ରାଜଧାନୀରେ ବେଆଇନ୍‍ ଭାବେ ଗାଡ଼ି ମୋଡିଫିକେସନ୍‍

ଭୁବନେଶ୍ୱର : ରାଜଧାନୀରେ ଏବେ ବେଆଇନ୍‍ ଭାବେ ଚାଲିଛି ଗାଡ଼ି ମୋଡିଫିକେସନ୍‍(ଗାଡ଼ିର ନୂଆ ଲୁକ୍‍)। ଅଧିକ ଟଙ୍କା ରୋଜଗାର ଆଶାରେ ଏକାଧିକ ଗ୍ୟାରେଜ ମାଲିକ ପୁରୁଣା ବାଇକ୍‍ର ନୂଆ ରୂପ ଦେଉଛନ୍ତି। ବିଭିନ୍ନ ବାଇକ୍‍ଗୁଡ଼ିକୁ ଗ୍ୟାରେଜରେ ରାତାରାତି ନୂଆରୂପ ଦିଆଯାଉଛି। ଯାହାକୁ ଆରଟିଓ କଣ, ଗାଡ଼ି ମାଲିକ ମଧ୍ୟ ନିଜ ଗାଡ଼ିକୁ ଚିହି୍ନ ପାରୁନାହାନ୍ତି। ଗାଡ଼ିର ଚକା, ଟାଙ୍କି, ଟାୟାର,ସିଟ୍‍, ସାଇଲେନ୍ସର ସବୁ କିଛି ବଦଳାଇ ଦେଉଛନ୍ତି ମେକାନିକ୍‍। ଏପରିକି ଗାଡ଼ିର ରଙ୍ଗ,ରୂପକୁ ମଧ୍ୟ ପରିବର୍ତ୍ତନ କରି ଦେଉଛନ୍ତି। ଯାହାକି ୧୯୮୮ ଏମ୍‍ଭିଆଇ ଆକ୍ଟ ଅନୁସାରେ ବେଆଇନ୍‍।

 ପୁରୁଣା ଗାଡ଼ିକୁ ବଦଳାଇ କେଜିଏଫ୍‍ ଗାଡ଼ିର ରୂପ ଦେଉଛନ୍ତି। ଏଭଳି ବେଆଇନ୍‍ ଭାବେ ଗାଡ଼ିର ରୂପ ବଦଳାଇ ଦିଆଯାଉଥିଲେ ମଧ୍ୟ ଆରଟିଓ ଏବଂ ପୁଲିସ ପକ୍ଷରୁ ଚଢ଼ଉ କରାଯାଉନାହିଁ। ଜଣେ ବ୍ୟକ୍ତି ଗାଡ଼ି କିଣିବା ସମୟରେ ଆରସି ବୁକ୍‍ରେ ଗାଡ଼ିର ରଙ୍ଗ, ଓଜନ, କେଉଁ ଗାଡ଼ି, ତାହାର ସବୁ କିଛି ତଥ୍ୟ ଉଲ୍ଲେଖ ରହୁଛି। କିନ୍ତୁ ଗାଡ଼ିର ମୋଡିଫିକେସନ୍‍ କରାଯିବା ଦ୍ୱାରା ତାହା କିଛି ଜଣାପଡୁନି। ସ୍ୱଳ୍ପ ଟଙ୍କାରେ ଧତରା ଗାଡ଼ିର ରୂପ ଦାମୀଗାଡ଼ିକୁ ପରିବର୍ତ୍ତନ ହୋଇଯାଉଛି। ଯାହାକି ପରବର୍ତ୍ତୀ ସମୟରେ ଗାଡ଼ି ମାଲିକ ସମସ୍ୟାରେ ପଡ଼ିପାରନ୍ତି।କମ୍ପାନୀ ବହୁ ପରୀକ୍ଷା ନିରୀକ୍ଷା କରିବା ପରେ କେଉଁ ଗାଡ଼ିର କେତେ ଓଜନ ରହିବ ତାହା ଇଞ୍ଜିନିୟର ସ୍ଥର କରି ପାର୍ଟ୍ସ ଲଗାଉଛନ୍ତି। କିନ୍ତୁ ଗାଡି ମୋଡିଫିକେସନ୍‍ରେ ତାହା ଦେଖାଯାଉନାହିଁ। ନା ଅଛନ୍ତି ଇଞ୍ଜିନିୟର ନା ଅଛନ୍ତି ଏକ୍ସପର୍ଟ। କେବଳ ଗ୍ୟାରେଜ ମାଲିକ୍‍ ୟୁ-ଟ୍ୟୁବ୍‍ରୁ ଶିଖି ଗାଡ଼ିି ମୋଡିଫିକେସନ୍‍ କରିୁଛନ୍ତି। ପୁରୁଣା ଗାଡ଼ିର ଯେତିକି ଓଜନ ଥିଲା ମୋଡିଫିକେସନ୍‍ କରିବା ପରେ ତାହାର ଓଜନ ବଢ଼଼ି ଯାଉଛି। ପରବର୍ତ୍ତୀ ସମୟରେ ଚାଳକ ପାଇଁ କାଳ ହେବ। କାରଣ ହାଲୁକା ଗାଡ଼ିର ଓଜନ ବଢ଼଼ାଇବା ଫଳରେ ଅନେକ ସମୟରେ ଗାଡ଼ିଟି ଦ୍ରୁତ ଗତିରେ ଯିବା ଦ୍ୱାରା ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ମଧ୍ୟ ଅନେକ ବାଇକ୍‍ ଇଞ୍ଜିନିୟର ବିରୋଧ କରିଛନ୍ତି। ଅନେକ ଚୋର ଗାଡ଼ି ଚୋରି କରି ଏହାର ରୂପ, ରଙ୍ଗକୁ ବଦଳାଇ ଦେଉଛନ୍ତି। ଏହାକୁ ଗାଡ଼ି ମାଲିକ ନା ପୁଲିସ ଜାଣିପାରିବ। ତେଣୁ ଏଭଳି ହେବା ଦ୍ୱାରା ମଧ୍ୟ ଗାଡ଼ିର ମାଲିକାନା ବଦଳାଇବା ସମୟରେ ସମସ୍ୟା ସୃଷ୍ଟି ହେଉଛି। ଏତେ ସବୁ ହେଉଥିବା ବେଳେ ଆରଟିଓ କିମ୍ବା ପୁଲିସ ପକ୍ଷରୁ ଚଢ଼ଉ କରାଯାଉନାହିଁ। ଯେଉଁଥି ପାଇଁ ରାଜଧାନୀରେ ବେଆଇନ୍‍ ଭାବେ ବାଇକ୍‍ ମୋଡିଫିକେସନ୍‍ କରାଯାଉଛି।

