ଅଫର ଏକ, ଫାଇଦା ଅନେକ

 (ଚାରୁ ଚନ୍ଦନ ଦାଶ ) : ଶେଷରେ ଲୋକସଭା ଉପବାଚସ୍ପତି ପାଇଁ ୱାଇଏସ୍ଆର୍ କଂଗ୍ରେସକୁ ମିଳିଲା ଅଫର୍ l ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଏନେଇ ଅଫର୍ ଦିଆଯାଇଥିବା ସୂଚନା ମିଳିଛି l ଆଉ ଏଥିରେ ବିଜେପି ଏବଂ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ପକ୍ଷରୁ ମଧ୍ୟସ୍ଥତା କରିଛନ୍ତି ବିଜେପି ନେତା ଜିଭିଏଲ୍ ନରସିମହା ରାଓ l ଜଗନଙ୍କ ସହ ଉପ ବାଚସ୍ପତି ପଦ ନେଇ ଜିଭିଏଲ୍ ଆଲୋଚନା କରିଛନ୍ତି l ବିଜେପିର ଏହି ଅଫରକୁ ପୂରାପୁରି ଗ୍ରହଣ କରି ନ ଥିଲେ ବି ଏଥିରେ ଜଗନ ଖୁସ୍ ଥିବା ତାଙ୍କର ଭାବଭଙ୍ଗୀରୁ ଜଣାପଡ଼ୁଛି l ପୂର୍ବରୁ ଉପ ବାଚସ୍ପତି ପଦ ନେଇ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ ଚର୍ଚ୍ଚା ହେଉଥିଲା l କିନ୍ତୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପରେ ଏଥିରେ ଯବନିକାପାତ ହୋଇଛି l କାରଣ ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଆଲୋଚନା ହୋଇ ନ ଥିବା ସ୍ପଷ୍ଟ କରିଥିଲେ  l ସେହିପରି ଶିବସେନା ମଧ୍ୟ ଏହି ପଦ ନେଇ ଇଚ୍ଛାପ୍ରକାଶ କରିଥିଲା l ମାତ୍ର ମୋଦିଙ୍କ ତରଫରୁ କୌଣସି ଅଫର୍ ନ ମିଳିବା ଫଳରେ ଶିବସେନା ଖପ୍ପା ଥିବା ଜଣାପଡ଼ିଛି l

ଆନ୍ଧ୍ର ପ୍ରଦେଶର ୨୫ ଲୋକସଭା ଆସନ ମଧ୍ୟରୁ ୨୨ ଲୋକସଭା ଆସନ ପାଇ ଲୋକସଭାରେ ଚତୁର୍ଥ ବୃହତ୍ ବିରୋଧୀ ଦଳ ଭାବେ ୱାଇଏସ୍ଆର୍ କଂଗ୍ରେସ ଉଭା ହୋଇଛି l ତେଣୁ, ଏହି ଦଳରୁ ଉପ ବାଚସ୍ପତି କଲେ ବିଜେପିକୁ ହିଁ ଫାଇଦା ଦେବ ଽ ସେହିପରି ଏହି ଆଳରେ ୱାଇଏସ୍ଆର୍ କଂଗ୍ରେସର ସରକାରଙ୍କୁ ବିରୋଧ କରିବାର ସମସ୍ତ ବାଟ ବନ୍ଦ ହୋଇଯିବ l

