ବିଜେଡି ସରକାରରେ ଗଣତନ୍ତ୍ରକୁ ହତ୍ୟା ଓ ପଂଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସର ଷଡଯନ୍ତ୍ରକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି : ମୋହନ ମାଝୀ

ଭୁବନେଶ୍ୱର,ତା.୨୨/୦୯: ବିଧାନସଭା ମୌସୁମୀ ଅଧିବେଶନ ସାଧାରଣତଃ ଜୁଲାଇ ମାସରେ ହେବାକୁ ଥିବା ବେଳେ ରାଜ୍ୟ ସରକାର ଜାଣିଶୁଣି ବିଳମ୍ବ କରି ସେପ୍ଟେମ୍ବର ମାସର ଶେଷରେ କରୁଛନ୍ତି । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେସନରେ ମାତ୍ର ୯ଟି କାର୍ଯ୍ୟ ଦିବସ ରହିଛି ଏବଂ ଏହି ଅବଧିରେ ରାଜ୍ୟ ସରକାର ଅତିରିକ୍ତ ବଜେଟ୍ ମଧ୍ୟ ଉପସ୍ଥାପନ କରିବେ । ସମସ୍ୟା ଘେରରେ ଥିବା ରାଜ୍ୟ ସରକାର ବିରୋଧୀଙ୍କୁ ସାମ୍ନା କରିବାର ନୈତିକ ସାହସ ହରାଇଛନ୍ତି ଏବଂ ଚଂଚକତା କରି ବହୁ ବିଳମ୍ବରେ ସ୍ୱଳ୍ପକାଳୀନ ଅଧିବେସନ ଅନୁଷ୍ଠିତ କରୁଛନ୍ତି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଆଜିଠାରୁ ବିଧାନସଭା ମୌସୁମୀ ଅଧିବେସନ ଆରମ୍ଭ ହୋଇଛି ଏବଂ ଏହି ଅବସରରେ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସମେତ ବିଜେପି ବିଧାୟକଗଣ ଉପସ୍ଥିତ ରହି ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବୈଠକ ସଂପର୍କରେ ସୁଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶାରେ ସରକାରୀ ଅର୍ଥରେ ସଚିବଙ୍କୁ ଜିଲ୍ଲା ଗସ୍ତ କରାଇ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ପଂଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରିସାରିଲେଣି ବିଜେଡି ସରକାର । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ । ଶିକ୍ଷା, ବେକାରୀ ଓ ବେରୋଜଗାର, କୃଷି, ଜଳସେଚନ, ଦାଦନ ଓ ସ୍ୱାସ୍ଥ୍ୟ ସମେତ ସମସ୍ତ କ୍ଷେତ୍ରରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଦାରିଦ୍ର‌୍ୟ କ୍ଷେତ୍ରରେ ଓଡ଼ିଶା ତୃତୀୟ ନମ୍ବରରେ ରହିଛି । କିନ୍ତୁ ୨୩ବର୍ଷ ଶାସନରେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ମିଥ୍ୟା ସ୍ୱପ୍ନ ଦେଖାଇ ଭଣ୍ଡାଉଛନ୍ତି । ମୋଦି ସରକାର ଦେଇଥିବା ଅର୍ଥକୁ ଓଡ଼ିଶାର ବିକାଶ କାର୍ଯ୍ୟରେ ଲଗାଇବାରେ ସମ୍ପୂର୍ଣ୍ଣ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ । ସରକାରୀ ଅର୍ଥକୁ ମୁଖ୍ୟମନ୍ତ୍ରୀ ନିଜର ବ୍ୟକ୍ତିଗତ ଓ ଦଳୀୟ କାର୍ଯ୍ୟରେ ବିନିଯୋଗ କରିବା ପ୍ରସଙ୍ଗକୁ ନେଇ ବିଜେପି ବିଧାନସଭାରେ ପ୍ରଶ୍ନ କରିବ । ରାଜ୍ୟ ଏବଂ ରାଜ୍ୟବାସୀଙ୍କ ପ୍ରମୁଖ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି ।
