ବଙ୍ଗୋପସାଗରରେ ଉତ୍ପତି ହେଉଥିବା ଅଧିକାଂଶ ବାତ୍ୟା ଭାରତ ଉପକୂଳକୁ ଆକ୍ରାନ୍ତ କରେ: ବିଶିଷ୍ଟ ବୈଜ୍ଞାନିକ
ଭୁବନେଶ୍ୱର, ନଭେମ୍ବର ୭: ବଙ୍ଗୋପସାଗରରୁ ଉତ୍ପତି ହେଉଥିବା ଅଧିକାଂଶ ସାମୁଦ୍ରିକ ବାତ୍ୟା ଭାରତର ତଟୀୟ ଅଂଚଳକୁ ପ୍ରଭାବିତ କରିଥାଏ ଏବଂ ବିଶେଷ କରି ଓଡ଼ିଶାରେ ଏହା ଦ୍ୱାରା ବହୁମାତ୍ରାରେ ଧନଜୀବନର କ୍ଷତି ହୋଇଥାଏ ।
ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ୧୮୯୧ ରୁ ୧୯୯୪ ମସିହା ମଧ୍ୟରେ ବଙ୍ଗୋପ ସାଗରରୁ ଉତ୍ପତି ହୋଇଥିବା ବାତ୍ୟା ଗୁଡ଼ିକ ମଧ୍ୟରୁ ୫୮ ପ୍ରତିଶତ ଭାରତୀୟ ଉପକୂଳରେ ଧ୍ୱଂସଲୀଳା ରଚିଥିବା ବେଳେ ୧୫.୫ ପ୍ରତିଶତ ବଙ୍ଗଳାଦେଶକୁ ଆକ୍ରାନ୍ତ କରିଥିଲା । ଏହାର ୭.୫ ପ୍ରତିଶତ ମିଆଁମାର ଆଡ଼କୁ ଗତି କରିଥିବା ବେଳେ ୧ ପ୍ରତିଶତ ଶ୍ରୀଲଙ୍କାକୁ ଆକ୍ରାନ୍ତ କରିଥିଲା । ଏଥିରୁ ୧୮ ପ୍ରତିଶତ ସମୁଦ୍ର ମଧ୍ୟରେ ପ୍ରକୋପ ହରାଇ ନଷ୍ଟ ହୋଇଯାଇଥିଲା ବୋଲି ମଙ୍ଗଳବାର ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ଉମା ଚରଣ ମହାନ୍ତି କହିଛନ୍ତି ।
ପ୍ରଫେସର ମହାନ୍ତି ଭାରତୀୟ ପାଣିପାଗ ବିଭାଗର ୧୫୦ ବର୍ଷ ପୂର୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ବକ୍ତୃତା ଦେଇ ଏହା କହିଥିଲେ । ଏହି କାର୍ଯ୍ୟକ୍ରମ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସହଯୋଗରେ ଆୟୋଜିତ ହୋଇଥିଲା ।
ପୂର୍ବରୁ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ଭୁବନେଶ୍ୱରରେ ଆଟମସଫେରିକ୍ ସାଇନ୍ସେସ୍ ବିଭାଗରେ ଅଧ୍ୟାପନା କରିଥିବା ପ୍ରଫେସର ମହାନ୍ତି କହିଥିଲେ ଯେ ୧୯୦୧ ଓ ୨୦୦୧ ମସିହା ମଧ୍ୟରେ ଓଡ଼ିଶା ୧୦୦ରୁ ଅଧିକ ଥର ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇଛି ଯାହାର ସଂଖ୍ୟା ସବୁ ତଟୀୟ ପ୍ରଦେଶମାନଙ୍କ ଠାରୁ ଅଧିକ । ଆରବ ସାଗର ଅପେକ୍ଷା ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ ବୋଲି ସେ କହିଥିଲେ ।
