୨୦ରେ ଛୁଇଁବ ଆଣ୍ଡାମାନ ସାଗର

ନୂଆଦିଲ୍ଲୀ : ମହାବାତ୍ୟା ମୋକା ସ୍ଥଳଭାଗ ଛୁଇଁବା ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଛି । ତେବେ ଏହାର ପ୍ରଭାବରେ ଉତ୍ତର-ପୂର୍ବ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଏବେ ସମସ୍ତଙ୍କ ଦୃଷ୍ଟି ଦକ୍ଷିଣ-ପୂର୍ବ ମୌସୁମୀର ଆଗମନ ଉପରେ ରହିଛି । ପାଣିପାଗ ବିଶେଷଜ୍ଞଙ୍କ ମତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨୦ ତାରିଖରେ ଆଣ୍ଡାମାନ ଛୁଇଁବ ଓ ୨୨ ତାରିଖ ସୁଦ୍ଧା ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜକୁ ଆବୃତ କରିବ । ଏହାର ୯ ଦିନ ପରେ  ଅର୍ଥାତ ଜୁନ ୧ରେ ଏହା କେରଳ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହି ତାରିଖରେ ୫ ଦିନ ଏପାଖ-ସେପାଖ ହୋଇପାରେ । ଜୁନରେ କେରଳ ଛୁଇଁବାର ୧୦-୧୨ ଦିନ ପରେ ମୌସୁମୀ ଓଡ଼ିଶା ଆସିଥାଏ । ଏଣୁ ଆସନ୍ତା ରଜ ସୁଦ୍ଧା ଓଡ଼ିଶାରେ ମୌସୁମୀ ପହଞ୍ଚିଥିବା ଆଶା କରାଯାଉଛି ।

ମାଡାଗାସ୍କର ନିକଟରେ ମାସକ୍ରେନାସ ହାଇ ନାମକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ମୌସୁମୀ ବାୟୁ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବାତ୍ୟା ମୋକା ଯୋଗୁଁ ଏବର୍ଷ ମୌସୁମୀ ପ୍ରଭାବରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରାଯାଉଥିଲା । କିନ୍ତୁ ମୌସୁମୀ ଆରମ୍ଭ ହେବା ପୂର୍ବରୁ ବାତ୍ୟା ଚାଲିଯାଇଥିବାରୁ ଏହାର ବିଶେଷ ପ୍ରଭାବ ମୌସୁମୀ ଉପରେ ପଡ଼ିବ ନାହିଁ । ଏଣୁ ମୌସୁମୀରେ ବିଶେଷ ବିଳମ୍ବ ହେବାର ଆଶଙ୍କା କମ । ତେବେ ମୌସୁମୀ ଉପରେ ଏଲ-ନିନୋର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି ।

Spread the love