ରାଜ୍ୟ ସରକାରଙ୍କର ଦୋମୁହାଁ ନୀତି ଓ ଚାଷୀ ବିରୋଧୀ ନୀତିକୁ ରାଜ୍ୟବାସୀ କ୍ଷମାଦେବେ ନାହିଁ : ମୋହନ ମାଝୀ

ଭୁବନେଶ୍ୱର, ତା.୦୨/୧୨: ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆଙ୍କ ଦୁଃଖ, ସମସ୍ୟା କଥା ଆଲୋଚନା ନକରି ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ପଦ୍ମପୁର ଉପନିର୍ବାଚନ ପ୍ରଚାରକୁ ଯିବା ଲଜ୍ଜ୍ୟା ଓ ପରିତାପର ବିଷୟ । ଆଜିକୁ ୧୫ଦିନ ହେବ ଚାଷୀ ନିଜର ନ୍ୟାୟ ପାଇଁ ବିଧାନସଭା ସମ୍ମୁଖରେ ଚିତ୍କାର କରୁଛି । ସେହିପରି ୮ଦିନ ହେବ ବିଧାନସଭାରେ ଚାଷୀ, ଶିକ୍ଷକ ଓ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ଉପରେ ବିରୋଧୀ ଦଳ ଆଲୋଚନା ଦାବି ରଖିଥିବାବେଳେ ସରକାର କୌଣସି ଆଲୋଚନା କରିବା ପାଇଁ ପ୍ରସ୍ତୁତ ନୁହନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚାଷୀଙ୍କ ଦୁଃଖ ନବୁଝି ପଦ୍ମପୁରରେ ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଯାଇଛନ୍ତି । ଓଡ଼ିଶାର ଜନତା ଭୋଟ ଦେଇ ଜଣେ ଲୋକଙ୍କୁ ମନ୍ତ୍ରୀ, ବିଧାୟକ କରିଥାନ୍ତି ନିଜ ଅଂଚଳର ସମସ୍ୟାକୁ ନେଇ ବିଧାନସଭା ଗୃହରେ ଉପସ୍ଥାପନା କରିବା ଲାଗି । କିନ୍ତୁ ଗୃହ ଆରମ୍ଭ ଦିନରୁ ଭାରତୀୟ ଜନତା ପାର୍ଟି ବିଧାୟକମାନେ ଶିକ୍ଷକ ଓ ଚାଷୀଙ୍କ ସମସ୍ୟା ନେଇ ସ୍ୱର ଉଠାଇଥିଲେ । ପ୍ରଥମତଃ ମୁଖ୍ୟମନ୍ତ୍ରୀ ଗୃହକୁ ଆସୁନାହାନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏହାର ସମାଧାନ ନକରି ଗୃହ ବନ୍ଦ କରିବା ଲାଗି ବାଚସ୍ପତିଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି ବୋଲି ବିରୋଧୀ ଦଳର ମୁଖ୍ୟସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ସୂଚନାଥାଉ କି, ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପ୍ରଚାରରେ ଯିବେ ନାହିଁ ବୋଲି କହୁଥିଲେ ମଧ୍ୟ ଧାମନଗର ହାରିବା ପରେ ପଦ୍ମପୁରରେ କାଳେ ଧରାଶାୟୀ ହୋଇଯିବେ ସେ ନେଇ ରାଜଧାନୀର ରାଜରାସ୍ତାରେ ବସିଥିବା ଚାଷୀଙ୍କ ଦୁଃଖର ସମାଧାନ ନକରି ପଦ୍ମପୁର ପ୍ରଚାରରେ ଯାଇଛନ୍ତି । ପଦ୍ମପୁରରେ ଉପନିର୍ବାଚନ ଜିତିବା ଲାଗି ଚାଷୀଙ୍କୁ ୨୦୦କୋଟି ଟଙ୍କା ଇନ୍‌ପୁଟ ସବସିଡି ଦେବା ଲାଗି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ବାସ୍ତବରେ ମୁଖ୍ୟମନ୍ତ୍ରୀ ୨୦୦କୋଟି ଟଙ୍କା କେଉଁ ଚାଷୀଙ୍କୁ ଦେବେ ଓ କେଉଁ ଆଧାରରେ ଦେବେ ଓ କେତେ ଚାଷୀ ପାଇବେ ତାହାର ତାଲିକା ସାର୍ବଜନୀନ କରନ୍ତୁ । ପୂର୍ବରୁ ମୁଖ୍ୟମନ୍ତ୍ରୀ ବରଗଡର ସୋହେଲାଠାରେ ଚାଷୀ ସମାବେଶରେ ୧୦୦ଟଙ୍କାର ବୋନସ ଚାଷୀଙ୍କୁ ଦେବା ବୋଲି ଘୋଷଣା କରିଥିଲେ । କିନ୍ତୁ ଏଯାଏଁ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଟଙ୍କାଟିଏ ନଦେଇ ଠକିଛନ୍ତି । ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଠକିବା ଏକ ପୁରୁଣା ଅଭ୍ୟାସ । ସାଧାରଣ ନିର୍ବାଚନ ଓ ଉପନିର୍ବାଚନ ହେଲେ ନୂଆ ଯୋଜନା ଘୋଷଣା କରି ସର୍ବଦା ଚାଷୀଙ୍କୁ ଭଣ୍ଡେଇବାରେ ନୂଆ ଉପାୟ ଚିନ୍ତା କରନ୍ତି ଯାହା ପଦ୍ମପୁର ଉପନିର୍ବାଚନରେ ମିଥ୍ୟା କହିଥିବା କଥାରୁ ସ୍ପଟ ଜଣାପଡୁଛି । ରାଜ୍ୟ ସରକାରଙ୍କର ଦୋମୁହାଁ ନୀତି ଓ ଚାଷୀ ବିରୋଧୀ ନୀତିକୁ ରାଜ୍ୟବାସୀ କ୍ଷମାଦେବେ ନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି ।

Spread the love