ମୋଦୀ ମଡେଲ ଆପଣାଇଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ:  ଦିଲ୍ଲୀରେ ସମସ୍ତଙ୍କୁ ବିଦ୍ୟୁତ୍ ସବସିଡି ମିଳୁଥିବା ‌ବେଳେ ଅକ୍ଟୋବର ୧ରୁ ଏଥିରେ ପରିବର୍ତ୍ତନ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅକ୍ଟୋବର ୧ରୁ ଯେଉଁମାନଙ୍କୁ ଆବଶ୍ୟକ କେବଳ ସେହିମାନଙ୍କୁ ବିଦ୍ୟୁତ୍ ସବସିଡି ମିଳିବ। ୨୦୧୫ ମସିହାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଶକ୍ତି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବସିଡି ଛାଡ଼ ଅଭିଯାନ ଆରମ୍ଭ କରିଥିଲେ। ସେହି ଦିନଠାରୁ କିଛି ଲୋକ ନିଜଆଡୁ ସବସିଡି ନେବା ବନ୍ଦ କରିଦେଇଥିଲେ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ଧନୀ, ଯେଉଁମାନଙ୍କର ଆବଶ୍ୟକତା ନାହିଁ, ସେମାନେ ସବସିଡି ନେବା ଉଚିତ୍ ନୁହେଁ। ଏବେ ମୋଦୀଙ୍କ ଏହି ମଡେଲଙ୍କୁ କେଜ୍ରିୱାଲ ଆପଣାଇଥିବା କୁହାଯାଉଛି। କେଜ୍ରିୱାଲ କହିଛନ୍ତି ଯେ, ଅକ୍ଟୋବର ୧ ପରଠାରୁ ଦିଲ୍ଲୀରେ ବିଦ୍ୟୁତ୍ ସବସିଡି ଇଚ୍ଛାଧୀନ ହେବ। ଯଦି କୌଣସି ଉପଭୋକ୍ତା ବିଦ୍ୟୁତ୍ ସବସିଡି ଚାହୁଁଛନ୍ତି, ତେବେ ସେମା‌ନଙ୍କୁ ସବସିଡିଯୁକ୍ତ ମାଗଣା କିମ୍ବା ରିହାତି ଦରରେ ବିଦ୍ୟୁତ୍ ଯୋଗାଇ ଦିଆଯିବ। କିନ୍ତୁ ଯଦି କେହି ନିଜକୁ ଦକ୍ଷ ବୋଲି ଭାବନ୍ତି, ତେବେ ସେମାନେ ଦିଲ୍ଲୀ ସରକାରଙ୍କୁ ବିଦ୍ୟୁତ୍ ସବସିଡି ଚାହୁଁ ନଥିବା କହି ସାଧାରଣ ଦରରେ ବିଦ୍ୟୁତ୍ ବ୍ୟବହାର କରିପାରିବେ।ଉଲ୍ଲେଖାଯାଗ୍ୟ, ଦିଲ୍ଲୀରେ କ୍ଷମତାକୁ ଆସିବା ପରଠାରୁ ଆମ୍ ଆଦମୀ ପାର୍ଟି ସରକାର ଦିଲ୍ଲୀର ଲୋକଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପ୍ରଦାନ କରୁଛନ୍ତି। ଗ୍ରାହକଙ୍କୁ ବର୍ତ୍ତମାନ ୨୦୦ ୟୁନିଟ୍ ବ୍ୟବହାର ପର୍ଯ୍ୟନ୍ତ କୌଣସି ବିଲ୍ ଦେବାକୁ ପଡୁନାହିଁ। ଏହା ଦ୍ବାରା ଆର୍ଥିକ ଅବସ୍ଥା ଭଲ ନଥିବା ଲୋକମାନେ ଲାଭବାନ ହେଉଛନ୍ତି। ଏହା ସହିତ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ମଧ୍ୟ ଏହାର ଲାଭ ପାଉଛନ୍ତି।

Spread the love