ମହାତ୍ମା ଗାନ୍ଧୀଙ୍କୁ ୫ ଥର ହତ୍ୟା ଉଦ୍ୟମ ହୋଇଥିଲା

ନୂଆଦିଲ୍ଲୀ,୧୯୪୮ ଜାନୁଆରୀ ୩୦ରେ ନାଥୁରାମ ଗଡସେ ନାମକ ବ୍ୟକ୍ତି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ନୂଆଦିଲ୍ଲୀରେ ଗୁଳିକରି ହତ୍ୟା କରିଥିଲେ। ଏହି ଦିନକୁ ଦେଶବ୍ୟାପୀ ସହିଦ ଦିବସ ଭାବେ ପାଳନ କରାଯାଉଛି। ତେବେ ୧୯୪୮ ଜାନୁଆରୀ ୩୦ ପୂର୍ବରୁ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବାକୁ ୫ ଥର ଉଦ୍ୟମ ହୋଇଥିଲା। ଏଥିମଧ୍ୟରୁ ତିନିଟି ଉଦ୍ୟମରେ ଗଡସେ ସାମିଲ ଥିବା ଜଣାପଡିଛି। ତେବେ ସୌଭାଗ୍ୟବଶତଃ ଗାନ୍ଧିଜୀ ପ୍ରତ୍ୟେକ ଥର ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ମାନବାଧିକାର କର୍ମୀ ତିସ୍ତା ସେତଲଭାଦଙ୍କ ଦ୍ୱାରା ପ୍ରସ୍ତୁତ ଓ ୨୦୧୫ରେ ପ୍ରକାଶିତ ‘ବିୟଣ୍ଡ୍ ଡାଉଟ୍-ଏ ଡୋଜିୟର ଅନ୍ ଗାନ୍ଧୀଜ୍ ଆସାସିନେସନ’ ପୁସ୍ତକରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ୧୯୩୪ ଜୁନ ୨୫: ଗାନ୍ଧିଜୀ ଉକ୍ତ ଦିନ ଏକ ସଭାରେ ଉଦବୋଧନ ଦେବାକୁ ପୁଣେ ଯାଇଥିଲେ। ତେବେ ଷଡଯନ୍ତ୍ରକାରୀମାନେ ଗୋଟିଏ କାର୍କୁ ଲକ୍ଷ୍ୟକରି ବୋମା ଫିଙ୍ଗିଥିଲେ। ସେମାନଙ୍କର ଧାରଣା ଥିଲା ଯେ ଗାନ୍ଧିଜୀ ସେହି କାର୍ରେ ସଭାସ୍ଥଳକୁ ଯାଉଛନ୍ତି। ତେବେ ବୋମାମାଡରେ ସାଧାରଣ ନାଗରିକ ମୃତାହତ ହୋଇଥିବାବେଳେ ଗାନ୍ଧିଜୀ ବର୍ତ୍ତିଯାଇଥିଲେ। ପରେ ଏହି ଘଟଣା ଶୁଣି ଗାନ୍ଧିଜୀ ମର୍ମାହତ ହୋଇଥିଲେ ବୋଲି ତାଙ୍କର ବ୍ୟକ୍ତିଗତ ସଚିବ ପ୍ୟାରେଲାଲ ଏକ ପୁସ୍ତକ ‘ମହାତ୍ମା ଗାନ୍ଧୀ-ଦ ଲାଷ୍ଟ୍ ଫେଜ୍’ରେ ଉଲ୍ଲେଖ କରିଛନ୍ତି।

