‘ମନ କି ବାତ’ର କଳ୍ପନା ମୋଦୀଙ୍କ ମୁଣ୍ଡକୁ କାହିଁକି ଆସିଲା? ନିଜେ କାରଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ର ଆଜି ୧୦୦ ତମ ଏପିସୋଡର ପ୍ରସାରଣ କରାଯାଇଛି | ତେବେ ‘ମନ କି ବାତ’ର କଳ୍ପନା କାହିଁକି ଆସିଲା ସେନେଇ ଆଜି ମୋଦୀ ନିଜେ କହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ମୁଁ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଜନସାଧାରଣଙ୍କ ସହିତ ସ୍ୱାଭାବିକ ଭାବେ ଦେଖାସାକ୍ଷାତ ହୋଇପାରୁଥିଲା । ମୁଖ୍ୟମନ୍ତ୍ରୀଙ୍କ କାମ ଏବଂ କାର୍ଯ୍ୟକାଳରେ ଏଭଳି ଦେଖାସାକ୍ଷାତର ବହୁତ ସୁଯୋଗ ମିଳିଥାଏ । କିନ୍ତୁ ୨୦୧୪ରେ ଦିଲ୍ଲୀ ଆସିବା ପରେ ମୁଁ ଦେଖିଲି ଯେ, ଏଠାକାର ଜୀବନ ତ ସମ୍ପୂର୍ଣ୍ଣ ଭିନ୍ନ । କାମର ରୂପ ଭିନ୍ନ, ଦାୟିତ୍ୱ ଭିନ୍ନ, ସୁରକ୍ଷାର ବିଶାଳ ବ୍ୟବସ୍ଥା, ନିର୍ଦ୍ଧାରିତ ସମୟସୀମାରେ ଆରମ୍ଭରେ କିଛି ଅଲଗା ଅନୁଭବ କରୁଥିଲି, ଟିକିଏ ଏକାକୀପଣ ଲାଗୁଥିଲା । ୫୦ ବର୍ଷ ଆଗରୁ ମୁଁ ମୋ ନିଜ ଘର ଏଥିପାଇଁ ଛାଡ଼ି ନ ଥିଲି ଯେ, ଦିନେ ନିଜ ଦେଶବାସୀଙ୍କ ସହିତ ହିଁ ସମ୍ପର୍କ ରକ୍ଷା କରିବା କଷ୍ଟକର ହୋଇପଡିବ | ଯେଉଁ ଦେଶବାସୀ ମୋର ସବୁକିଛି, ସେମାନଙ୍କ ସହିତ ସମ୍ପର୍କ ଛିନ୍ନ କରି ମୁଁ ବଞ୍ଚିପାରିନଥାନ୍ତି ।

ମନ୍ କି ବାତ୍‌’ ମୋତେ ଏହି ଆହ୍ୱାନର ସମାଧାନ ଯୋଗାଇଦେଲା । ସାଧାରଣ ଲୋକଟିଏ ସହ ଯୋଡ଼ିହେବାର ରାସ୍ତା ଦେଖାଇଦେଲା । କାର୍ଯ୍ୟଭାର ଏବଂ ପ୍ରୋଟୋକଲ୍ ବ୍ୟବସ୍ଥା ମଧ୍ୟରେ ହିଁ ସୀମିତ ହୋଇ ରହିଲା ଏବଂ ଜନସାଧାରଣଙ୍କ ଭାବାବେଗ, କୋଟି କୋଟି ଜନସାଧାରଣଙ୍କ ସହିତ ମୋର ଭାବନା, ବିଶ୍ୱର ଅତୁଟ ଅଂଶ ପାଲଟିଗଲା | ପ୍ରତି ମାସରେ ମୁଁ ଦେଶର ଲୋକଙ୍କ ହଜାର ହଜାର ବାର୍ତ୍ତା ପଢ଼ିଥାଏ | ମୁଁ ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗର ପରାକାଷ୍ଠାର ଦେଖିଥାଏ ଓ ତାହାକୁ ଅନୁଭବ କରିଥାଏ । ଆପଣମାନଙ୍କ ଠାରୁ ଟିକିଏ ବି ଦୂରରେ ଥିବା ଭଳି ମୋତେ ଲାଗେନି । ମୋ ପାଇଁ ‘ମନ୍ କି ବାତ୍‌’ କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏହା ମୋ ପାଇଁ ଗୋଟିଏ ଆସ୍ଥା, ପୂଜା, ଉପାସନା । ଲୋକେ ଯେମିତି ଈଶ୍ୱରଙ୍କ ପୂଜା କରିବାକୁ ଯିବା ସମୟରେ ଭୋଗରାଗ ନେଇ ଯାଆନ୍ତି, ମୋ ପାଇଁ ‘ମନ୍ କି ବାତ୍‌’ ଈଶ୍ୱର ରୂପୀ ଜନତା-ଜନାର୍ଦ୍ଦନଙ୍କ ଚରଣରେ ନୈବେଦ୍ୟ ଅର୍ପଣ ସ୍ୱରୂପ । ‘ମନ୍ କି ବାତ୍‌’ ମୋ ମନର ଆଧ୍ୟାତ୍ମିକ ଯାତ୍ରା ପାଲଟିଯାଇଛି’ ।

Spread the love