ସୋମବାର ସୁଦ୍ଧା କେରଳ ଛୁଇଁବ ମୌସୁମୀ

ଭୁବନେଶ୍ବର :  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗରର ଅନେକ ଅଞ୍ଚଳ, ସମ୍ପୂର୍ଣ୍ଣ ମାଳଦ୍ବୀପ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଲାକ୍ଷାଦ୍ବୀପ ସହିତ କମୋରିଆ ଅଞ୍ଚଳରେ ପହଞ୍ଚି ସାରିଛି। ମୌସୁମୀ କେରଳ ଆସିବା ପାଇଁ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଅନୁକୂଳ ଥିବାରୁ ଆସନ୍ତା ୪୮ରୁ ୭୨ ଘଣ୍ଟା ଭିତରେ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ, ମେ ୨୭ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି। ବିଭିନ୍ନ ମଡେଲରେ ନିର୍ଦ୍ଧାରିତ ତାରିଖରୁ ୪ଦିନ ଆଗୁଆ କିମ୍ବା ପଛୁଆ ହୋଇପାରେ ବୋଲି ଆକଳନ କରାଯାଇଥିଲା। ସାଧାରଣ ଭାବେ ଜୁନ ୧ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ। ବର୍ତ୍ତମାନ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମୌସୁମୀ ବାୟୁ ଆରବ ସାଗରରେ ସକ୍ରିୟ ଥିବାରୁ ଦକ୍ଷିଣ-ପୂର୍ବ ଆରବ ସାଗର ଓ କେରଳ ଉପକୂଳରେ ବାଦଲ ଘନୀଭୂତ ହେଉଛି। ତା’ସହିତ ପଶ୍ଚିମାବାୟୁର ତୀବ୍ରତା ମଧ୍ୟ ବୃଦ୍ଧି ପାଉଛି। ପାଣିପାଗରେ ଏସବୁ ପରିବର୍ତ୍ତନ ଯୋଗୁଁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମି କେରଳ ଛୁଇଁବା ପରେ ପାଣିପାଗର ପରବର୍ତ୍ତୀ ସ୍ଥିତିକୁ ନେଇ ବିଭାଗ ମୌସୁମୀ ଅଗ୍ରସର ସମ୍ବନ୍ଧରେ ଆକଳନ ଜାରି କରିବ। ମୌସୁମୀ କେରଳ ଛୁଇଁ ସାରିଲା ପରେ ଓଡ଼ିଶାରେ କେବେ ପହଞ୍ଚିବ ତାହା ସ୍ପଷ୍ଟ ହେବ।
ଆଜି ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ୧୨ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ଗତକାଲି ପରି ପୁଣି ଆଜି ବୌଦ୍ଧ ସହର ୪୩ ଡିଗ୍ରୀ ତାପମାତ୍ରା ସହ ଉତ୍ତପ୍ତ ସହର ପାଲଟିଛି। ତା’ ତଳକୁ ସୁବର୍ଣ୍ଣପୁର ୪୨.୬, ପାରଳାଖେମୁଣ୍ଡି ୪୦.୮, ବରଗଡ ୪୧, ନୂଆପଡା ୪୦, ମାଲକାନଗିରି ୪୦.୫, ଟିଟିଲାଗଡ ୪୧, ବଲଙ୍ଗୀର ୪୧.୭, ସୁନ୍ଦରଗଡ ୪୦, ହୀରାକୁଦ ୪୦.୫, ସମ୍ବଲପୁର ୪୧.୨, ଝାରସୁଗୁଡା ୪୦.୮, ଭୁବଶ୍ବେର ୩୭.୯ ଏବଂ କଟକରେ ୩୯ ଡିଗ୍ରୀ ପାରଦ ରେକର୍ଡ ହୋଇଛି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ଗତ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ସହିତ ନୂଆପଡା, ବରଗଡ, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି।

Spread the love