ଜୀବନ ତ ଅଛି କିନ୍ତୁ ଶରୀର ଲାଗୁଥିଲା ସମ୍ପୂର୍ଣ୍ଣ ନିର୍ଜୀବ, ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର ହେଲେ ମାଆ ପୁଅ

ଜୀବନ କା ପାଇଁ ଖେଳ ତ କା ପାଇଁ କାଳ। ଆଉ କେହି କେହି ଜୀବନକୁ ଜିଇବାର ରାହା ଖୋଜୁ ଖୋଜୁ ହୋଇଯାନ୍ତି ବାଟବଣା । ସବୁ ସମୟର ଖେଳ। କୁହାଯାଏ ନା, ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ । ଆଉ ଆମେ ଏ କଥା କାହିଁକି କହୁଚୁ, ଏ ଭିଡ଼ିଓ ଦେଖିଲେ ଆପଣ ନିଶ୍ଚୟ ଜାଣିପାରିବେ। ଦେହରେ ଦିଶୁଛି କଙ୍କାଳ, ହାଡ ସବୁ ଗଣି ହୋଇଯାଉଛି। ଘରର କବାଟ ପାଖରେ ମୁର୍ମୁଷୁ ଅବସ୍ଥାରେ ପଡିଛି ପୁଅ। ଏପଟେ ମାଆ ପଲିଥିନରେ ଗୁଡାଇ ହୋଇ ପଡିଛି। ଏ ଚିତ୍ରକୁ ଯିଏ ଦେଖୁଥିଲା ହୃଦୟ ଥରିଯାଉଥଲା। କାହିଁକିନା ଏମାନଙ୍କ ପିଣ୍ଡରେ ପ୍ରାଣ ତ ଥିଲା କିନ୍ତୁ ଶରୀର ଲାଗୁଥିଲା ନୀର୍ଜିବ। ଏମାନଙ୍କୁ ଦେଖିଲେ ମନରେ ଗୋଟିଏ କଥା ଆସୁଥିଲା କଣ ମଣିଷ ଜୀବନ ଏମିତିି। ବିଶ୍ୱାସ କରନ୍ତୁ ଆପଣ ବି ଚିତ୍ର ଦେଖିଲେ ଆପଣଙ୍କ ମନରେ ନିଶ୍ଚିତ ଆଘାତ ଲାଗିବ। ଗୋଟିଏ ପରିତ୍ୟକ୍ତ ଘରୁ ଉଦ୍ଧାର ହେଲେ ମାଆ ପୁଅ। ଯେଉଁମାନଙ୍କ ଅବସ୍ଥା ଏତେ ଖରାପ ଥିଲା ଯେ ଆପଣ ଭାବିବେ ବୋଧହୁଏ ଭଗବାନଙ୍କ ନଜର ଏମାନଙ୍କ ଉପରେ ବିଲକୁଲ ପଡିନି। ନଚେତ ଏ ମାଆ ପୁଅ ଏମିତି ଅବସ୍ଥାରେ ଜୀବନ କେମିତି କାଟିପାରୁଥାନ୍ତେ। ଦୀର୍ଘ ୨୦ ଦିନ ଧରି ଭୋକ ଉପାସରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଥିଲେ ଏହି ମାଆ ପୁଅ ଦୁଇ ଜଣ।ମନକୁ ବ୍ୟଥିତ କରୁଥିବା ଭଳି ଏ ଚିତ୍ର ହେଉଛି ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ସହରର। କିନ୍ତୁ ଏ ଦୃଶ୍ୟ ଦେଖି ଲାଗୁଛି ଶିଳ୍ପ ସମୃଦ୍ଧ ଜିଲ୍ଲାର ଏ ହେଉଛି ବିକଳ ଚିତ୍ର। ଜିଲ୍ଲାର ତ ବିକାଶ ହୋଇଛି ଅନେକ କଳକାରଖାନା ମଧ୍ୟ ଗଢ଼ି ଉଠିଛି। କିନ୍ତୁ ଏ ମାଆ ପୁଅଙ୍କ ଘର ଆଉ ଏମାନଙ୍କ ଅବସ୍ଥା ଦେଖି ଲାଗୁଛି ଯେମିତି ସମୟ ସହିତ ଏମାନେ ପଛକୁ ପଳାଇଛନ୍ତି। ରାଜଗାଙ୍ଗପୁର ସହର ଭିତରେ ରହୁଥିବା ଏହି ମା ଓ ପୁଅଙ୍କର ଅବସ୍ଥାକୁ ନିଜ ଅ।ଖିରେ ନଦେଖିଲେ କେହିବି ବିଶ୍ଵାସ କରିପାରିବେନି।

