ମା’ ଆସୁଛନ୍ତି: ମହାଷ୍ଟମୀରେ ମାଛଭୋଗ, ନବମୀରେ କାର୍ତ୍ତିକ ବିବାହ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଶକ୍ତିପୀଠସମୂହରେ ଯେମିତି ଷୋଳ ପୂଜା ବିଧି ପାଳିତ ହେଉଛି, ସେମିତି କିଛି ମଣ୍ଡପରେ ବି ଅନୁସରଣ କରାଯାଏ। ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ପୂଜା ବିଧି ସହ ମନ୍ଦିର ବିଧି ମଧ୍ୟ ପାଳିତ ହୁଏ। ଜମେଶ୍ବରପାଟଣାସାହି ଦୁର୍ଗାପୂଜା ସମିତି ପକ୍ଷରୁ ଏଭଳି ନୀତିକାନ୍ତି ପାଳନ କରାଯାଏ। ୧୯୪୯ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୭୪ ବର୍ଷ ଧରି ଏଭଳି ବିଧିରେ ମଣ୍ଡପରେ ମା’ଙ୍କ ପୂଜା ହୋଇଆସୁଛି। ସ୍ଥାନାଭାବ ଯୋଗୁଁ ଆକର୍ଷଣୀୟ ତୋରଣ ହେଉନଥିଲେ ମଧ୍ୟ ଏଠିକାର ପୂଜା ବିଧି ବେଶ୍ ନିଆରା। ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତିଙ୍କୁ ଜୀବନ୍ୟାସ ଦେଇ ମନ୍ଦିର ପୂଜା ବିଧିରେ ମା’ଙ୍କୁ ଆବହନ କରାଯାଇଆସୁଛି। ଏହି ମଣ୍ଡପର ପ୍ରଥା ଓ ପରମ୍ପରା ଅନୁସାରେ ଏଠାରେ ମହାଷ୍ଟମୀ ତିଥିରେ ମା’ଙ୍କୁ ଦେଶୀ ମାଛ ଭୋଗଲାଗି କରାଯାଏ ଏବଂ ପାଣିକଖାରୁ ବଳି ଦିଆଯାଏ। ମହାଷ୍ଟମୀରେ ଅନୁଷ୍ଠିତ ସନ୍ଧି ପୂଜା ଅବସରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ବ୍ରତ ପୂଜା କରନ୍ତି। ୫ ହଜାରରୁ ଅଧିକ ଦୀପଦାନ କରାଯାଇଥାଏ। ଅନ୍ୟ ଏକ ନିଆରା ପରମ୍ପରା ହେଉଛି କାର୍ତ୍ତିକ ବିବାହ। ମହାନବମୀ ତିଥି‌ରେ ମଣ୍ଡପରେ କାର୍ତ୍ତିକ ବିବାହ ସମ୍ପନ୍ନ ହୋଇଥାଏ। ଜଣେ କୁମାରୀ ବଧୂବେଶରେ ଉପସ୍ଥିତ ରହନ୍ତି ଏବଂ କାର୍ତ୍ତିକଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୁଏ।

ଚଣ୍ଡୀପାଠ ପରମ୍ପରା ସ୍ବତନ୍ତ୍ର
ପୂଜା ଆରମ୍ଭରୁ ସାହି ମୁରବିମାନଙ୍କୁ ସାମିଲ୍‌ କରାଯାଇଆସୁଛି। ଶୈବପୀଠ ଭାବେ ପୁରୁଣା ଭୁବନେଶ୍ବରର ପ୍ରସିଦ୍ଧି ଥିଲେ ମଧ୍ୟ ଏହା ଶକ୍ତି ଉପାସନାର ଭୂମି। ଏହି ଅଞ୍ଚଳରେ ଅଷ୍ଟଚଣ୍ଡୀଙ୍କ ସହ ମା’ ଦୁର୍ଗା ବିଭିନ୍ନ ରୂପରେ ପୂଜା ପାଉଛନ୍ତି। ତେଣୁ ଦୁର୍ଗା ପୂଜା ଅବସରରେ ଆମ ମଣ୍ଡପରେ ଚଣ୍ଡୀପାଠ ହୋଇଆସୁଛି। ଏହା ଆମ ପୂଜାର ବଡ଼ ବିଶେଷତ୍ବ।
ପ୍ରସନ୍ନ କୁମାର ସ୍ବାଇଁ, ସଭାପତି

ରଙ୍ଗିନ ଆଲୋକମାଳାରେ ସାହି ଝଲସିବ
ସ୍ଥାନାଭାବ କାରଣରୁ ଏଠାରେ ବିଶାଳ ତୋରଣ କରିବାକୁ ସୁଯୋଗ ନଥାଏ। କିନ୍ତୁ ମା’ଙ୍କ ପୂଜାକୁ ଆକର୍ଷଣୀୟ କରିବା ପାଇଁ ସାହିର ସବୁରାସ୍ତାରେ ଆକର୍ଷଣୀୟ ଆଲୋକ ବ୍ୟବସ୍ଥା‌ କରାଯିବ। ରଙ୍ଗିନ ଆଲୋକମାଳାରେ ସାହିର ଏମୁଣ୍ଡରୁ ସେମୁଣ୍ଡ ଝଲସିବ। ସେହିଭଳି ମା’ଙ୍କୁ ବିଦାୟ ଦେବା ପାଇଁ ଚମତ୍କାର ଭସାଣି ଉତ୍ସବ ଆୟୋଜନ କରାଯିବ। ଫେସ୍‌ବୁକ୍‌ ଲାଇଭ୍‌ରେ ଶ୍ରଦ୍ଧାଳୁମାନେ ମା’ଙ୍କ ପୂଜା ଦେଖିପାରିବେ। ଆସନ୍ତା ବର୍ଷ ୭୫ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏଥିପାଇଁ ଅଧିକ ଉତ୍ସାହ ରହିଛି।
ପ୍ରଶାନ୍ତ କୁମାର ସମର୍ଥା, ସମ୍ପାଦକ

Spread the love