୂଳ ଆକୃତିର ହୋଇଥିବାବେଳେ ଦର୍ଶକ ଗ୍ୟାଲେରୀ ଗୁଡ଼ିକ ବନାରସର ଗଙ୍ଗାଘାଟର ଆକୃତିର ରହିଛି । ସେହିପରି ଷ୍ଟାଡିୟମ ଚାରିପଟେ ଥିବା ଧାତବ ଡିଜାଇନ ବେଲପତ୍ର ଆକୃତିର ଥିବାବେଳେ ଷ୍ଟାଡିୟମର ପ୍ରବେଶ ତୋରଣ ଉପରେ ଏକ ଡମ୍ବରୁ ରଖାଯାଇଛି । ଉତ୍ତରପ୍ରଦେଶରେ ଏବେ କାନପୁର ଓ ଲକ୍ଷ୍ନୌରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଛି । ଷ୍ଟାଡିୟମଟି କାର୍ଯ୍ୟକ୍ଷମ ହେଲେ ବାରାଣାସୀ ହେବ ରାଜ୍ୟର ୩ୟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ । ନୋଏଡାରେ ବି ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଥିଲେ ବି ସେଠାରେ ବିସିସିଆଇ କୌଣସି ମ୍ୟାଚ ଆୟୋଜନ କରିନଥାଏ ।

Spread the love