ବିଜେପି ସରକାର ଆସିଲେ ରାଜ୍ୟରେ ଗୁଣ୍ଡାଗର୍ଦ୍ଦି ସମାପ୍ତ ହେବ :ନରେନ୍ଦ୍ର ମୋଦି

ହାରିବା ଭୟରେ ବିଜେଡି ମିଛ ପ୍ରଚାର କରୁଛି । ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ଆସିଲେ ଯୋଜନା ବନ୍ଦ ହୋଇଯିବ ବୋଲି ସେମାନେ କହୁଛନ୍ତି । ଅନ୍ୟପକ୍ଷେ ଓଡିଶାକୁ ଗୁଣ୍ଡାରାଜରୁ ମୁକ୍ତ କରିବାର ଆବଶ୍ୟକତା ରହିଛି । ବିଜେପି ସରକାରକୁ ଆସିଲେ ଓଡିଶାରେ ଗୁଣ୍ଡାଗର୍ଦ୍ଦି ଶେଷ ହେବ ବୋଲି ଭୁବନେଶ୍ୱରରେ ବିଶାଳ ରୋଡ ସୋ’ ପରେ ଭୁବନେଶ୍ୱର ବରମୁଣ୍ଡା ପଡିଆ ଠାରେ ଆୟୋଜିତ ବିଶାଳ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨ ଦିନ ତଳେ ବିଜେପି କାର୍ଯ୍ୟକର୍ତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଗଲା । ଏହି ଗୁଣ୍ଡାରାଜରୁ
ଓଡିଶାକୁ ମୁକ୍ତ କରିବାର ଆବଶ୍ୟକତା ରହିଛି । ବିଜେଡି ଅପରାଧୀଙ୍କୁ ଡରିବାର କୌଣସି କାରଣ ନାହିାଁ ବିଜେପି ସରକାର
ଆସିଲେ ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ଦଣ୍ଡ ମିଳିବ । ଦୋଷୀଙ୍କୁ କଡାରୁ କଡା ଦଣ୍ଡ ଦିଆଯିବ । ମୋଦି ସର୍ବଦା ଓଡିଶାର ଜନତାଙ୍କ ସହ ଠିଆ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦ ବର୍ଷ ଧରି ଓଡିଶାର ଲୋକମାନେ ଜଣେ ବ୍ୟକ୍ତି ଉପରେ ଭରସା କରି ଦେଖିଲେ । ମାତ୍ର ୨୦ ବର୍ଷରେ ଓଡିଶା ତଥା ଭାରତରେ ଯେତେ ବିକାଶ ହେବା କଥା ହୋଇଛି କି ? ଭୁବନେଶ୍ୱର ଯେତେ ବିକାଶ ହେବା କଥା ହୋଇଛି କି ? ଲାଇବ୍ରେରୀରେ ଭଲ ବହି ଥିଲେ ସମାଜ ବଦଳେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ବିଜେପି ସବ୍ କି ସାଥ୍ ସବ୍ କି ବିକାଶ କାମ କରୁଥିବା ବେଳେ ବିଜେଡି କିଛି ସମ୍ପର୍କିୟଙ୍କ ବିକାଶ କରୁଛି । ସ୍ଥାନୀୟ
ସରକାର ପିସି ଚକରରେ ଓଡିଶାର ବିକାଶକୁ ରୋକ କରି ରଖିଛି । ଆୟୁଷ୍ମାନ ଯୋଜନାରେ ଗରିବଙ୍କ ପାଇଁ ୫ ଲକ୍ଷ ଟଙ୍କା
ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ହୋଇଥିବା ବେଳେ ଓଡିଶାର ଲୋକମାନେ ଏହାର ସୁବିଧା ପାଇପାରୁନାହାନ୍ତି । ମଇ ୨୩ରେ
ଭୁବନେଶ୍ୱର ଓ ଦିଲ୍ଲୀରେ ବିଜେପି ସରକାର ଆସିଲେ ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ । ସେହିପରି
ଓଡିଶାର ପ୍ରାୟ ୫୦ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ସୁବିଧା ପାଇବାକୁ ବଂଚିତ ଥିବାବେଳେ ମାତ୍ର ସାଢେ ୮ ଲକ୍ଷ
କୋଟି ଚାଷୀଙ୍କୁ ବ୍ୟାଙ୍କରେ ଟଙ୍କା ପଠାଯାଇଛି ।

