ଫୁଲବାଣୀରେ ୫ ଦିନିଆ ହେଲା ପଲ୍ଲିଶ୍ରୀ ମେଳା ଉଦଘାଟିତ

ଫୁଲବାଣୀ ୧୩/୦୫ : କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଛି । ପ୍ରତିବର୍ଷ ହେଉଥିବା ଏହି ପଲିଶ୍ରୀ ମେଳା କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ବନ୍ଦ ଥିଲା । ସରକାର କରୋନା କଟକଣାକୁ କୋହଳ କରିବା ପରେ ଚଳିତ ବର୍ଷ ଏହି ମେଳା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ସମ୍ମାନିତ ଅତିଥିଭାବେ କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ ଓ ଜ଼ିଲ୍ଲାପାଳ ଡା. ଵୃନ୍ଦା ଡି ଯୋଗ ଦେଇଥିଲେ। ଉଦଘାଟନି ଉତ୍ସବରେ ସାମ୍ୱାଦିକ ଅଶୋକ ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ କୋମଳ ଗାନ୍ଧାର ଅନୁଷ୍ଠାନର  ଶିଶୁ କଳାକାରମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।

ରାଜ୍ୟର ବିଭିନ୍ନ ଅଞ୍ଚଳର ମହିଳା ସ୍ଵୟଂ  ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀ ଏହି ମେଳାର ମୁଖ୍ୟ ଆକର୍ଷଣ ସାଜିଛି । ମେଳାକୁ ବୁଲିବାକୁ ଆସୁଥିବା ଲୋକମାନେ କିଣି ନେଉଛନ୍ତି । ଫଳରେ ମହିଳା ଏସଏଚଜି (ସ୍ୱୟଂ ସହାୟକ ଗୋଷ୍ଠୀ) ମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ଏହି ମେଳାରେ ବିକ୍ରି କରି ଦି ପଇସା ଲାଭବାନ ହେଉଛନ୍ତି। ଏହା ସହ ଲୋକମାନେ ମଧ୍ୟ ଖୋଜୁଥିବା ନିଜ ମନ ପସନ୍ଦର ଘରକରଣା ସାମଗ୍ରୀ ମାନ ରିହାତି ମୂଲ୍ୟରେ ପାଇପାରିବେ । ବିଶେଷକରି ମହିଳାମାନଙ୍କୁ ସ୍ଵାବଲମ୍ବି କରିବା ଲକ୍ଷ୍ୟ ନେଇ ସରକାର ପ୍ରତି ଜିଲ୍ଲାରେ ଏଭଳି ପଲ୍ଲିଶ୍ରୀ ମେଳା ଆୟୋଜନ କରୁଥିବା  କୁହାଯାଇଛି।

ଲୋକମାନଙ୍କ ମନୋରଞ୍ଜନ ପାଇଁ ପ୍ରତିଦିନ ସଂଧ୍ୟାରେ ଜିଲ୍ଲା ଓ ଜିଲ୍ଲା ବାହାରୁ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର ଚଟପଟା ଖାଦ୍ୟର ମଧ୍ୟ ଲୋକମାନେ ଏଠାରେ ମଜା ନେଉଛନ୍ତି। ଫଳରେ ଲୋକମାନେ ମେଳା ବୁଲିବା ସହ ଚାର୍ଟ, ଗୁପଚୁପ, ଚାଓମିନ, ପାଓ ଭାଜି’, ଲସି ଭଳି ଅନେକ ସୁସ୍ଵାଦୁ ଖାଦ୍ୟକୁ ମନ ଭରି ମଜା ନେଉଛନ୍ତି  ବୋଲି ମେଳାର ଆୟୋଜକ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ଵରଞ୍ଜନ ନାୟକ କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ  ଏହି ମେଳାରେ ଯୋଗ ଦେଇଛନ୍ତି। ଏହି ମେଳା ପାଞ୍ଚ ଦିନ ଧରି ଚାଲିବ  ବୋଲି କୁହାଯାଇଛି।

Spread the love