ଭୁବନେଶ୍ୱରରୁ ଆଜି ଲକ୍ଷାଧିକ ଟଙ୍କାର ଜାଲ୍‍ ନୋଟ୍‍ ଜବତ

ଭୁବନେଶ୍ୱର : ଭୁବନେଶ୍ୱରରୁ ଆଜି ଲକ୍ଷାଧିକ ଟଙ୍କାର ଜାଲ୍‍ ନୋଟ୍‍ ଜବତ କରାଯାଇଛି। ଚାକିରୀ ନାଁରେ ଟଙ୍କା ନେଉଥିଲେ ଅସଲି ମାତ୍ର ଫେରାଉଥିଲେ ନକଲି। ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ।
ସୂଚନା ଅନୁସାରେ, ରାଜଧାନୀର ଖାରବେଳନଗର ଅଂଚଳରେ କିଛି ଯୁବକ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଓ ସରକାରୀ ସଂସ୍ଥାରେ ଚାକିରି ଦେବାକୁ ଚାକିରୀ ଆଶାୟୀ ମାନଙ୍କୁ କହୁଥିଲେ । ଏହିକ୍ରମରେ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଥିଲେ । ପରବର୍ତି ସମୟରେ ଚାକିରୀ ହୋଇନପାରିବା କହି ସେମାନଙ୍କୁ ନକଲି ନୋଟ ଫେରସ୍ତ କରୁଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣା ଉପରେ ନଜର ରଖିଥିଲା । ଗତକାଲିି ଜଣକୁ ୧୨ଲକ୍ଷ ଓ ଅନ୍ୟଜଣଙ୍କୁ ୩ଲକ୍ଷ ଫେରସ୍ତ ବେଳେ ସେଥିରୁ ୭ଲକ୍ଷ ଜାଲ ନୋଟ ବାହାରିଥିଲା । ନକଲି ଟଙ୍କା ଫେରସ୍ତ ପାଇଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଥିବା ବେଳେ ଆଜି ଦୁଇ ଅଭିଯୁକ୍ତଙ୍କୁ ଠାବ କରିଥିଲେ । ପଚରାଉଚରା ପରେ ସେମାନଙ୍କ ଠାରୁ ୭ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରାଯାଇଥିଲା । ପରେ ପୁଲିସ  ସେମାନଙ୍କୁ ଗିରଫ କରିଛି । ଗିରଫ ଦ୍ୱୟ ହେଲେ ସତ୍ୟନାରାୟଣ ପୃଷ୍ଟି ଓ ଭୁଲା ପ୍ରଧାନ । ଏମାନଙ୍କ ଠାରୁ ଜବତ ହୋଇଥିବା ନକଲି ଟଙ୍କା ସବୁ ୨୦୦ ଟଙ୍କିଆ ନୋଟ ରହିଛି । ପୁଲିସ ତଦନ୍ତ ବେଳେ ଅଭିଯୁକ୍ତମାନେ ନକଲି ନୋଟ ଛାପୁଥିବା ଜାଣିବାକୁ ପାଇଛି । ରାଜ୍ୟ ବାହାରୁ ଟଙ୍କା ଛପା ଶିଖିବା ପରେ ଭୁବନେଶ୍ୱରରେ ନିଜର କାରବାର ଆରମ୍ଭ କରିଥିଲେ । ଗଞ୍ଜାମରେ ଏମାନଙ୍କ ଟଙ୍କା ଛାପିବା କାରଖାନା ରହିଛି । ପୁଲିସ  ସେଠାରେ ଚଢାଉ କରି ମେସିନ, ପ୍ରିଂଟର ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି । ତେବେ ଜବତ ନକଲି ନୋଟ ଏମାନେ କେଉଁଠୁ ଆଣିଲେ ଓ କେବେ ଠାରୁ ଏଭଳି କାରବାର କରୁଛନ୍ତି, ସେନେଇ ପୁଲିସ ଖୋଳତାଡ କରୁଛି ।

Spread the love