ଦୀର୍ଘ ୧୫ ରୁ ୨୦ ଦିନ ହେବ ଘର ଭିତରେ ପଡି ରହିଥିଲେ ଜଣେ ୬୦ ବର୍ଷୀୟ ବୃଦ୍ଧା ଓ ତାଙ୍କ ସହ ତାଙ୍କ ରୋଗିଣା ପୁଅ।। ଘର ଭିତରେ ମାଆ ପଲିଥିନ୍‌ ଗୁଡାଇ ହୋଇ ପଡିଛି ଏପଟୋ ପୁଅ ଘରର କବାଟ ପାଖରେ ଅତି ଦୟନୀୟ ଅବସ୍ଥାରେ ପଡିରହିଛି। ମାଆ ପୁଅଙ୍କ ଏଭଳି ଚିତ୍ର ନିହାତି ଭାବରେ ହୃଦୟ ଥରାଇଦେବ, ଆଖିରେ ଲୁହ ଆଣିଦେବ। ଗରିବ ଓ ଦାରିଦ୍ୟତା ଏମାନଙ୍କୁ ଏତେ ମାତ୍ରାରେ ବାନ୍ଧି ଦେଇଛି ଯେ ସେମାନେ ନିଜେ ବି ଜାଣୁପାରୁନାହାଁନ୍ତି ସେମାନେ କିଭଳି ଅବସ୍ଥାରେ ଅଛନ୍ତି। କିନ୍ତୁ ସୌଭାଗ୍ୟବଶତଃ କିଛି ସ୍ଥାନୀୟ ଲୋକଙ୍କ ନଜର ଏମାନଙ୍କ ଭଙ୍ଗା ଦଦରା ଘର ଉପରେ ପଡିଥିଲା। ଆଉ ଘର ଭିତରକୁ ଯାଇ ଏ ସୋଚନୀୟ ଅବସ୍ଥା ଦେଖିବା ପରେ ଗଣମାଧ୍ୟମ ଓ ସମାଜସେବୀଙ୍କୁ ଖବର ଦେଇଥିଲେ। ଆଉ ସେମାନେ ଆସି ଏମାନଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କଲେ। ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ରହିଛି।