ବର୍ତମାନ ପ୍ରଫେସର ମହାନ୍ତି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲ୍ଚର ଠାରେ ଡିଷ୍ଟିଙ୍ଗୁଇସ୍ଡ୍ ପ୍ରଫେସର ଭାବେ କାର୍ଯ୍ୟ କରୁଛିନ୍ତି ।
ଭର୍ଚୁଆଲି ଆୟୋଜିତ ଏହି ବକ୍ତୃତାରେ ଭୁ-ବିଜ୍ଞାନ ମନ୍ତ୍ରଣାଳୟର ସଚୀବ ଡ. ଏମ୍. ରବିଚନ୍ଦ୍ରନ୍ ଯୋଗ ଦେଇଥିଲେ । ଭାରତୀୟ ପାଣିପାଗ ବିଭାଗର ଡାଇରେକ୍ଟର ଜେନେରାଲ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏଥିରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ବକ୍ତବ୍ୟ ରଖିଥିଲେ । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ତଥା ଅନେକ ପାଣିପାଗ ବିଶେଷଜ୍ଞ, ଗବେଷକ ଓ ଶିକ୍ଷକ ଏଥିରେ ଯୋଗ ଦେଇଥିଲେ ।
ପ୍ରଫେସର ମହାନ୍ତି କହିଥିଲେ ଯେ ବଙ୍ଗୋପ ସାଗରରୁ ଉତ୍ପତି ହେଉଥିବା ବାତ୍ୟାଗୁଡ଼ିକ ପୃଥିବୀର ବିଭିନ୍ନ ପ୍ରାନ୍ତରେ ହେଉଥିବା ବାତ୍ୟା ଗୁଡ଼ିକର ମାତ୍ର ୫ ପ୍ରତିଶତ ହୋଇଥିଲେ ମଧ୍ୟ ଭାରତୀୟ ଉପକୂଳକୁ ଆଘାତ କରୁଥିବା ଘୁର୍ଣ୍ଣିଝଡ଼ ଗୁଡ଼ିକ ଅଧିକ ମାତ୍ରାରେ ଧନଜୀବନର କ୍ଷତି କରିଥାନ୍ତି ।
ଗତ ୩୦୦ ବର୍ଷ ମଧ୍ୟରେ ପୃଥିବୀରେ ୫୦୦୦ରୁ ଅଧିକ ଲୋକଙ୍କର ଜୀବନ ନେଇଥିବା ବାତ୍ୟାଗୁଡ଼ିକ ମଧ୍ୟରୁ ୭୪ ପ୍ରତିଶତ ବଙ୍ଗୋପସାଗରରୁ ଉତ୍ପତି ହୋଇଥିଲା ବୋଲି ସେ କହିଥିଲେ । ୧୯୭୦ ମସିହାରେ ବଙ୍ଗଳାଦେଶରେ ଧ୍ୱଂସ ସାଧନ କରିଥିବା ବାତ୍ୟା ‘ଭୋଳା’ ୩ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲା । ପ୍ରଫେସର ମହାନ୍ତି କହିଥିଲେ ଯେ ଅତିମାତ୍ରାରେ ଧ୍ୱଂସ ସାଧନ କରୁଥିବା କ୍ୟାଟେଗୋରୀ ୪ ଓ ୫ ବାତ୍ୟାର ସଂଖ୍ୟା ୧୯୭୦ ପରଠାରୁ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ସେ କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗ ସାମୁଦ୍ରିକ ବାତ୍ୟା ବିଷୟରେ ଆଗୁଆ ତଥ୍ୟ ପ୍ରଦାନ କରିବାରେ ଗତ ୧୭ ବର୍ଷ ମଧ୍ୟରେ ଅନେକ ଉନ୍ନତି କରିଛି । ଏହା ଫଳରେ ସରକାର ଓ ଜନସାଧାରଣ ଠିକ୍ ସମୟରେ ବାତ୍ୟା ବିଷୟରେ ତଥ୍ୟ ପାଇପାରୁଛନ୍ତି । ବିଜ୍ଞାନର ଅଗ୍ରଗତି ଫଳରେ ଏହା ସମ୍ଭବ ହୋଇପାରୁଛି ।