ନିଜର ହକ୍ ଜଣାଇବାକୁ ରାଜରାସ୍ତାକୁ ଓହ୍ଲାଇବେ ୫୦ ହଜାରରୁ ଅଧିକ ଶିକ୍ଷକ

ଭୁବନେଶ୍ୱର: ଅଗଷ୍ଟ ୧୬ ତାରିଖ ଅର୍ଥାତ ଆଜି ଶିକ୍ଷକ ଦାବୀ ଦିବସରେ ନିଜର ହକ୍ ଜଣାଇବାକୁ ୫୦ ହଜାର ରୁ ଉର୍ଦ୍ଧ୍ଵ ଶିକ୍ଷକ, ଶିକ୍ଷିକା ଓ ଶିକ୍ଷା କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ।  ଏ ନେଇ ସୂଚନା ଦେଇଥିଲେ  ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ  ସାଧାରଣ ସଂପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାଶ । ଆଜି ଦିନ  ୧୨ ଘଟିକାରେ କଂଗ୍ରେସ ଭବନ ସାମ୍ନାରୁ  ଏକ ବିଶାଳ ପଟୁଆର ବିଧାନସଭା ଅଭିମୁଖେ ବାହାରିବ।  ବିଭିନ୍ନ ଦୃଷ୍ଟିକୋଣରୁ ସରକାରୀ ଅବହେଳା ପାଇଁ ନିଜର ଅଧିକାରରୁ ବଞ୍ଚିତ ହୋଇଥିବା ଏହି ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ଏକାଠି  ହୋଇ ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବେ।  

ଗୋଟିଏ ବିଦ୍ୟାଳୟ ଭିତରେ ସମାନ ଯୋଗ୍ୟତା ଥାଇ ମଧ୍ୟ  ଶିକ୍ଷକମାନଙ୍କ ଭିତରେ ଦରମା ତାରତମ୍ୟ,  ଚାକିରୀ ସର୍ତ୍ତାବଳି  ଆଦିରେ ତାରତମ୍ୟ ରଖିନଥିବା କାରଣରୁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ରଖିବେ ଶିକ୍ଷକ।  ପ୍ରାଥମିକଠାରୁ ମାଧ୍ୟମିକ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡ଼ିକରେ ଶୂନ୍ୟ ପଡିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦବୀକୁ ତୁରନ୍ତ ପୂରଣ କରାଯାଇ ଓ ଶିକ୍ଷକମାନଙ୍କୁ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ନକରି ସମ୍ପୂର୍ଣ ଶିକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯିବା ସହିତ, ଚାକିରୀରୁ ଅବସର ନେଇଯାଉଥିବା ଶିକ୍ଷକମାନଙ୍କର ପେନସନ୍‌, ଭବିଷ୍ୟନିଧି ପାଣ୍ଠି ମିଳିବାରେ ଅନିୟମିତତା ଦେଖାଯାଇଥିବା ଫଳରେ, ଶିକ୍ଷକମାନେ ଅମଲାତାନ୍ତ୍ରିକ ଚକ୍ରାନ୍ତର ଶିକାର ହୋଇ ବାରମ୍ବାର ଶିକ୍ଷାବିଭାଗର ବିଭିନ୍ନ ଦସ୍ତରକୁ ଦୌଡ଼ିବାକୁ ବାନ୍ଧି ହେଉଛନ୍ତି । ଏହି ଦିଗରେ ସରକାରୀ ନିର୍ଦ୍ଦେଶନାମା ”ସଂକଳ୍ପକୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଇନାହିଁ ବୋଲି ଓଷ୍ଟା ପକ୍ଷରୁ  ପ୍ରକାଶ କରାଯାଇଛି ।

Spread the love