ସୂଚନା ମୁତାବକ ଦୀର୍ଘ ୨୦ ବର୍ଷ ହେବ ମିଳନ ଟକିଜ ନିକଟରେ ଏକ ଭଙ୍ଗା ଦଦରା ଛପର ଘରେ ରହୁଛନ୍ତି ୬୦ ବର୍ଷୀୟ ବୃଦ୍ଧା ସୋନିବାଇ ଶର୍ମା ଓ ତାଙ୍କ ୩୫ ବର୍ଷୀୟ ପୁଅ ବୟିଜୁ ଶର୍ମା । ବହୁ ପୂର୍ବରୁ ସୋନିବାଇଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏକ ମାତ୍ର ପୁଅ ବୟିଜୁକୁ ନେଇ ବଡ ଦୁଃଖରେ ଚଳୁଥିଲେ। ଆଉ ମନରେ ଏଇ ଆଶା ରଖିଥିଲେ ଯେ ପୁଅ ବଡ଼ ହୋଇ ସାହା ହେବ । ମାତ୍ର ପୁଅ ଅବାଟରେ ଚାଲିଗଲା । ନିଶା ଖାଇ ମାନସିକ ଭାରସାମ୍ୟ ହରାଇଥିଲା । ପୁଅ ଚିନ୍ତାରେ ମାନସିକ ଚାପ ଯୋଗୁ ରୋଗୀଣା ହୋଇପଡିଲେ ମାଆ ସୋନିବାଇ । ରୋଗ ଯୋଗୁ କାମ କରି ପାରିଲେ ନାହିଁ ଶେଷରେ ଆଖିକୁ ଭି ଦେଖା ଗଲା ନାହିଁ। ପୁଅ ରୋଷେଇ କରିଦେଲେ ଯାଇ ଖାଇବାକୁ ମିଳୁଥିଲା । କେବେ ମିଳୁଥିଲା ତ କେବେ ଉପାସ ରହୁଥିଲେ । କେତେବେଳେ କେମିତି ପାଖ ପଡିଶା ଖାଇବା ଦେଇ ଯାଉଥିଲେ । କିନ୍ତୁ ଦୀର୍ଘ ୧୫ ଦିନ ହେବ ପୁଅ ଦେହ ଖରାପ ହେବାରୁ ଉଭୟ ମା ପୁଅ ମୁର୍ମୁଷୁ ଅବସ୍ଥାରେ ଘରେ ପଡିରହିଥିଲେ । ଘର ଭାଙ୍ଗି ଯାଇ ବତା ଝୁଲୁଥିବା ବେଳେ ଚାରି ଆଡ଼େ ଅନ୍ଧାର । ପୁଅ ଘର କବାଟ ପାଖରେ ପଡ଼ିଥିଲେ । ଆଉ ମୁର୍ମୁଷୁ ଅବସ୍ଥାରେ ବୃଦ୍ଧା ପ୍ଲାଷ୍ଟିକ ଜରିଭିତରେ ନିଜକୁ ଘୋଡାଇ ରଖି ଖାଇବାକୁ ମାଗୁଥିଲେ ।

ଏ ହୃଦୟ କୁ ଦୋହଲାଇ ଦେବା ଭଳି ଦୃଶ୍ୟ ସତରେ ଭାରି ଦୁଃଖଦାୟକ। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ରାଜଗାଙ୍ଗପୁର ପୌରାଂଚଳରେ ଦୀର୍ଘ ବର୍ଷ ଧରି ଏହିଭଳି ଭାବରେ ଦୟନୀୟ ଅବସ୍ଥାରେ ମା ଓ ପୁଅ ରହୁଥିବାବେଳେ ରାଜଗାଙ୍ଗପୁର ପୌର ପ୍ରଶାସନ ଏମାନଙ୍କ ବିଷୟରେ ଜାଣିପାରି ନଥିଲେ । ତେବେ ଏଭଳି ଏକ ସମ୍ବେଦନନଶୀଳ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଅ।ଗେଇ ଅ।ସି ଉଭୟଙ୍କ ଚିକିତ୍ସା ନିମନ୍ତେ ସମସ୍ତ ବ୍ୟବସ୍ଥା କରିବାର ଅ।ବଶ୍ୟକତା ରହିଛି ବୋଲି କହିଛନ୍ତି ବୁଦ୍ଧିଜିବୀ। ଉଭୟ ମାଁ ଓ ପୁଅ ବର୍ତ୍ତମାନ ରାଉରକେଲାରେ ଚିକିତ୍ସିତ ହେଉଛନ୍ତି, ତେବେ ଉଭୟଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ସହ ସମସ୍ତ ସରକାରୀ ଯୋଜନାରେ ସାମିଲ କରାଯାଇପାରିଲେ ନିଶ୍ଚିତ ଭାବରେ ମା ଓ ପୁଅ ବାକି ଜୀବନ ହସଖୁସିରେ କାଟିପାରନ୍ତେ।

Spread the love