ଭତ୍ତା ଟଙ୍କା ନେଇ ଦୁର୍ବୃତ୍ତ ଫେରାର

ଆନନ୍ଦପୁର: ଭତ୍ତା ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଘଷିପୁର ବ୍ଲକ ଅଧୀନ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଳଦେଇ ପହଞ୍ଚାୟତ କାର୍ଯ୍ୟାଳୟରେ ଆଜି ଅପରାହ୍‌ଣ ସମୟରେ ଏହି ଅଘଟଣ ଘଟିଛି। ଥାନାରେ ଏତଲା ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ଆଜି ସାଳଦେଇ ପଞ୍ଚାୟତ କାର୍ଯ୍ୟାଳୟରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ଟଙ୍କା ବଣ୍ଟନ କରାଯାଉଥିଲା। ଜିଆରଏସ୍‌ ଅଶୋକ ସାହୁ ଏହି ଟଙ୍କା ବାଣ୍ଟୁଥିଲେ। ଅପରାହ୍‌ଣ ପ୍ରାୟ ୧୨ଟା ୪୫ରେ ସାଳଦେଇ ଗାଁର ନୀଳମଣି ଦଲେଇ ନାମକ ଜଣେ ଯୁବକ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲା। ସେ ଜିଆରଏସ ଶ୍ରୀ ସାହୁଙ୍କ ସହିତ କୌଣସି କାରଣକୁ ନେଇ ଯୁକ୍ତିତର୍କ କରିଥିଲା। ଶ୍ରୀ ସାହୁ ଏହାର ପ୍ରତିବାଦ କରିବାରକୁ ଅଭିଯୁକ୍ତ ନୀଳମଣି ଦଳେଇ ଧମକ ଦେବା ସହିତ ମାଡ଼ ମଧ୍ୟ ମାରିଥିଲା। ଏହା ପରେ ଭତ୍ତା ବଣ୍ଟନ ପାଇଁ ଥିବା ଟଙ୍କା ବଳପୂର୍ବକ ଛଡ଼ାଇ ନେଇ ‌ଘଟଣାସ୍ଥଳରୁ ଫେରାର ମାରିଥିଲା।

ଅଭିଯୁକ୍ତ ନୀଳମଣି ଦଳେଇ ଟଙ୍କା ଫେରାର ହୋଇଯିବା ପରେ ଶ୍ରୀ ସାହୁ ଥାନାରେ ଏତଲା ଦେଇଛନ୍ତି। ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କୁ ଭତ୍ତା ଟଙ୍କା ବାଣ୍ଟୁଥିଲେ। ଏହି ସମୟରେ ଅଭିଯୁକ୍ତ ନୀଳମଣି ଦଳେଇ ପଞ୍ଚାୟତ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରି ଧମକାଇଥିଲା। ମାଡ଼ମାରିବା ପରେ ଲକ୍ଷାଧିକ ଟଙ୍କା ନେଇ ଫେରାର ହୋଇଯାଇଥିଲା।

ଜିଆରଏସ୍‌ଙ୍କ ଠାରୁ ଏତଲା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି। ଫେରାର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି।

Spread the love