ଏଠାକାର ସରକାର ଚାଷୀଙ୍କ ତାଲିକା ପଠାଇ ନଥିବାରୁ ଏପରି ଅବ୍ୟବସ୍ଥା ଦେଖାଯାଇଛି । ବିଜେପି ସରକାର ହେଲେ ଓଡିଶାର ପ୍ରାୟ ୫୦ ଲକ୍ଷ ଚାଷୀ କୃଷକଙ୍କ ଖାତାରେ ଟଙ୍କା ଜମା କରାଯିବ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ତିଳେ ମାତ୍ର ଉଣା କରିନାହାନ୍ତି । ଗତ ୫ ବର୍ଷରେ ଓଡିଶାର ଭିତିଭୂମି ଉପରେ ୩ ଲକ୍ଷ କୋଟି ନିବେଶ କରାଯାଇଛି । ପୂର୍ବ ସରକାର ତୁଳନାରେ ୫ ଗୁଣା ରାଶି ରାସ୍ତା, ବିଜୁଳି, ରେଳ ଓ ଅନ୍ୟାନ୍ୟ କ୍ଷେତ୍ରରେ ଦିଆଯାଇଛି । ଦଶନ୍ଧି ଧରି ଅଟକି ଥିବା ପାରାଦୀପ ରିଫାଇନାରୀର କାମକୁ ତ୍ୱରାନ୍ୱିତ କରାଯାଇଛି, ପର୍ଯ୍ୟଟନର ମଧ୍ୟ ବିକାଶ କରାଯାଇଛି । ସେହିପରି ୩୫ ଲକ୍ଷ ଘରକୁ ମାଗଣାରେ ଗ୍ୟାସ୍ ଦିଆଯାଇଛି, ରାଜଧାନୀ ଭୁବନେଶ୍ୱରରେ ସ୍ମାର୍ଟ ସିଟିର ବିକାଶ କରାଯାଇଥିବା ବେଳେ ଆଗାମୀ ଦିନରେ ଇକୋ ସିଷ୍ଟମ, ଗ୍ୟାସ ଆଧାରିତ
ଅର୍ଥ ବ୍ୟବସ୍ଥା, ନୂଆ ଗ୍ୟାସ ପାଇପ ଲାଇନକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାର ୮ ଲକ୍ଷ ଗରିବଙ୍କୁ ପକ୍କା ଘର ମିଳିଛି । ଯଦି ଓଡିଶା ସରକାର କେନ୍ଦ୍ର
ସରକାରଙ୍କ ସହ ସହଯୋଗ କରିଥାନ୍ତେ ତେବେ ଏହା ୩ ଗୁଣା ବଢିପାରିଥାନ୍ତା । ଏ ସରକାର ଧୀରେ ଧୀରେ କାମ କରୁଛି ।
୨୦୨୨ରେ ଦେଶକୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ହେବାକୁ ଯାଉଛି । ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କ ପରିବାରରେ ପକ୍କା
ଘର ଥିବ ବୋଲି ସେ କହିଛନ୍ତି । ସାଧାରଣ ଓ ମଧ୍ୟମ ବର୍ଗଙ୍କ ଜୀବନକୁ ସରଳୀକରଣ କରିବା ପାଇଁ ନିରନ୍ତର ବ୍ୟବସ୍ଥା କରାଯାଇଛି । ଚଳିତ ବଜେଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟକ୍ତିଗତ ଆୟକର ଛାଡ କରାଯାଇଛି । ବିଜେପି ଶାସିତ ରାଜ୍ୟରେ ବିକାଶର କାମ ହୋଇଛି । ବିଜେପିକୁ ୫ ବର୍ଷ ସୁଯୋଗ ଦେଇଥିବା ବେଳେ ପୁଣି ଥରେ ୫ ବର୍ଷ ସୁଯୋଗ ଦିଅନ୍ତୁ । ପରିବର୍ତନ କଣ ଆମେ ଦେଖାଇବୁ । ଗତ ୫ ବର୍ଷରେ ଭାରତର ପରିବର୍ତନ ଭଳି ଓଡିଶାରେ ମଧ୍ୟ ପରିବର୍ତନ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।
ଜଳ ସଙ୍କଟ ଦୂର କରିବା ପାଇଁ କେନ୍ଦ୍ର ସରକାର ୮ଟି ବଡ ଯୋଜନା କରିଛନ୍ତି । ବିଜେପିର ସଂକଳ୍ପ ଅନୁଯାୟୀ
ଜଳଶକ୍ତି ମନ୍ତ୍ରାଳୟ ହେବ, ନଦୀ ଓ ବର୍ଷା ପାଣିକୁ ଉପଯୋଗ କରାଯିବ । ଫଳରେ ପାଣିର ସମସ୍ୟା ଦୂର ହୋଇପାରିବ ବୋଲି
ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିରୋଧୀଙ୍କ ପାଖରେ ନୀତି ନିୟମ ଅଛନ୍ତି ନା ନେତା ଅଛନ୍ତି । ବିରୋଧୀ ଦେଶବାସୀଙ୍କ ବିଶ୍ୱାସ ହରାଇଛନ୍ତି । ୨୦୦୪ରୁ ୨୦୧୪ ସରକାର ରିମୋର୍ଟ କଂଟ୍ରୋଲରେ ଚାଲିଥିଲା । କଂଗ୍ରେସ ଲୋକଙ୍କ ଆସ୍ଥା ଓ
ପରମ୍ପରାକୁ ନଷ୍ଟ ପାଇଁ ଷଡଯନ୍ତ୍ର କରିଥିଲା । ଦେଶର ହିନ୍ଦୁଙ୍କୁ ଆତଙ୍କ ସହ ଯୋଡିବାକୁ ଷଡଯନ୍ତ୍ର କରିଥିଲା ବୋଲି ମୋଦି
କହିଛନ୍ତି ।
ଦେଶରେ ଆତଙ୍କବାଦୀ ଆକ୍ରମଣ ହେଲେ କିଛି ହେଉନଥିଲା । ପାକିସ୍ତାନକୁ ଉଚିତ୍ ଜବାବ୍ ଦେବା ପାଇଁ କଂଗ୍ରେସ
ପ୍ରସ୍ତୁତ ନଥିଲା । ଅହିଂସା ପରମ୍ପରାକୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରିଥିଲା, ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଯେ କୌଣସି