କଣ ରହିଛି ଆଇନର ନିୟମ

ଜଣେ ବ୍ୟକ୍ତି ନିଜର ଗାଡ଼ିର ମୋଡିଫିକେସନ୍‍ କରିବା ପୂର୍ବରୁ ଆରଟିଓରୁ ଅନୁମତି ନେବେ। ଗାଡ଼ିର କେଉଁସବୁ ପାର୍ଟ ବଦଳାଇ ମୋଡିଫିକେସନ୍‍ କରିବେ ତାହାକୁ ମଧ୍ୟ ମାଲିକ୍‍ ଆରଟିଓ ଅଧିକାରୀଙ୍କୁ ଜଣାଇବେ। ବିଶେଷ କରି ରେପୁଟେଡ୍‍ ଗ୍ୟାରେଜରେ  ମୋଡିଫିକେସନ୍‍ କରିବା ପାଇଁ ଏମ୍‍ଭିଆଇ ଅନୁମତି ଦେବେ। ଗାଡ଼ିର ରଙ୍ଗ ଏବଂ ଇଞ୍ଜିନ୍‍କୁ ଗାଡ଼ି ମାଲିକ କେବେ ବଦଳାଇ ପାରିବେ ନାହିଁ। ୧୯୮୮ ଭାଇଓଲେସନ୍‍ ଅଫ୍‍ ଆରସି କଣ୍ଡିସନ୍‍ ସେକ୍ସନ ୩୯ ଅନୁସାରେ ଏଭଳି କରିବା ବେଆଇନ୍‍। ଯଦି କେହି ଏହା କରୁଛନ୍ତି ତେବେ ଧରାପଡ଼ିଲେ ଗାଡ଼ି ଜବତ ହେବା ସହ ୫ହଜାର ଟଙ୍କା ଜରିମାନା ଗଣିବାର ନିୟମ ରହିଛି। ଏବେ କେବଳ ବାଇକ୍‍ ନୁହେଁ କାର୍‍ର ମଧ୍ୟ ଲୁକ୍‍ ବଦଳାଇ ଦେଉଛନ୍ତି।

ପ୍ରଦୂଷଣ ବଢ଼଼ାଉଛି ମଡେଲିଂ ସାଇଲେନ୍ସର୍‍

ପୁରୁଣା ବାଇକ୍‍ ମୋଡିଫିକେସନ୍‍ କରାଯାଉଥିବାରୁ ଗାଡ଼ିର ସାଇଲେନ୍ସର ପାଇପ୍‍କୁ ମଧ୍ୟ ବଦଳାଇ ଦିଆଯାଉଛି। ଯେଉଁ ସାଇଲେନ୍ସର ପାଇପ୍‍ ଲାଗୁଛି ତାହା ପ୍ରଦୂଷଣକୁ ବଢ଼଼ାଉଛି। କାରଣ କମ୍ପାନୀ ଗାଡ଼ି ନିର୍ମାଣ କରିବା ପୂର୍ବରୁ କେଉଁ ଗାଡ଼ିର କିଭଳି ସାଇଲେନ୍ସର ପାଇପ୍‍ ଲାଗିବ, ତାହା ପରୀକ୍ଷା ନିରୀକ୍ଷା କରିବା ପରେ ଲଗାଯାଉଛି। କିନ୍ତୁ ଏହି ମୋଡିଫିକେସନ୍‍ରେ ତାହା କିଛି କରାନଯାଇ ମନଇଚ୍ଛା ସାଇଲେନ୍ସର ପାଇପ୍‍ ଲଗାଯାଉଛି। ଯାହାକି ସହରରେ ପ୍ରଦୂଷଣ ବଢ଼଼ାଉଛି। ନା ଏଥିପ୍ରତି କାହାର ନିଘା ଅଛି, ନା ଯାଞ୍ଚ ହେଉଛି।

Spread the love