ଥିଙ୍କ୍‍ ଜୋନ୍‌’ ସହ ‘ମୋ କଲେଜ’ର ବୁଝାମଣାପତ୍ର ସ୍ୱାକ୍ଷରିତ; ୩୦୦୦ ଯୁବକ-ଯୁବତୀଙ୍କୁ ଶିକ୍ଷା ଉପରେ ମିଳିବ ପ୍ରଶିକ୍ଷଣ

ଭୁବନେଶ୍ୱର: ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ ଓ ‘ଥିଙ୍କ୍‍ ଜୋନ୍‌’ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ଅନୁଷ୍ଠାନ ‘ମୋ କଲେଜ’ ସହ ମିଶି ରାଜ୍ୟରେ ଥିବା ବିଭିନ୍ନ କଲେଜରେ ୩୦୦୦ ଛାତ୍ରଛାତ୍ରୀଙ୍କୁ ଛୋଟ ପିଲାଙ୍କୁ କିଭଳି ଶିକ୍ଷାଦାନ କରିବେ ତାହା ଉପରେ ପ୍ରଶିକ୍ଷଣ ଦେବେ । ଥିଙ୍କ୍ ଜୋନ୍ ଫେଲୋସିପ୍ ପ୍ରୋଗ୍ରାମ ନାମରେ ଏହି କାର୍ଯ୍ୟକ୍ରମ ଚାଲିବ । ଏହି ଅବସରରେ ଆଜି ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ ଏବଂ ଥିଙ୍କ୍ ଜୋନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନାୟକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି।

ଏହି ଫେଲୋସିପ୍ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜରୁ ୩୦୦୦ ହଜାର ଛାତ୍ରଛାତ୍ରୀଙ୍କୁ ନିଆଯିବ । ଛାତ୍ରଛାତ୍ରୀଙ୍କ ବୟସ ୧୮ରୁ ୨୬ ବର୍ଷ ହୋଇଥିବ । ପାଠ ପଢୁଥିବା କିମ୍ବା ସ୍ନାତକ ଓ ସ୍ନାତକୋତ୍ତର ସାରିଥିବା ଛାତ୍ରଛାତ୍ରୀମାନେ ଏହି ଫେଲୋସିପ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଗ୍ରାମାଞ୍ଚଳ, ଅର୍ଦ୍ଧସହରାଞ୍ଚଳ, ବିଶେଷ ସୁବିଧା ନଥିବା ସହରାଞ୍ଚଳରୁ ଆସୁଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ନିଜ ଅଞ୍ଚଳରେ ଥିବା ପିଲାଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ଦେଇପାରିବେ ତାହା ଉପରେ ପ୍ରଶିକ୍ଷଣ ଦିଆଯିବ । ଏହି ୩୦୦୦ ହଜାର ପିଲାମାନେ ପ୍ରଶିକ୍ଷଣ ନେବା ପରେ ନିଜ ଅଞ୍ଚଳରେ ଥିବା ପାଖାପାଖି ୧୫ ହଜାର କୁନି ପିଲାଙ୍କ ଭାଷା ଓ ଗଣିତ ପାଠର ମୂଳଦୁଆକୁ ବୃଦ୍ଧି କରିପାରିବେ। କାର୍ଯ୍ୟକ୍ରମରେ ଯୋଗାଯୋଗ, ଡିଜିଟାଲ୍ ଦକ୍ଷତା ସହ ସୋସିଆଲ୍ ମିଡିଆର ବ୍ୟବହାର, ଆର୍ଥିକ ସ୍ୱାକ୍ଷରତା, ଅଣୁ ଉଦ୍ୟୋଗ, ଶ୍ରେଣୀଗୃହ ପରିଚାଳନା, ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ, ଇଂରାଜୀ ଓ ଗଣିତ ପାଠ ଶିଖାଇବା, ନେତୃତ୍ୱ ନେବା, ଖେଳକୁଦ ମାଧ୍ୟମରେ କୁନି ପିଲାଙ୍କୁ ଶିକ୍ଷାଦେବାର ବିଭିନ୍ନ କୌଶଳ ଉପରେ
ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । କଟକ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାର ସମସ୍ତ କଲେଜରେ ଏହିକାର୍ଯ୍ୟକ୍ରମ ହେବ ।

ଛାତ୍ରଛାତ୍ରୀଙ୍କୁ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ପ୍ରଶିକ୍ଷଣ ମିଳିବ । ସମୁଦାୟ ୧୨୦ ଘଣ୍ଟା ସେମାନେ ଏହି ପ୍ରଶିକ୍ଷଣରେ ବିତାଇବେ । ପ୍ରଶିକ୍ଷଣ ମାଗଣାରେ ନେବା ସହ ଏକ ସାର୍ଟିଫିକେଟ୍ ମଧ୍ୟ ଦିଆଯିବ । ଏପରିକି ପିଲାଙ୍କୁ ପଢ଼ାଇବା ସମୟରେ ଯୁବକ-ଯୁବତୀଙ୍କୁ ଆର୍ଥିକ ଖର୍ଚ୍ଚ ମିଳିବ। ଏହି ଏମ୍‍ଓୟୁ ସମ୍ପର୍କରେ ‘ମୋ କଲେଜ’ ଅଧ୍ୟକ୍ଷ ଶ୍ରୀ ଦାସନାୟକ କହିଛନ୍ତି, ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଗୁରୁତ୍ୱ ସବୁଠୁ ଅଧିକ ରହିଛି । ଛାତ୍ରଛାତ୍ରୀମାନେ ଏକ୍ଷେତ୍ରରେ ଅଧିକରୁ ଅଧିକ ଦକ୍ଷ ହେବା
ଦରକାର । ଏହି ଏମ୍‍ଓୟୁ ଦ୍ୱାରା ବୈଷୟିକ ଶିକ୍ଷାରେ ପିଲାମାନଙ୍କ ଜ୍ଞାନ ବଢ଼ିବ । ଆଗକୁ ସେମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏହି ପ୍ରଶିକ୍ଷଣ ବହୁତ ସହଯୋଗ କରିବ। ଏସମ୍ପର୍କରେ ଥିଙ୍କ ଜୋନ୍‍ର ପ୍ରତିଷ୍ଠାତା ଶ୍ରୀ ଆଚାର୍ଯ୍ୟ କହିଲେ, ଏହି ପ୍ରଶିକ୍ଷଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ନିଜର ଭବିଷ୍ୟତ ଗଠନ ଦିଗରେ ସହଯୋଗ କରିବ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଥିଙ୍କ୍ ଜୋନ୍ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ପ୍ରାୟ ୬୦୦୦ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷିତ କରିସାରିଛି । ଏମାନଙ୍କ ମଧ୍ୟରୁ ୪୨୧୪ ଛାତ୍ରଛାତ୍ରୀ ଫେଲୋସିପ୍‌କୁ ପୂରଣ କରି ବର୍ଷେ ହେବ ପିଲାଙ୍କୁ ଶିକ୍ଷା ଦେଉଛନ୍ତି । ବର୍ତ୍ତମାନ ଏହାର କାର୍ଯ୍ୟକ୍ରମ ଭଦ୍ରକ, କଟକ, ଯାଜୁପର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ଚାଲୁଛି ।

Spread the love