ବିରୋଧୀ ମେଣ୍ଟରେ ଫାଟ ! ଗୋଟିଏ ମଞ୍ଚରେ ଦେଖାଦେବେ ମୋଦୀ, ଶରଦ ପାଓ୍ବାର

ନୂଆଦିଲ୍ଲୀ : ଅଗଷ୍ଟ ୧ ରେ ମହାରାଷ୍ଟ୍ରର ପୁଣେରେ ହେବାକୁ ଥିବା ‘ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ସେପଟେ ଶରଦ ପାଓ୍ଵାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଞ୍ଚ ସେୟାର କରିବା ଖବରକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି ।

ଅଗଷ୍ଟ ପହିଲାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର’ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଶରଦ ପାୱାର ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ମଣିପୁର ଏବଂ ଦିଲ୍ଲୀ ସର୍ଭିସେସ୍ ବିଲ୍ କୁ ନେଇ ସଂସଦରେ ଚାଲିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ପାୱାରଙ୍କ ସମାନ ମଞ୍ଚରେ ଉପସ୍ଥିତି କେବଳ ବିରୋଧୀ ଏକତା ଉପରେ ପ୍ରଶ୍ନ ଉଠାଇବ ନାହିଁ ବରଂ ବିରୋଧୀ ଏକତାକୁ ମଧ୍ୟ ଦୁର୍ବଳ କରିବ ବୋଲି ଆପ୍ ଏବଂ ଅନ୍ୟ କେତେକ ଆଞ୍ଚଳିକ ଦଳ କହିଛନ୍ତି ।

ଆସନ୍ତା ସପ୍ତାହରେ ସଂସଦରେ ଏହି ଦୁଇଟି ପ୍ରସଙ୍ଗ ଉପରେ ଜୋରଦାର ବିତର୍କ ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଦୁଇ ନେତାଙ୍କ ଏକାଠି ଉପସ୍ଥିତି ନିକଟରେ ସ୍ଥାପିତ ହୋଇଥିବା ଏକତାର ଗତିକୁ ଖରାପ କରିପାରେ। ଏଣୁ କିଛି ନେତା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଶରଦ ପାୱାରଙ୍କ ସହ କଥା ହୋଇ ସମସ୍ୟାର ସମାଧାନ କରିବାକୁ କହିଛନ୍ତି । କେତେକ ସୁତ୍ର ଅନୁସାରେ ଖଡଗେ ମଧ୍ୟ ଏ ପ୍ରସଙ୍ଗରେ ପାଓ୍ବାରଙ୍କୁ ଭେଟିବାର ସମ୍ଭାବନା ରହିଛି ।

Spread the love