ମୋଟର ସାଇକେଲ ଦୁର୍ଘଟଣାରେ ଉମାକାନ୍ତଙ୍କ ଦୁଇ ଗୋଡ଼ ଓ ହାତ ଅଚଳ

ବରଗଡ଼, ୨୩/୦୮: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଝର୍ ପଞ୍ଚାୟତ ଗଣ୍ଡପାଲି ଗାଁର ଉମାକାନ୍ତ ବାଙ୍କଙ୍କ ପରିବାରକୁ ଦାଉ ସାଧିଛି ଭାଗ୍ୟ । ପକ୍ଷଘାତ ରୋଗ ଆକ୍ରାନ୍ତରେ ପୁଅର ଗୋଡ଼ ହାତ ଅଚଳ ହୋଇପଡିଛି। ଛଅ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେବାପାଇଁ ପରର ମୂଲ ଲାଗୁଛନ୍ତି ୮୦ ବର୍ଷୀୟା ବୃଦ୍ଧା ମାଆ । ୫ ପ୍ରାଣୀଙ୍କ ପେଟକୁ ଦାନା ଖଞ୍ଜିବାକୁ ନିଅଣ୍ଟ ରୋଜଗାରରେ ଓଳିଏ ଖାଇଲେ ଓଳିଏ ଓପାସ ରହିବାକୁ ପଡୁଛି । ହେଲେ ପୁଅର ଉନ୍ନତ ଚିକିତ୍ସା ପାଇଁ ପାଖରେ ପଇସା ଆସିବ କୁଆଡୁ ।

ଉମାକାନ୍ତ ବାଙ୍କ ଜଣେ ରାଜ ମିସ୍ତ୍ରୀ ଭାବେ କାମ କରି ପରିବାର ଚଳାଉଥିଲେ। ଖୁସିରେ ଚାଲିଥିଲା ନିଜର ତେଲ ଲୁଣର ସଂସାର କିନ୍ତୁ ତାଙ୍କ ପରିବାର ଉପରେ ହଠାତ ଛିଣ୍ଡି ପଡିଥିଲା ଦୁଃଖର ବାଦଲ । ଉମାକାନ୍ତଙ୍କ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଦୁଇ ଗୋଡ଼ ଓ ହାତ ଅଚଳ ହୋଇଯାଇଥିଲା ।ପରିବାର ଲୋକେ ବରଗଡ଼, ବୁର୍ଲା ବଡ଼ମେଡିକାଲ ପରେ କଟକ ବଡ଼ ମେଡିକାଲକୁ ନେଇ ଚିକିତ୍ସା କରିଥିଲେ । ହେଲେ ଡାକ୍ତର ଉମାକାନ୍ତଙ୍କୁ ପକ୍ଷ।ଘାତ ରୋଗ ହୋଇଥିବା ସହ ଅଳ୍ପ କିଛିଦିନ ବଞ୍ଚିବେ ବୋଲି କହିଥିଲେ । ପରେ ପରିବାର ଲୋକେ ନିରାଶ ହୋଇ ଘରକୁ ଫେରି ଆସିଥିଲେ । ଦୀର୍ଘ ୪ବର୍ଷ ଧରି ଉମାକାନ୍ତଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ପରିବାର କହିଲେ ୮୦ ବର୍ଷୀୟ ମା ଜୟ କୁମାରୀ, ସ୍ତ୍ରୀ ତନୁଜା, ବଡ଼ ଝିଅ ସ୍ୱପ୍ନା, ପୁଅ କ୍ରୀଷ୍ଣ। ଓ ସାନ ଝିଅ ସୃତି। ସ୍ତ୍ରୀ ତନୁଜା ସ୍ୱାମୀଙ୍କର ଏପରି ଅବସ୍ଥା ପରେ ଅନ୍ୟତ୍ର କୁଆଡେ ଯାଇ ରହୁଛନ୍ତି । ଆଉ  ପରିବାରର ବୋଝ ଏବେ ମା ଜୟ କୁମାରୀଙ୍କ ଉପରେ ।ଆଖିକୁ ଭଲରେ ଦିଶୁ ନାହିଁ କି କାନକୁ ଠିକ ସେ ଶୁଭୁନାହିଁ । ହେଲେ ପରର ମୂଲ ଲାଗି ଦି ପଇସା ଘରକୁ ଆଣି ଚଳାଇବା କଷ୍ଟ ସାଧ୍ୟ ହୋଇପଡୁଛି । ପୁଅର ଏପରି ଅବସ୍ଥା ଦେଖି ମା ଆଖିରୁ ଅନବରତ ଲୁହ ଝରୁଛି ।

ବଡ଼ ଝିଅ ସ୍ୱାତୀ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଘରେ ରୋଷେଇରେ ସହାୟତା କରୁଛନ୍ତି । ପଢ଼ିବାର ବହୁ ଇଚ୍ଛା ହେଲେ, ଏପରି ଅବସ୍ଥାରେ ଅର୍ଥ ବାଧକ ସାଜିଛି । ଘରେ ରୋଗୀଣା ବାପା ଓ ପରିବାର ଚଳିବା କଷ୍ଟ ସବୁ ସ୍ବପ୍ନକୁ ଧୂଳିସାତ କରିଦେଇଛି । ନିଜ ଦୁଃଖ କାହାକୁ ନକହି ମନ ଭିତରେ ଚାପି ଚାପି ରହିବାକୁ ପଡୁଛି ଏପରି ସ୍ଥିତିରେ ନିଉଜ ସେଭେନ ଟିମ୍‌ ଆଗରେ କଇଁ କଇଁ ହୋଇ କାନ୍ଦି ନିଜର ଦୁଃଖ ଜଣାଇଛନ୍ତି ସ୍ୱାତୀ । ନିଜେ ପାଠ ପଢିବାକୁ ବହୁତ ଇଛା ହେଲେ କେଉଁଠି କାମ କରି ପାଠ ଟିକେ ପଢିବା ସହ ଘର ଚଳାଇବାକୁ ଆଶା ରଖିଛନ୍ତି । ଏଭଳି ସ୍ଥିତି ଦେଖି ପାଖ ପଡ଼ୋଶୀଙ୍କ ଆଖିରୁ ଲୁହ ଝରି ପଡୁଛି । ସାହାଯ୍ୟ ସହଯୋଗ ଯେତେ କଲେବି ନିଅଣ୍ଟ ତଥାପି ବୁଢ଼ୀ ମାଆର ୫ଶହ ଭତା ଟଙ୍କା ଓ ସରକାରଙ୍କ ୨୫ କେଜି ଚାଉଳରେ ପରିବାର ଚଳୁଛି । ତଥାପି ଯଦି ସରକାର ଭିନ୍ନକ୍ଷମ ଭତା ସହ ଉନ୍ନତ ଚିକିତ୍ସା ଯୋଗାଇ ଦିଅନ୍ତେ ତା ହେଲେ କିଛିଟା ଦୁଃଖ ଦୂର ହୋଇ ପାରନ୍ତା ବୋଲି କହିଛନ୍ତି ପଡୋଶୀ ।ଅନ୍ୟ ପକ୍ଷରେ ସୋହେଲା ବିଡ଼ିଓ କହିଛନ୍ତି ସରକାରୀ ସ୍ତରରେ ସମସ୍ତ ସୁବିଧା ସୁଯୋଗ ତୁରନ୍ତ ପରିବାରକୁ  ଯୋଗେଇ ଦିଆଯିବ ।

Spread the love