ବନ୍ଦ ହେଲା ଅହମଦାବାଦ ‘ସି-ପ୍ଲେନ୍’ ସେବା

ଅହମଦାବାଦ ଏବଂ ଗୁଜରାଟର କେୱାଡ଼ିଆରେ ଥିବା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ମଧ୍ୟରେ ଚାଲିଥିବା ‘ସିପ୍ଲେନ୍‌’ ସେବା ୧୫ ଦିନ ପାଇଁ ବାତିଲ କରାଯାଇଛି। ଭାରତର ଏହି ପ୍ରଥମ ‘ସିପ୍ଲେନ୍’ ସେବା ଦୁଇ ସପ୍ତାହରୁ ଅଧିକ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଉଦ୍‌ଘ‌ାଟିତ ହୋଇଥିଲା।

ବେସାମରିକ ବିମାନ ଚଳାଚଳ ବିଭାଗର ନିର୍ଦେଶକ ଅଜୟ ଚୌହାନ କହିଛନ୍ତି ଯେ, ‘ସିପ୍ଲେନ୍‌’ର ଉଡ଼ାଣ ସମୟ ବୃଦ୍ଧି ପାଇଛି। ଯାଞ୍ଚ ଏବଂ ଆନୁସଙ୍ଗିକ ମରାମତି ନିମନ୍ତେ ତାହାକୁ ମାଳଦ୍ବୀପକୁ ପଠାଇ ଦିଆଯାଇଛି। ଏହି ‘ସିପ୍ଲେନ୍‌’ର ପରିଚାରକମାନେ ଅନ୍ୟ ଏକ ବିମାନରେ ଅହମଦାବାଦ ଫେରିବେ। ଫେରନ୍ତା ବିମାନଟି ଅହମଦାବାଦରେ ରହିବ।‘ସିପ୍ଲେନ୍‌’ଟିର ଯାଞ୍ଚ ଓ ମରାମତି କାର୍ଯ୍ୟ ୧୦ରୁ ୧୫ ଦିନ ଲାଗିବ। ଏହାପରେ ‌ଅହମଦାବାଦ ସାବରମତୀ ନଦୀତଟରୁ କେୱାଡ଼ିଆସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ମଧ୍ୟରେ ପୁଣି ଚଳାଚଳ ଆରମ୍ଭ କରିବ।

‘ସ୍ପାଇସ୍‌ଜେଟ୍‌’ଦ୍ବାରା ଭାରତରେ ପ୍ରଥମ କରି ‘ସିପ୍ଲେନ୍‌’ ସେବା ଆରମ୍ଭ ହୋଇଛି। ମାତ୍ର ଏଥିରେ ବ୍ୟବହୃତ ବିମାନଟି ୫୦ ବର୍ଷ ପୁରାତନ। କିନ୍ତୁ, ଏହା ସମ୍ପୂର୍ଣ୍ଣ ନିରାପଦ ଏବଂ ନିୟମିତ ଯାଞ୍ଚ କରାଯାଉଛି ବୋଲି ‘ସ୍ପାଇସ୍‌ ଜେଟ୍‌’ ସିଏମ୍‌ଡି ଅଜୟ ସିଂହ କହିଥିଲେ।

Spread the love