ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ବ୍ୟାପୀ ଚାଲିଛି ହଇଜା : ମୋହନ ମାଝୀ

ଭୁବନେଶ୍ୱର, ତା.୨୪/୦୭: ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ଅଣାୟତ ସ୍ଥିତିରେ ପହଂଚିବା ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ପଦାରେ ପକାଇଛି । ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ହଇଜା ଉପରେ ରୋକ୍ ଲାଗିବା ପରିବର୍ତେ ଏହା କ୍ରମଶଃ ବ୍ୟାପୀ ଚାଲିଛି । ଏଭଳି ସ୍ଥିତିକୁ ଅତି ଗମ୍ଭୀର ଭାବେ ଗ୍ରହଣ କରି ବିଜେପି ବିଧାୟକମାନେ ଗତ କାଲି ବିଧାନସଭାରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ । ରାଜ୍ୟ ସରକାର ଅତି ଚତୁରତାର ସହ ଏହି ପ୍ରସଙ୍ଗରୁ ଖସି ଯିବାର ଚକ୍ରାନ୍ତ କରୁଛନ୍ତି । ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ୱର ଭାବେ ଗ୍ରହଣ କରୁନଥିବା କାରଣରୁ ଘଟଣାର ସତ୍ୟାସତ୍ୟ ଓ ବାସ୍ତବ ସ୍ଥିତି ନିରୀକ୍ଷଣ ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ଆଜି କାଶୀପୁର ଗସ୍ତ କରିଛନ୍ତି ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଧାୟକ ନାଉରୀ ନାଏକ ଓ କେ.ନାରାୟଣ ରାଓ, ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝୀ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଅଛନ୍ତି । ଘଟଣା ସଂପର୍କରେ ସ୍ଥାନୀୟ ବାସିନ୍ଦାଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରତିନିଧି ଦଳ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବା ପରେ ଘଟଣା ସଂପର୍କରେ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ମାଝୀ ସୁଚନା ଦେଇଛନ୍ତି ।

Spread the love