ସ୍ତରକୁ ଯାଇପାରୁଥିଲା ବୋଲି ସେ କହିଛନ୍ତି ।
ଓଡିଶା ରାଜ୍ୟରେ ଲୋକମାନେ ମନପରିବର୍ତନ କରିବାକୁ ସ୍ଥିର କରିସାରିଲେଣି । ଏହାକୁ କେହି ରୋକିପାରିବେନିା ସବୁ
ସଂକଳ୍ପ ପୂରଣ ହେବ । ଓଡିଶାର ଉଜ୍ଜଳ ଭବିଷ୍ୟତ ପାଇଁ ଏ ସରକାରକୁ ବଦଳାଇ ଓଡିଶା ଓ ଦେଶର ସୁରକ୍ଷା ଓ ବିକାଶ କରିବା ପାଇଁ ଲୋକସଭା ଓ ବିଧାନସଭାରେ ବିଜେପିକୁ ଜିତାଇବାର ଆବଶ୍ୟକତା ରହିଛି । ଚୌକିଦାର ମଜବୁତ ହେଲେ ଦେଶ ମଜବୁତ ହେବ, ଓଡିଶା ମଜବୁତ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ୨୩ ମଇରେ ନିର୍ବାଚନ ଫଳାଫଳ ଆସିଲେ ସେବେ ଫିର୍ ଏକ ବାର୍ ମୋଦି ସରକାର ହେଲେ ଭାରତରେ ବିକାଶ ଆହୁରି ତୀବ୍ର ହେବ ବୋଲି ମୋଦି କହିଛନ୍ତି ।
ଏହି ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ଗୋଲକ ମହାପାତ୍ର ଓ ଦିଲୀପ ମଲ୍ଲିକ, ଭୂବନେଶ୍ୱର ଲୋକସଭା ବିଜେପି ପ୍ରାର୍ଥୀନୀ ଶ୍ରୀମତି ଅପରାଜିତା ଷଢଙ୍ଗୀ, କଟକ ଲୋକସଭା ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର, ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର , ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ରଣପୁର ବିଧାନସଭା ବିଧାୟିକା ପ୍ରାର୍ଥୀନୀ  ସୁରମା ପାଢୀ, ଭୁବନେଶ୍ୱର ଏକାମ୍ର ବିଧାୟକ ପ୍ରାର୍ଥୀ  ବାବୁ ସିଂ, ଜୟଦେବ ବିଜେପି ବିଧାୟକ ପ୍ରାର୍ଥୀ ନରେନ୍ଦ୍ର ନାଏକ, ଭୁବନେଶ୍ୱର ଉତର ବିଧାୟିକା ପ୍ରାର୍ଥୀନୀ ଅପରାଜିତା ମହାନ୍ତି, ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ବେଗୁନିଆ- ବୋଲଗଡ ବିଜେପି ବିଧାୟକ ପ୍ରାର୍ଥୀ ରିଷବ ନନ୍ଦ, ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ  ବିଶ୍ୱରଂଜନ ବଡଜେନା , ଖୋର୍ଦ୍ଧା ବିଜେପି ପ୍ରାର୍ଥୀ କାଳୁ ଖଣ୍ଡାୟତ ରାୟ, ପୁରୀ ବିଜେପି ବିଧାୟକ ପ୍ରାର୍ଥୀ  ଜୟନ୍ତ ଷଢଙ୍ଗୀ, ବ୍ରହ୍ମଗିରୀ ବିଜେପି ବିଧାୟକ ପ୍ରାର୍ଥୀ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମପ୍ରକାଶ ମିଶ୍ର, ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ମିଶ୍ର, ଚିଲିକା ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ନୟାଗଡ ବିଜେପି ବିଧାୟକ ପ୍ରାର୍ଥୀ ଇରାନି ରାୟ, ନିଆଳି ବିଜେପି ବିଧାୟକ ପ୍ରାର୍ଥୀ ଛବି ମଲ୍ଲିକ, ବାଙ୍କୀ ବିଜେପି ବିଧାୟକ ପ୍ରାର୍ଥୀ ଶୁଭ୍ରାଶୁଂ ଶେଖର ପାଢୀ, କଟକ ସଦର ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ମଳ୍ଲିକ, ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା, ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ଶାରଦା ପ୍ରଧାନ ଏବଂ ସମସ୍ତ ଜିଲ୍ଳା ସଭାପତିମାନେ ଉପସ୍ଥିତ ଥିଲେ ।

Spread the love