ମେ’ ୩୦ରେ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶରେ ପୁଣିଥରେ ମୋଦି ଲହରୀ ଦେଖିବାକୁ ମିଳିଛି । ଲୋକସଭା ନିର୍ବାଚନ ୨୦୧୯ରେ ବିଜେପି ପୁଣି ଥରେ ଇତିହାସ ରଚିଛି । ବିଜେପିର ଏକ ବଡ଼ ସଫଳତାପରେ ଆସନ୍ତା ୩୦ ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେବାର ସୂଚନା ମିଳିଛି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଏକୁଟିଆ ୩୦୦ ଅଙ୍କ ଛୁଇଁଛି ଓ ଲୋକସଭା ନିର୍ବାଚନ ୨୦୧୯ରେ ବଡ ବିଜୟ ହାସଲ କରିଛି ।

ଏନଡିଏ ୩୫୦ ସିଟ ଆଖପାଖରେ ଥିବାବେଳେ କଂଗ୍ରେସ ପାଖାପାଖି ୫୦ ହିଁ ଛୁଇଁପାରିଛି । ଏହି ବଡ ସଫଳତା ପରେ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ସେଥିପାଇଁ କ୍ୟାବିନେଟ୍ ବୈଠକ ଡାକିଛନ୍ତି, ଯେଉଁଥିରେ ସେ ଅନେକ ବିଷୟ ଉପରେ ଚର୍ଚ୍ଚା କରିବେ ଓ ସରକାର ଶେଷ ହେବାର ଔପଚାରିକ କାମ ପୁରା କରିବେ ।

ସୂଚନାଯୋଗ୍ୟ, କ୍ୟାବିନେଟ୍ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ଭେଟିବେ ଓ ନିଜ ଇସ୍ତଫା ଦେବେ । ଏହାପରେ ରାଷ୍ଟ୍ରପତି, ମୋଦି ଓ ତାଙ୍କ ଦଳକୁ ନୂଆ ସରକାର ଗଢ଼ିବା ପାଇଁ ନିମନ୍ତ୍ରଣ କରିବେ । ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ମେ’ ରେ ପ୍ରଧାନମନ୍ତ୍ରୀ ପଦର ଶପଥ ନେଇପାରନ୍ତି । ଆଜି ଏନଡିଏର ବୈଠକ ମଧ୍ୟ ହୋଇପାରେ ।

Spread the love