‘ମୋତିଲାଲ ଓସ୍ୱାଲ କିସ୍ ଆବାସିକ ବିଦ୍ୟାଳୟ’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଶନିବାର ବଲାଙ୍ଗୀର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିସ୍ ଭୁବନେଶ୍ୱରର ଏକ ଶାଖା ‘ମୋତିଲାଲ ଓସ୍ୱାଲ କିସ୍ ଆବାସିକ ବିଦ୍ୟାଳୟ’  ଉଦ୍‌ଘାଟନ୍ କରିଛନ୍ତି। ଏହି ଅବସରରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ମୋତିଲାଲ ଓସ୍ୱାଲ ଫାଉଣ୍ଡେସନ ଚେୟାରମ୍ୟାନ୍ ସୁନୀତା ଅଗ୍ରୱାଲ, ମୋତିଲାଲ ଓସ୍ୱାଲ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ମୋତିଲାଲ ଓସ୍ୱାଲ, ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏବଂ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

 ବଲାଙ୍ଗିର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶୈକ୍ଷିକ ପରିବେଶ ଜରିଆରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ନିମନ୍ତେ ଉଦ୍ୟମ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରୟାସ କରାଯାଇଛି। ଏଠାରେ ଛାତ୍ରଛାତ୍ରୀଙ୍କ ରହିବା ନିମନ୍ତେ ଛାତ୍ରାବାସ ଓ ଛାତ୍ରୀ ନିବାସ ପୃଥକ ଭାବେ ନିର୍ମାଣ କରାଯାଇଛି। ଏହା ସହିତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ରହିବା ପାଇଁ ମଧ୍ୟ କର୍ମଚାରୀ ଆବାସ ନିର୍ମାଣ କରାଯାଇଛି। କିସ ଭୁବନେଶ୍ୱରରେ ଥିବା ମୁଖ୍ୟ କ୍ୟାମ୍ପସ ଭଳି ଏଠାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ପୁଷ୍ଟିକର ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ପାଇଁ ରହିଛି ବାଷ୍ପ ଚାଳିତ ରୋଷେଇ ବ୍ୟବସ୍ଥା। ଏହା ଛଡ଼ା ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ନିମନ୍ତେ ପାୱାର ବ୍ୟାକ ଅପ ବ୍ୟବସ୍ଥା, ବିଭିନ୍ନ ବିଷୟ ପାଇଁ ସ୍ୱତନ୍ତ୍ର ଅତ୍ୟାଧୁନିକ ପରୀକ୍ଷାଗାର, ପାଠାଗାର, ଇଣ୍ଟରନେଟ ଓ ୱାଇ-ଫାଇ ସୁବିଧା, ସ୍ମାର୍ଟ କ୍ଲାସ ରୁମ ରହିଛି।

Spread the love