ସାଂସଦ ଅପରାଜିତାଙ୍କୁ ବିରୋଧକଲେ ଦଳୀୟ କର୍ମୀ

ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ଓଳସିଂହ ଗ୍ରାମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଗ୍ରାମବାସୀ ଓ କର୍ମୀମାନେ ତାଙ୍କୁ ଗ୍ରାମ ଭିତରକୁ ପୂରାଇ ଦେଇନାହାନ୍ତି। ଦଳୀୟ କର୍ମୀଙ୍କ ପ୍ରତି ଅବହେଳା କରାଯାଇଥିବା ପ୍ରତିବାଦରେ ସେମାନେ ଏଭଳି କରିଥିବା ଜଣାପଡ଼ିଛି।

ସୂଚନା ଅନୁସ‌ାରେ, ଗତକାଲି ସନ୍ଧ୍ୟାରେ ବିଜେପି ପକ୍ଷରୁ ଟାଙ୍ଗୀ ବ୍ଲକ୍‌ର ୯ ନମ୍ବର ଜୋନ୍‌ ଅଧୀନସ୍ଥ ଓଳସିଂହଠାରେ ବୁଥ୍ କମିଟିର ବୈଠକ ଆୟୋଜନ କରାଯାଇଥିଲା। ହେଲେ, ସେଠାକୁ ସ୍ଥାନୀୟ ନେତାମାନଙ୍କୁ ଡକାଯାଇ ନଥିଲା। ସେଥିପାଇଁ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ତଥା ୯ ନମ୍ବର ଜୋନ୍‌ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଆଶିଷ କୁମାର ବରିସଲଙ୍କ ସମେତ ପ୍ରାୟ ଶହେରୁ ଅଧିକ ଗ୍ରାମବାସୀ ଓ ଦଳୀୟ କର୍ମୀ ପଥର ପକାଇ ରାସ୍ତା ଅବରୋଧ କରିବା ସହିତ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଓ ବିଜେପି ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ଗ୍ରାମମଧ୍ୟକୁ ପ୍ରବେଶ କରାଇ ଦେଇ ନ ଥିଲେ। ସାଂସଦ ଗ୍ରାମରେ ପ୍ରବେଶ କରିବାପାଇଁ ବାହାରିଥିଲାବେଳେ ତାଙ୍କ ଆଗରେ କର୍ମୀ ଶୋଇପଡ଼ିଥିଲେ। ଏହାସତ୍ତ୍ବେ କର୍ମୀଙ୍କୁ ଡେଇଁ ସାଂସଦ ଗ୍ରାମକୁ ପ୍ରବେଶ କରିବା ପାଇଁ ପ୍ରୟାସ କରିଥିବାବେଳେ କର୍ମୀମାନେ ଏହାର ତୀବ୍ର ବିରୋଧ କରିଥିଲେ। ଫଳରେ, ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବୁଥ୍‌ କମିଟି ସଭା କରି ନ ପାରି ଫେରିଯିବାକୁ ବାଧ୍ୟ ହୋଇଥିଲେ।

ଏ ସମ୍ପର୍କରେ ସ୍ଥାନୀୟ ବିଜେପି ନେତା ଆଶିଷ କୁମାର ବରୀସଲ କହିଥିଲେ, ‘ କେବଳ ଆଜି ନୁହେଁ, ସାଂସଦ ମୋତେ କିମ୍ବା ଦଳୀୟ କର୍ମୀଙ୍କୁ ନ ଜଣାଇ ବେଗୁନିଆ ନିର୍ବାଚନମଣ୍ଡଳୀର କିଛି କର୍ମୀଙ୍କୁ ସାଙ୍ଗରେ ଧରି ମୋ ଜୋନ୍‌ରେ ଚାରି ଥର ବୁଥ୍‌ କମିଟି ବୈଠକ କରି ସାରିଛନ୍ତି।’ ଏନେଇ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ତଥା ବରିଷ୍ଠ ବିଜେପି ନେତା କେଳୁଚରଣ ଜଗଦ୍ଦେବଙ୍କୁ ପଚାରିବାରେ ଦଳୀୟ ଶୃଙ୍ଖଳା ଭିତରେ ସମସ୍ତେ କାର୍ଯ୍ୟ କରିବା ଉଚିତ ବୋଲି ‘ସତ୍ୟଦ୍ରଷ୍ଟl’କୁ ସୂଚନା ଦେଇଥିବାବେଳେ ବିଜେପି ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ଯୋଗାଯୋଗ ସତେ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା।

Spread the love