୧୯୪୪ ଜୁଲାଇ:ଗାନ୍ଧିଜୀ ମହାରାଷ୍ଟ୍ରର ସତାରା ଜିଲ୍ଲା ଅନ୍ତର୍ଗତ ପଞ୍ଚଗନିରେ ଅବସ୍ଥାନ କରୁଥାନ୍ତି। ଏହି ସମୟରେ କେତେକ ବ୍ୟକ୍ତି ସେଠାରେ ପହଞ୍ଚି ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀଙ୍କ ନେତା ବୋଲାଉଥିବା ନାଥୁରାମ ଗଡସେଙ୍କୁ ଆଲୋଚନା କରିବାକୁ ଗାନ୍ଧିଜୀ ଆମନ୍ତ୍ରଣ କରିଥିଲେ ମଧ୍ୟ ସେ ଏହାକୁ ଅସ୍ୱୀକାର କରିଥିଲେ। ସନ୍ଧ୍ୟାରେ ଗାନ୍ଧିଜୀ ପ୍ରାର୍ଥନାସଭାକୁ ଯାଉଥିବାବେଳେ ଗଡସେ ହଠାତ୍ ଏକ ଛୁରୀ ଧରି ତାଙ୍କ ଆଡକୁ ମାଡିଆସିଥିଲେ। ତେବେ ସେଠାରେ ଉପସ୍ଥିତ ମଣିଶଙ୍କର ପୁରୋହିତ ଓ ଭିଲାରେ ଗୁରୁଜୀ ନାମକ ଦୁଇ ବ୍ୟକ୍ତି ଗଡସେଙ୍କୁ କାବୁ କରିବାରୁ ଏହି ଅଘଟଣ ଟଳିଯାଇଥିଲା। କପୁର କମିଶନ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା।

୧୯୪୪ ସେପ୍ଟେମ୍ବର: ସ୍ୱତନ୍ତ୍ର ପାକିସ୍ତାନ ରାଷ୍ଟ୍ର ଗଠନ ନେଇ ସେତେବେଳେ ଗାନ୍ିଜୀ ଓ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହି ଆଲୋଚନାକୁ ହିନ୍ଦୁ ମହାସଭା ତୀବ୍ର ବିରୋଧ କରୁଥିଲା। ସାବରମତୀ ଆଶ୍ରମରୁ ଗାନ୍ଧିଜୀ ବମ୍ବେ ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଗଡସେ ଓ ଏଲଜିଥାଟ୍ଟେ ନାମକ ଦୁଇଜଣ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ତେବେ ଆଶ୍ରମ ଅନ୍ତେବାସୀଙ୍କ ତତ୍ପରତା ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ପୁଲିସ ଗଡସେଙ୍କ ନିକଟରୁ ଏକ ଛୁରୀ ଜବତ କରିଥିଲା।

୧୯୪୬ ଜୁନ୍: ଏକ ସ୍ୱତନ୍ତ୍ର ଟ୍ରେନରେ ଗାନ୍ଧିଜୀ ସେତେବେଳେ ପୁଣେ ଅଭିମୁଖେ ଯାତ୍ରା କରୁଥିଲେ। ମଝି ରାସ୍ତାରେ ରେଳଧାରଣା ଉପରେ ବଡ ବଡ ପଥର ରଖାଯାଇଥିବାରୁ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଟ୍ରେନ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ କୌଣସି ଯାତ୍ରୀ ମୃତାହତ ହୋଇନଥିଲେ।

୧୯୪୮ ଜାନୁଆରୀ ୨୦: ନୂଆଦିଲ୍ଲୀର ବିର୍ଲା ଭବନରେ ପୁଣି ଗାନ୍ଧିଜୀଙ୍କୁ ହତ୍ୟା କରିବାକୁ ଆଉ ଏକ ଉଦ୍ୟମ ହୋଇଥିଲା। ଏହି ଅଭିଯାନକୁ ସଫଳ କରିବାକୁ ନାଥୁରାମ ଗଡସେଙ୍କ ସମେତ ମଦନଲାଲ ପାହୱା, ନାରାୟଣ ଆପ୍ତେ, ବିଷ୍ଣୁ କର୍କରେ, ଦିଗମ୍ବର ବାଡଗେ ପ୍ରମୁଖ ଷଡଯନ୍ତ୍ର ରଚିଥିଲେ। ପ୍ରଥମେ ମଞ୍ଚ ଉପରକୁ ବୋମାମାଡ କରିବାପରେ ଗାନ୍ଧିଜୀଙ୍କୁ ଗୁଳି କରାଯିବ ବୋଲି ସେମାନେ ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ସୁଲୋଚନା ଦେବୀ ନାମ୍ନୀ ମହିଳାଙ୍କ ତତ୍ପରତା ଯୋଗୁଁ ମଦନଲାଲ ଧରାପଡିଥିଲେ ଏବଂ ଏହି ଯୋଜନା ଭଣ୍ଡୁର ହୋଇଥିଲା।

Spread the love