ଅନ୍ୟପଟେ ଏହି ପଦକୁ ସ୍ୱୀକାର କଲେ ୱାଇଏସ୍ଆର୍ କଂଗ୍ରେସକୁ ମଧ୍ୟ ଅନେକ ଫାଇଦା ମିଳିବ l
୧) ୱାଇଏସ୍ଆର୍ କଂଗ୍ରେସରୁ ଲୋକସଭାରେ ଉପବାଚସ୍ପତି ହେଲେ ମୋଦି ସରକାରଙ୍କୁ ବିରୋଧ କରିପାରିବ ନାହିଁ ଽ ଫଳରେ ମୋଦି ସରକାରଙ୍କ ଆହୁରି ନିକଟତର ହୋଇଯିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ l
୨) ୱାଇଏସଆର କଂଗ୍ରେସକୁ ଉପ ବାଚସ୍ପତି ପଦ ଦେଇ ଜଗନମୋହନଙ୍କୁ ସନ୍ତୁଷ୍ଟ କରିବାର ଗୋଟି ଚଳାଇଛନ୍ତି ମୋଦି l ଯାହା ଫଳରେ ଆଗକୁ ରାଜ୍ୟସଭାର ଗଣିତରେ ଏନଡିଏ ସବଳ ହୋଇ ପାରିବ l
୩) କଂଗ୍ରେସ ଉପରେ ଥିବା ପୁରୁଣା ପ୍ରତିଶୋଧ ଏହି ଆଳରେ ଜଗନମୋହନ ନେଇପାରିବେ l
୪) ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ହଟାଇ ଜଗନ ମୋହନ ସାରା ଦେଶରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି l ୨୦୧୩ ମସିହାରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୮ ମାସର ଜେଲ୍ ଦଣ୍ଡ ଭୋଗି ସାରିବା ପରେ ଜଗନ ମୋହନ ରେଡ୍ଡୀ ନିଜର ରାଜନୈତିକ ରଣନୀତି ପ୍ରସ୍ତୁତ କରିଥିଲେ l ଏହାପରେ ତେଲଙ୍ଗାନା ବିଭାଜନକୁ ବିରୋଧ କରି ପୂର୍ବତନ ଚନ୍ଦ୍ରବାବୁ ସରକାରଙ୍କ ରାସ୍ତାରେ କଣ୍ଟା ସାଜିଥିଲେ ଜଗନମୋହନ l ସରକାର ଭାଙ୍ଗିବାର ପ୍ରୟାସ ତାଙ୍କର ସେତେବେଳୁ ଆରମ୍ଭ ହୋଇଥିଲା l ୨୦୧୪ରେ ପ୍ରଶାନ୍ତ କିଶୋରଙ୍କ ସହାୟତାରେ ଚନ୍ଦ୍ରବାବୁଙ୍କୁ ଚେକ୍ ଦେବାର ପ୍ରଥମ ସୋପାନ ପାର କରିଥିଲେ ରେଡ୍ଡୀ l ଶହେ ଜଣ କର୍ମୀଙ୍କୁ ଏକାଠି କରି ୩ ହଜାର ୬ ଶହ ୪୮ କିଲୋମିଟର ପଦଯାତ୍ରା କରି ରେକର୍ଡ ସୃଷ୍ଟି କରିଥିଲେ ଜଗନମୋହନ l ମାତ୍ର ୩୪୧ ଦିନରେ ସେ ଏହି ପଦଯାତ୍ରା କରିଥିଲେ l ଏହାପରେ ୨୦୧୯ରେ ତାଙ୍କର ରଣନୀତି ସଫଳ ହୋଇଥିଲା l ୧୭୫ ଆସନରୁ ୧୫୧ ଆସନ ପାଇ ଆନ୍ଧ୍ର ପ୍ରଦେଶ ରାଜନୀତିରେ ନୂଆ ଇତିହାସ ସୃଷ୍ଟି କରିବା ସହ ରାଜ୍ୟବାସୀଙ୍କ ପ୍ରିୟ ନେତା ପାଲଟି ଯାଇଛନ୍ତି l

ତେଣୁ, ଏହାର ଫାଇଦା ତାଙ୍କୁ ମିଳିବ l ଏହାସହ ମୋଦିଙ୍କ ଅଫରକୁ ଗ୍ରହଣ କଲେ ଆନ୍ଧ୍ର ପ୍ରଦେଶକୁ ମଧ୍ୟ ଅଧିକ କେନ୍ଦ୍ରୀୟ ସହାୟତା ମିଳିବ l ତେଣୁ ମୋଟାମୋଟି ଭାବେ କହିଲେ, ଜଗନମୋହନ ଗୋଟିଏ ଗୁଳିରେ ଏକାଧିକ ଶିକାର କରିବେ l

 

Spread the love