‘ସଚିବ ବଡ ନା ମନ୍ତ୍ରୀ ବଡ’? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଗଣତନ୍ତ୍ରକୁ ହତ୍ୟା କରି ସାଧାରଣ ଜନସଭାରେ ଯୋଗ ଦେଇ ଅଭିଯୋଗପତ୍ର ଗ୍ରହଣ କରିବା ନାଁରେ ଟଙ୍କା ବାଂଟୁଛନ୍ତି । ବ୍ୟକ୍ତିଗତ ସଚିବ ଜଣକ ନିଜ ସୈାକ ପାଇଁ ସରକାରୀ କାମ ଆଳରେ ନିଜ ବ୍ୟକ୍ତିଗତ କାମରେ ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ହେଲିକେପ୍ଟରରେ ବୁଲୁଛନ୍ତି । ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ । ଦୀର୍ଘ ୧୫ଦିନ ହେବ ଶିକ୍ଷକ, ଶିକ୍ଷୟିତ୍ରୀ ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଭିତିଭୂମି ନାହିଁ, ଶିକ୍ଷକ ନାହାନ୍ତି ଏବଂ ଶିକ୍ଷକମାନେ ବିଭିନ୍ନ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଓଡ଼ିଶାରେ ସରକାର ଅଛନ୍ତି ବୋଲି ରାଜ୍ୟବାସୀ ହୃଦବୋଧ କରୁନାହାନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୨ଲକ୍ଷ ୫୦ହଜାର ପଦ ପଦବୀ ଖାଲି ପଡିଥିବାବେଳେ ଠିକାନିଯୁକ୍ତି ଜରିଆରେ ଯୁବକଯୁବତୀଙ୍କୁ ବାରମ୍ବାର ପ୍ରତାରିତ କରୁଛନ୍ତି ରାଜ୍ୟ ସରକାର । ସେହିପରି ଚଳିତ ଆର୍ଥୀକ ବର୍ଷ ବଜେଟର ମାତ୍ର ୧୫ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇନଥିବାବେଳେ ବର୍ତମାନ ଅତିରିକ୍ତ ବଜେଟ ଉପସ୍ଥାପନା କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଏବଂ ରାଜ୍ୟ ସରକାରଙ୍କ ଦୁର୍ବଳ ଅର୍ଥନୀତି ପରିଚାଳନାକୁ ପଦାରେ ପକାଇଛି । ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ରତ୍ନଭଣ୍ଡାର ଚାବି ହଜିବା; ସ୍ମାର୍ଟସିଟି ଭୁବନେଶ୍ୱର ସହରର ବିପର୍ଯ୍ୟସ୍ତ ରାସ୍ତା, ଡ୍ରେନେଜ ଓ ଡେଙ୍ଗୁ ଭଳି ସ୍ୱାସ୍ଥ୍ୟ ସମସ୍ୟା; ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ; ଭୁବନେଶ୍ୱର ଉପକଣ୍ଠରେ ଜମି ଦୁର୍ନୀତି; “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ଜରିଆରେ ପଂଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରିବା; ପଲ୍ଲୀସଭା ଓ ଗ୍ରାମସଭା ନକରାଇବା; କୃଷି, ଘରୋଇ ମାଇକ୍ରୋ ଫାଇନାନ୍ସ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିଜେପି ନିଶ୍ଚିତଭାବେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି ।
ସ୍ୱଳ୍ପ ଅବଧି ବିଧାନସଭା ଅଧିବେସନରେ ରାଜ୍ୟବାସୀଙ୍କ ତରଫରୁ ପଚରାଯାଉଥିବା ବିଭିନ୍ନ ପ୍ରସଙ୍ଗ ଉପରେ ରାଜ୍ୟ ସରକାର ଆଲୋଚନା କରିବାକୁ ପଛଘୁଂଚା ଦେଲେ ବିଜେପି ଉଭୟ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ବୈଠକରେ ବିଧାୟକ ପ୍ରଦୀପ୍ତ ନାଏକ, ବିଧାୟିକା କୁସୁମ ଟେଟେ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାୟକ, ସୁବାଷ ପାଣିଗ୍ରାହି, ଶଂକର ଓରାମ, ଡ.ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ନିତ୍ୟାନନ୍ଦ ଗଣ୍ଡ, ଜୟନ୍ତ ଷଡଙ୍ଗୀ, କେ.ନାରାୟଣ ରାଓ, ଡ.ବୁଧନ ମୁର୍ମୁ, ଇଂ.ଗଣେଷ ରାମ ଖୁଂଟିଆ, ସନାତନ ବିଜୁଳି, ପ୍ରକାଶ ସୋରେନ, ଭବାନି ଭୋଇ, ନବଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love