ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି ତାରିଖ, ଏପ୍ରିଲ୍‌ ୩୦ ପରିବର୍ତ୍ତେ ମେ ୧୪ ଧାର୍ଯ୍ୟ

ନୂଆଦିଲ୍ଲୀ ୧୮।୦୪: ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି ତାରିଖ । ଏପ୍ରିଲ ୩୦ରେ ହେବାକୁ ଥିବା ଶୁଣାଣିକୁ କିଛିଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ମେ ୧୪ ତାରିଖ ଦିନ ୧୧ଟାକୁ ଧାର୍ଯ୍ୟ କରାଯାଇଛି । ମହାନଦୀ ଜଳ ବିବାଦକୁ ନେଇ ଟ୍ରିବୁନାଲ୍‌ ତରଫରୁ ଆଜି  ନୋଟିସ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ପୂର୍ବରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଚାଲିଥିବା ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩୦ରେ ଅନୁଷ୍ଠିତ ହେବା ନେଇ ଧାର୍ଯ୍ୟ ହୋଇଥିଲା । ଏହି ବିବାଦ ନେଇ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାଙ୍କୁ ନିଜ ନିଜ ପ୍ରମାଣ ସମ୍ବନ୍ଧିତ ସତ୍ୟପାଠ ଏପ୍ରିଲ୍‌ ୨୩ ସୁଦ୍ଧା ଦାଖଲ କରିବା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ ।

ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ. ଏମ୍‌. ଖାଠିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ଏନେଇ ଶୁଣାଣି ହୋଇଥିଲା । ଉଭୟ ରାଜ୍ୟଙ୍କ ପକ୍ଷ ଶୁଣିବାପରେ ଟ୍ରିବ୍ୟୁନାଲ ମହାନଦୀ ଜଳ ବିବାଦ ନେଇ ସମସ୍ତ ପ୍ରମାଣଭିତ୍ତିକ ତଥ୍ୟ ସହ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ଏହାଛଡ଼ା ଉଭୟ ରାଜ୍ୟ ଚାହିଁଲେ ଅତିରିକ୍ତ ତଥ୍ୟ ମଧ୍ୟ ଉପସ୍ଥାପନ କରିପାରିବେ ବୋଲି ଟ୍ରିବ୍ୟୁନାଲ ଉଲ୍ଲେଖ କରିଥିଲେ। ପୂର୍ବରୁ ଓଡ଼ିଶା ଓ ଛତିଶଗଡ଼ ନିଜ ନିଜର ସାକ୍ଷୀ ତାଲିକା ପ୍ରଦାନ କରିସାରିଛନ୍ତି । ଉଭୟ ରାଜ୍ୟଙ୍କ ସତ୍ୟପାଠ ମିଳିବା ପରେ ପରବର୍ତ୍ତୀ ତାରିଖଠାରୁ ଏହି ବିବାଦ ନେଇ ସେମାନଙ୍କ ସାକ୍ଷ ଗ୍ରହଣ କରାଯିବାର ସମ୍ଭାବନା ରହିଥିଲା । ହେଲେ ଏବେ ଶୁଣାଣି ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

Spread the love