ସିଲ୍ ହେଲା ମୁନ୍ ହସ୍ପିଟାଲ; ତଦନ୍ତ ଜାରି
ବ୍ରହ୍ମପୁର : ନୂଆ ବସଷ୍ଟାଣ୍ଡ ରୋଡରେ ଥିବା ଘରୋଇ ମୁନ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ପରେ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ହସ୍ପିଟାଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ କରିବା ପରେ ଅଧିକ ଖୋଳତାଡ ଜାରି ରହିଛି । ସୂଚନା ପ୍ରକାରେ, ଜରଡ଼ା ଥାନା ଅନ୍ତର୍ଗତ ତୁମ୍ବାଗଡ଼ ପଞ୍ଚାୟତର ସିନ୍ଦୁରାବଡ଼ା ଗ୍ରାମର ବିଜୟ ପ୍ରଧାନ (୩୦) ଗତ ଦୁଇଦିନ ପୂର୍ବେ ଦୁର୍ଘଟଣାରେ ଆହତ ହୋଇଥିଲେ । ତୁମ୍ବା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ସେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ଆସିଥିଲେ । ଏଠାରେ ଜଣେ ବ୍ୟକ୍ତି ନିଜକୁ ମୁନ ହସ୍ପିଟାଲର କର୍ମଚାରୀ ଦର୍ଶାଇ ତାଙ୍କୁ ଉକ୍ତ ହସ୍ପିଟାଲ୍କୁ ସ୍ଥାନାନ୍ତର କରିଥିଲେ । ସେଠାରେ ଶନିବାର ରାତିରେ ବିଜୟଙ୍କ ଅସ୍ତ୍ରୋପଚାର କରାଯିବା ପାଇଁ କୁହାଗଲା । ରାତିରେ ଅସ୍ତ୍ରୋପଚାର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନିଶ୍ଚେତକ ଦେବା ପରେ ଡ଼ାକ୍ତର ଅସ୍ତ୍ରୋପଚାର ଜାରି ରହିଥିବା ବେଳେ ବିଜୟଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇଥିଲା । ଏହି ସମୟରେ ମୁନ ହସ୍ପିଟାଲ କର୍ତ୍ତୃପକ୍ଷ ସେଠାରେ ତାଙ୍କର ଚିକିତ୍ସା କରିବା ପରିବର୍ତ୍ତେ ନିଜେ ଏକ ଆମ୍ବୁଲାନ୍ସ ଯୋଗେ ପୁନଃ ବଡ଼ ମେଡ଼ିକାଲକୁ ନେଇଯାଇଥିଲେ । ସେଠାରେ ଡ଼ାକ୍ତର ବିଜୟଙ୍କୁୁ ମୃତ ଘୋଷଣା କରିଥିଲେ । ତେବେ ମୁନ୍ ହସ୍ପିଟାଲରେ ଭୁଲ ଆନାସ୍ଥେସିଆ ଦିଆଯିବା ଯୋଗୁଁ ବିଜୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଅପରେସନ ବେଳେ ଗୁରୁତର ହେବାରୁ ମେଡ଼ିକାଲ କର୍ତ୍ତୃପକ୍ଷ ତରବରିଆ ଭାବେ ବିଜୟଙ୍କ ସମ୍ପର୍କୀୟଙ୍କ ଠାରୁ ଜୋରଜବରଦସ୍ତ ଦସ୍ତଖତ ନେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ତେବେ ମୃତ ବିଜୟଙ୍କ ଶବ ବ୍ୟବଛେଦ ପରେ ତାଙ୍କ ପରିବାର ଓ ସମ୍ପର୍କୀୟ ମୁନ ହସ୍ପିଟାଲରେ ଦିର୍ଘ ସମୟ ଧରି ଧାରଣାରେ ବସିଥିଲେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି ମୃତକଙ୍କ ପରିବାରକୁ ରେଡ଼କ୍ରସରୁ ୩୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମୁନ୍ ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତାହାପରେ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଥିଲା । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ପ୍ରକାଶ ପାଇଛି । ସହରରେ ବେଆଇନ ଓ ମନମାନି କରି ଚଳାଉଥିବା ସମସ୍ତ ଘରୋଇ ମେଡ଼ିକାଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଏନେଇ ପ୍ରଶାସନିକ ସ୍ତରରେ ମଧ୍ୟ ଆଲୋଚନା ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏନେଇ ଜିଲ୍ଲାପାଳ ରିପୋର୍ଟ ତଲବ କରିଥିବା ବେଳେ ରିପୋର୍ଟ ଆଧାରରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଉପ-ଜିଲ୍ଲାପାଳ ଅବିନାଶ କୁମାର ।
