ସମ୍ମମ୍ ପକ୍ଷରୁ ସ୍ତନ୍ୟପାନ ସପ୍ତାହ ପାଳିତ

‘ମା’ କ୍ଷୀର ଶିଶୁ ପାଇଁ ସବୁଠାରୁ ଉତ୍କୃଷ୍ଟ’

ଭୁବନେଶ୍ୱର, ୯/୮: ନବଜାତ ଶିଶୁ ନିମନ୍ତେ ସ୍ତନ୍ୟପାନ ସବୁଠାରୁ ଉତ୍କୃଷ୍ଟ ଏବଂ ସମ୍ପୂର୍ଣ୍ଣ ପୋଷଣଦାୟକ ଯାହାକି ଶିଶୁର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଘଟାଇଥାଏ ବୋଲି ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ।
ନବଜାତ ଶିଶୁ ପାଇଁ ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ଏକ ମାତ୍ର ଓ ଉତ୍କୃଷ୍ଟ ପୋଷଣ ଏବଂ ଏହା ଦୁଇବର୍ଷ ପର୍ଯ୍ୟନ୍ତ ମଧ୍ୟ ଦିଆଯାଇପାରିବ । ଶିଶୁଟି ଜନ୍ମ ହେବା ପରେ ମା’ କ୍ଷୀରରେ ହିଁ ସମସ୍ତ ପ୍ରକାର ପୁଷ୍ଟିସାର ମିଳିଥାଏ ବୋଲି ହସ୍ପିଟାଲ୍‌ର ସିନିୟର
କ୍ଲିନିକାଲ୍ ନ୍ୟୁଟ୍ର ିସନିଷ୍ଟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା କହିଛନ୍ତି । ହସ୍ପିଟାଲ୍ ପକ୍ଷରୁ ଏକ ସପ୍ତାହ ବ୍ୟାପି ଚାଲିଥିବା ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୭ ତାରିଖ ଦିନ ଶେଷ ହୋଇଛି । ସ୍ତନ୍ୟପାନ ଉଭୟ ମା’ ଏବଂ ଶିଶୁ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିଥାଏ ବୋଲି ଶ୍ରୀମତି ଜେନା କହିଛନ୍ତି । ଶ୍ରୀମତି ଜେନା କହିଛନ୍ତି ଯେ ଶିଶୁଟି ଜନ୍ମ ହେବାର ଏକ ଘଂଟା ମଧ୍ୟରେ ତାକୁ ମା’ କ୍ଷୀର ଦିଆଯିବା ଉଚିତ୍ । ଶିଶୁ ଜନ୍ମ ହେବାର ଦୁଇ ତିନି ଦିନ ପର୍ଯ୍ୟନ୍ତ ମା’ର ସ୍ତନରୁ ବହଳିଆ ଓ ହଳଦିଆ ରଂଗ କ୍ଷୀର ନିର୍ଗତ ହୋଇଥାଏ ଯାହାକି ଶିଶୁ ପାଇଁ ବେଶ ଉପକାରୀ । ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଡାଏରିଆ, ନିମୋନିଆ ଏବଂ ନବଜାତ ଶିଶୁଙ୍କ ମୃତ୍ୟୁ ଭଳି ସଂକଟରୁ ରକ୍ଷା କରିଥାଏ ।
ସେ କହିଛନ୍ତି ଯେ ଯଦି ଶିଶୁଟିର ଡାଏରିଆ, ଜ୍ୱର କିମ୍ବା ଶର୍ଦ୍ଦି ଭଳି ସମସ୍ୟା ଦେଖାଦେଇଥାଏ ତେବେ ମଧ୍ୟ ମା’ ବାରମ୍ବାର ସ୍ତନ୍ୟପାନ କରାଇବା ଜରୁରୀ । ଯଦି ଶିଶୁଟିର ଡାଏରିଆ ହୁଏ ତେବେ ତା’ ପାଇଁ ଅଧିକ ପାଣିର ଆବଶ୍ୟକତା ପଡିଥାଏ। ତେବେ ଏହି ଜଳୀୟ ଅଂଶ ମା’କ୍ଷୀରରେ ମଧ୍ୟ ମିଳିଥାଏ। ସେହିପରି ଯଦି ଶିଶୁଟିର ବୟସ ୬ ମାସରୁ ଅଧିକ ହୋଇଥାଏ ଓ ସେ କଫ କିମ୍ବା ଜ୍ୱର ଭଳି ସମସ୍ୟାରେ ପୀଡ଼ିତ ଥାଏ ତେବେ ସ୍ତନ୍ୟପାନର ମାତ୍ରା ବୃଦ୍ଧିକରାଇବା ଉଚିତ୍ ବୋଲି ସେ କହିଥିଲେ। ଚଳିତବର୍ଷର ସ୍ତନ୍ୟପାନ ସପ୍ତାହର ଥିମ୍ ଥିଲା “ସ୍ତନ୍ୟପାନର ସୁରକ୍ଷା, ଏକ ମିଳିତ ଦାୟିତ୍ୱ”। ସମ୍ମମ୍‌ର ଡାଏଟେଟିକ୍ସ ଟିମ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଗୀ,ସେମାନଙ୍କର ଆଟେଣ୍ଡାଂଟ ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ। ଏହି ଅବସରରେ ସ୍ତନ୍ୟପାନ ସମ୍ପର୍କିତ ପ୍ରଦର୍ଶନୀ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

Spread the love